ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ କୃତି ପ୍ରତିଯୋଗୀ ମନୋନୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ‘ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ’ ବିଷୟ ବସ୍ତୁକୁ ନେଇ ଏକ ବାକ୍ ଚାତୁରୀ ପଟୁତା ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିସରରେ ଗତ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଠାରେ ପ୍ରକାଶ ଥାଉକି, ଗତ ୩୧ ତାରିଖ ଠାରୁ ଚଳିତ ମାସ ୬ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେଉଅଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଛତ୍ରପୁର ଉପଆରକ୍ଷୀ ଅଧିକ୍ଷକ କ୍ରୀଷ୍ଣା କୁମାରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଚାରକ ଭାବେ ନରେନ୍ଦ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ଏସ୍. ଭେଙ୍କଟ ରାଓ ରେଡ୍ଡୀ, ବ୍ରହ୍ମପୁର ବିଚାର ବିଭାଗର ପୂର୍ବତନ କର୍ମଚାରୀ ରାମଚନ୍ଦ୍ର ସାସମଲ ଓ କନିଷ୍ଠ ରାଜସ୍ୱ ସହାୟିକା ଏମ୍. ଶ୍ରାବନ୍ତୀ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଯୁକ୍ତଦୁଇ ସ୍ତରୀୟରେ ବଦ୍ରୀନାଥ ମିଶ୍ର ପ୍ରଥମ ସ୍ଥାନ, ପ୍ରଯୁକ୍ତାରାଣୀ ମହାନ୍ତି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଆରାଧନା ଆଚାର୍ଯ୍ୟ ଅଧିକାର କରିଥିବା ବେଳେ ଯୁକ୍ତତିନି ସ୍ତରରେ ପ୍ରଥମ ମମତା ନାହାକ, ଦ୍ୱିତୀୟ କିରଣ ମହାରଣା ଓ ଗାୟତ୍ରୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଗଞ୍ଜାମ ଜିଲ୍ଲାସ୍ତରୀୟ ଏହି ଉତ୍ସବରେ ଏହି କୃତି ପ୍ରତିଯୋଗୀମାନେ ପୁରସ୍କୃତ ହେବାର କାର୍ଯ୍ୟକ୍ରମ ରହିଅଛି, ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା କହିଛନ୍ତି ।

Leave A Reply

Your email address will not be published.

error: Content is protected !!