ବଲାଙ୍ଗିରର ମନ୍ଦିରଗୁଡିକ ସରକାରୀ ଅବହେଳାର ଶୀକାର ହୋଇଛି : ଦେବାଳୟ ସୁରକ୍ଷା କମିଟି

  • ମନ୍ଦିରକୁ ଅବହେଳାର ପ୍ରତିବାଦ କରାଯିବ । ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟ ପାଇଁ କେବଳ ରଙ୍ଗ ନୁହେଁ ନିର୍ମାଣ ପାଇଁ ଟଙ୍କା ଦିଅ : ଦେବାଳୟ ସୁରକ୍ଷା କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମନ୍ଦିର ଗୁଡିକ ସରକାରୀ ଅବହେଳାର ଶୀକାର ହୋଇଛି ବୋଲି ଦେବାଳୟ ସୁରକ୍ଷା କମିଟି ପକ୍ଷରୁ କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, ରକ୍ଷଣାବେକ୍ଷଣ ଅଭାବରୁ ସହରର କେନ୍ଦ୍ରସ୍ଥଳରେ ଥିବା ପ୍ରାଚୀନ ମା’ ସମଲେଶ୍ୱରୀ ଦେବୀ, ପାଟଣେଶ୍ୱରୀ ଦେବୀ ଓ ଗୋପାଲଜୀ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ରହି ଭୂଷୁଡିଯିବା ଅବସ୍ଥାକୁ ଆସିଛି । ବର୍ଷକୁ ବର୍ଷ ମନ୍ଦିରରେ କେବଳ ରଙ୍ଗ ଦିଆଯାଇ ଚକଚାକ ଦୃଶ୍ୟମାନ କରିବା ପାଇଁ ଉଦ୍ୟମ କରାଯାଉଛି କିନ୍ତୁ ଭିତରେ ଏହା ସମ୍ପୂର୍ଣ୍ଣ ଭାବେ ବିପଦ ଶଙ୍କୁଳ ଅବସ୍ଥାକୁ ଆସିଯାଇଛି । ମା’ ସମଲେଶ୍ୱରୀ ମନ୍ଦିରର ମୁଖଶାଳା ଗମ୍ବୁଜ ଗତ ୨୨ ଅକ୍ଟୋବର ୨୦୨୧ ମସିହାରେ ଭୁଷୁଡି ସାରିଛି । ପାଟଣେଶ୍ୱରୀ ମନ୍ଦିରକୁ ଗତବର୍ଷ ବର୍ଷାଜଳ ପ୍ରବେଶ କରିଥିଲା । ଏପରିକି ଦେବୀଙ୍କ ପ୍ରତିମା ମଧ୍ୟ ବର୍ଷାଜଳରେ ଉବୁଟୁବୁ ହୋଇଥିଲା । ଗମ୍ଭୀରା ଘର ମଧ୍ୟରେ ଫାଟ ଦେଖାଦେଇଛି । ଦେବୀଙ୍କ ରୋଷଘର ନଥିବାରୁ ବାହାରୁ ଭୋଗ ରନ୍ଧା ହୋଇ ଅଣାଯାଉଛି । ସରକାର ଓ ପ୍ରଶାସନର ଦୃଷ୍ଟିକୁ ବିଭିନ୍ନ ସମୟରେ ଏହି ଅଭାବ ଓ ଅବହେଳା କଥା ଅଣାଯାଉଥିଲେ ମଧ୍ୟ ଦେବାଳୟମାନଙ୍କର କୌଣସି ପ୍ରକାର ବିକାଶ କାର୍ଯ୍ୟ କରାଯାଉ ନାହିଁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେବାଳୟ ସୁରକ୍ଷା କମିଟିର ଆବାହକ ପ୍ରଶାନ୍ତ ମହାକୁର, ସୂଚନା କର୍ମୀ ଶମ୍ଭୁ ପ୍ରସାଦ ଶତପଥି, ନାଗରିକ କମିଟିର ସମ୍ପାଦକ ମନୋରଞ୍ଜନ ସାହୁ, ସିଭିଲ ସୋସାଇଟି ସଭାପତି ନୀଳମଣି ମିଶ୍ର, ବରିଷ୍ଠ ନାଗରିକ ସଂଘର ପ୍ରଭାକର ମିଶ୍ର ସ୍ଥାନୀୟ ଯାଦବ ଭବନରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବା ସଙ୍ଗେ ତୁରନ୍ତ ବଲାଙ୍ଗିରର ମନ୍ଦିର ଗୁଡିକର ରକ୍ଷାଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଧ୍ୟାନ ଦେବାକୁ ଦାବୀ କରିଛନ୍ତି । ସମଲେଶ୍ୱରୀ ମନ୍ଦିରର ଗର୍ଭଗୃହରେ ମଧ୍ୟ ଫାଟ ଦେଖାଦେଇଛି । ବଲାଙ୍ଗିରବାସୀଙ୍କ ଭାବାବେଗ ସହ ଜଡିତ ଏହି ମନ୍ଦିରଗୁଡିକର ଅଭାବ ଅସୁବିଧା ପ୍ରତି ଦୃଷ୍ଟି ଦିଆନଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ମଧ୍ୟ ସେମାନେ କହିଛନ୍ତି । ସୂଚନା ଅଧିକାର ଆଇନରେ ମିଳିଥିବା କେତେକ ତଥ୍ୟକୁ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପିତ କରାଯାଇଥିଲା । ଗୋପାଲଜୀ ମନ୍ଦିର ପରିସରରେ ୨୯ଟି ଦୋକାନ ଗୃହ ରହିଥିବା ବେଳେ ବାର୍ଷିକ ଆୟ ହେଉଛି ମାତ୍ର ୧ ଲକ୍ଷ ୪୮ ୨୦୦ଟଙ୍କା । ସମଲେଶ୍ୱରୀ ମନ୍ଦିର ପରିସରରେ ୨୩ଟି ଦୋକାନ ଗୃହରୁ ବାର୍ଷିକ ଆୟ ମାତ୍ର ୧ ଲକ୍ଷ ୩୦ ହଜାର ୨୦୦ ଟଙ୍କା ଥିବା ବେଳେ ପାଟଣେଶ୍ୱରୀ ମନ୍ଦିର ପରିସରରେ ରହିଥବା ୨ଟି ଦୋକାନ ଗୃହରୁ ବାର୍ଷିକ ୧୪ ହଜାର ୪୦୦ ଟଙ୍କା ଆୟ ହେଉଛି । ଡେଲିମାର୍କେଟ ରୋଡରେ ରହିଥିବା ୨୪ଟି ଦୋକାନ ଗୃହରୁ ମାତ୍ର ୧ ଲକ୍ଷ ୭୭ ହଜାର ୬୦୦ ଟଙ୍କା ଆଦାୟ ହେଉଛି । ସେହିପରି ରାଜଶ୍ରୀ ମାର୍କେଟର ୩୭ଟି ଦୋକାନ ଗୃହରୁ ୩ ଲକ୍ଷ ୧୮ ହଜାର ୬୦୦ଟଙ୍କା ଆଦାୟ ହେଉଛି । ସିନେମାହଲ ରୋଡର ୩୩ଟି ଦୋକାନ ଗୃହରୁ ୨ ଲକ୍ଷ ୫୪ ହଜାର ୪୦୦ ଟଙ୍କା ଓ ରାଜଶ୍ରୀ ଧର୍ମଶାଳାର ୮ଟି କୋଠରୀରୁ ୪୮ ହଜାର ଟଙ୍କା ଏହିଭଳି ସର୍ବମୋଟ ବାର୍ଷିକ ୧୦ ଲକ୍ଷ ୯୧ ହଜାର ୪୦୦ ଟଙ୍କା ଆଦାୟ ହେଉଛି । ଏହିସବୁ ମୋଟ ୧୩୮ଟି ଦୋକାନ ଗୃହ ବଲାଙ୍ଗିର ଦେବୋତ୍ତର ବିଭାଗ ଅଧୀନରେ ରହିଛି । ଏହି ୧୩୮ଟି ଦୋକାନ ଗୃହକୁ ଶାଗମାଛ ଦରରେ ଭଡା ଦିଆଯାଇ ବଲାଙ୍ଗିର ଦେବୋତ୍ତର ବିଭାଗର ପ୍ରାୟ ୧୨ରୁ ୧୫ କୋଟି ଟଙ୍କା ରାଜସ୍ୱ କ୍ଷତି କରାଯାଇଥିବା ଅଭିଯୋଗ ଆଣାଯାଇଛି । ଯେଉଁ ୧୦ ଲକ୍ଷ ୯୧ ହଜାର ୪୦୦ ଟଙ୍କା ବାର୍ଷିକ ହାରରେ ଭଡା ସୂତ୍ରରେ ଦେବୋତ୍ତର ବିଭାଗକୁ ମିଳିଛି ତାକୁ ମଧ୍ୟ ମନ୍ଦିର ଗୁଡିକର ରକ୍ଷାଣାବେକ୍ଷଣ ପାଇଁ ଖର୍ଚ୍ଚ କରାଯାଉ ନାହିଁ ଫଳରେ ମନ୍ଦିର ଗୁଡିକର ଅବସ୍ଥାରେ ଅବନତି ଘଟିଛି । ଗତ ଡିସେମ୍ବର ମାସ ବିଧାନସଭା ଅଧିବେଶନରେ ବିଧାୟକ ମୁକଶେ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ଦେବୋତ୍ତର କମିଶନର ସମଲେଶ୍ୱରୀ ମନ୍ଦିର ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା କହିବା ସଙ୍ଗେ କୌଣସି ଏକ୍ସନ ପ୍ଲାନ ସରକାରଙ୍କ ହସ୍ତଗତ ହୋଇନଥିବା କହିଥିଲେ । ମନ୍ତ୍ରୀଙ୍କ ଏଭଳି ଉତ୍ତରରେ ବଲାଙ୍ଗିରବାସୀ କ୍ଷୁବ୍ଧ ହୋଇଥିଲେ ବୋଲି ସମ୍ବାଦିକ ସମ୍ମିଳନୀରେ ବସିଥିବା ନେତୃବୃନ୍ଦ କହିବା ସଙ୍ଗେ ମଞ୍ଜୁର କରାଯାଇଥିବା ୧୦ ଲକ୍ଷ ଟଙ୍କା କୁଆଡେ ଗଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ମନ୍ଦିର ଗୁଡିକ ପାଇଁ ଉଦ୍ଦିଷ୍ଟ ଜମି ଜବରଦଖଲ ହୋଇଥିବା ମଧ୍ୟ ଅଭିଯୋଗ ଆଣିଥିଲେ । ଏଭଳି ଅବସ୍ଥାରେ ବଲାଙ୍ଗିରବାସୀ ଅନ୍ଦୋଳନକୁ ଓହ୍ଲାଇବା ବ୍ୟତୀତ ଅନ୍ୟ ରାସ୍ତା ନାହିଁ ବୋଲି ମଧ୍ୟ ସେମାନେ ପ୍ରକାଶ କରିଥିଲେ । ରାଜ୍ୟର ଦେବାଦେବୀ ପୀଠଗୁଡିକୁ ସରକାର ଧ୍ୟାନ ଦେଇ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ବେଳେ ବଲାଙ୍ଗିର ପାଇଁ କାହିଁକି ଅବହେଳା କରାଯାଉଛି ବୋଲି ସେମାନେ ପ୍ରଶ୍ନ କରିଥିଲେ ।

Leave A Reply

Your email address will not be published.