
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ୨୦୨୫-୨୬ ବିପଣନ ଋତୁ ପାଇଁ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧିକୁ ମଞ୍ଜୁରି ଦେଇଛନ୍ତି । ବିପଣନ ଋତୁ ୨୦୨୫-୨୬ ପାଇଁ ଖରିଫ ଫସଲର ଏମ୍ଏସ୍ପିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି, ଯାହାଦ୍ୱାରା କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଉଚିତ ଲାଭକାରୀ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରାଯାଇପାରିବ । ବିଗତ ବର୍ଷ ତୁଳନାରେ ନାଇଜର ସିଡ ବା କଳା ରାଶି ଉପରେ (କ୍ୱିଣ୍ଟାଲ ପିଛା ୮୨୦ ଟଙ୍କା) ସର୍ବାଧିକ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । ଏହା ପଛକୁ ମାଣ୍ଡିଆ (କ୍ୱିଣ୍ଟାଲ ପିଛା ୫୯୬ ଟଙ୍କା), କପା (କ୍ୱିଣ୍ଟାଲ ପିଛା ୫୮୯ ଟଙ୍କା) ଏବଂ ରାଶି (କ୍ୱିଣ୍ଟାଲ ପିଛା ୫୭୯ ଟଙ୍କା) ପାଇଁ ସବୁଠୁ ଅଧିକ ଏମ୍ଏସ୍ପି ସୁପାରିସ କରାଯାଇଛି । ଉତ୍ପାଦନ ଖର୍ଚ୍ଚରେ ଫସଲ ଅମଳ ପାଇଁ କରାଯାଉଥିବା ସବୁ ବ୍ୟୟ ସାମିଲ ରହିଛି । ଏଥିରେ ଶ୍ରମିକ, ବଳଦ ଶ୍ରମ/ମେସିନ ଶ୍ରମ, ଜମି ଭାଗ ପାଇଁ ଖର୍ଚ୍ଚ, ବିହନ, ସାର, ଖତ, ଜଳସେଚନ ଶୁଳ୍କ, ଉପକରଣ ଏବଂ କୃଷି ଭବନ ଉପଯୋଗ ବାବଦ ଖର୍ଚ୍ଚ, ଚଳନ୍ତି ପୁଞ୍ଜି ଉପରେ ସୁଧ, ପମ୍ପ ସେଟ୍ ପରିଚାଳନା ପାଇଁ ଡିଜେଲ/ବିଦ୍ୟୁତ ଖର୍ଚ୍ଚ ଆଦି ସମେତ ଅନ୍ୟାନ୍ୟ ଖର୍ଚ୍ଚ ଏବଂ ପାରିବାରିକ ଶ୍ରମର ଲାଗୁ ମୂଲ୍ୟ ସାମିଲ ରହିଛି । ଧାନ (ଗ୍ରେଡ୍ ଏ), ଯଅ (ମାଲଦାଣ୍ଡି) ଏବଂ କପା (ଲମ୍ବା ଷ୍ଟେପଲ) ପାଇଁ ମୂଲ୍ୟ ତଥ୍ୟ ପୃଥକ ଭାବରେ ସଂକଳିତ ହୋଇନାହିଁ । କେନ୍ଦ୍ର ବଜେଟ୍ ୨୦୧୮-୧୯ ଘୋଷଣା ଅନୁଯାୟୀ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଅତି କମରେ ଦେଢ଼ ଗୁଣ ସ୍ତରରେ ଏମ୍ଏସ୍ପି ସ୍ଥିର କରିବାର ଅନୁରୂପ ୨୦୨୫-୨୬ ବିପଣନ ଋତୁ ପାଇଁ ଖରିଫ ଫସଲ ପାଇଁ ଏମ୍ଏସ୍ପି ବୃଦ୍ଧି କରାଯାଇଛି । ବାଜରା (୬୩ ପ୍ରତିଶତ), ମକା (୫୯ ପ୍ରତିଶତ), ହରଡ଼ (୫୯ ପ୍ରତିଶତ) ଏବଂ ବିରି (୫୩ ପ୍ରତିଶତ) ଏମ୍ଏସ୍ପି କ୍ଷେତ୍ରରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ଆଶା କରାଯାଉଥିବା ଲାଭକାରୀ ମୂଲ୍ୟର ସର୍ବାଧିକ ଲାଭ ପ୍ରଦାନ କରିବ ବୋଲି ଆକଳନ କରାଯାଇଛି । ଅବଶିଷ୍ଟ ଫସଲ ପାଇଁ, କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ୫୦ ପ୍ରତିଶତ ଲାଭ ମିଳିବ ବୋଲି ଆକଳନ କରାଯାଇଛି । ନିକଟ ଅତୀତରେ, ସରକାର ଡାଲି ଏବଂ ତୈଳବୀଜ ଏବଂ ପୁଷ୍ଟିକର ଶସ୍ୟ/ଶ୍ରୀ ଅନ୍ନ ଭଳି ଶସ୍ୟଗୁଡ଼ିକ ପାଇଁ ଅଧିକ ଏମ୍ଏସ୍ପି ପ୍ରଦାନ କରି ଏହି ଶସ୍ୟ ଏବଂ ଅନ୍ୟ ଶସ୍ୟର ଚାଷକୁ ପ୍ରୋତ୍ସାହିତ କରୁଛନ୍ତି । ୨୦୧୪-୧୫ରୁ ୨୦୨୪-୨୫ ବର୍ଷ ମଧ୍ୟରେ ୭୬୦୮ ଏଲ୍ଏମ୍ଟି ଧାନ ସଂଗ୍ରହ ହୋଇଥିବା ବେଳେ ୨୦୦୪-୦୫ରୁ ୨୦୧୩-୧୪ ବର୍ଷ ମଧ୍ୟରେ ୪୫୯୦ ଏଲ୍ଏମ୍ଟି ଧାନ ସଂଗ୍ରହ ହୋଇଥିଲା । ୨୦୧୪-୧୫ରୁ ୨୦୨୪-୨୫ ଅବଧି ମଧ୍ୟରେ ୧୪ଟି ଖରିଫ ଫସଲର କ୍ରୟ ୭୬୦୮ ଏଲ୍ଏମ୍ଟିନ୍ ହୋଇଥିବା ବେଳେ ୨୦୦୪-୦୫ରୁ ୨୦୧୩-୧୪ ଅବଧି ମଧ୍ୟରେ ୪୬୭୯ ଏଲ୍ଏମ୍ଟିନ୍ କ୍ରୟ ହୋଇଥିଲା । ୨୦୧୪-୧୫ରୁ ୨୦୨୪-୨୫ ମଧ୍ୟରେ ଧାନ ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ପରିମାଣ ୧୪.୧୬ ଲକ୍ଷ କୋଟି ଟଙ୍କା ଥିଲା । ଅନ୍ୟପକ୍ଷରେ ୨୦୦୪-୦୫ରୁ ୨୦୧୩-୧୪ ମଧ୍ୟରେ ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ପରିମାଣ ୪.୪୪ ଲକ୍ଷ କୋଟି ଟଙ୍କା ଥିଲା । ୨୦୧୪-୧୫ରୁ ୨୦୨୪-୨୫ ମଧ୍ୟରେ ୧୪ଠି ଖରିଫ ଫସଲ ପାଇଁ ଚାଷୀଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୧୬.୩୫ ଲକ୍ଷ କୋଟି ଟଙ୍କା ଥିଲା । ଅନ୍ୟପକ୍ଷରେ ୨୦୦୪-୦୫ରୁ ୨୦୧୩-୧୪ ମଧ୍ୟରେ ଚାଷୀମାନଙ୍କୁ ଦିଆଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୪.୭୫ ଲକ୍ଷ କୋଟି ଟଙ୍କା ଥିଲା ।