ନରସିଂହଙ୍କ ଅଚାନକ ମଣ୍ଡି ପରିଦର୍ଶନ : ଚାଷୀଙ୍କୁ ଲୁଟ କରୁଛନ୍ତି ଅଧିକାରୀ ଓ ମିଲ୍ ମାଲିକ, ଧାନକିଣା ଦୁର୍ନୀତିରେ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତେ ସାମିଲ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଚାନକ ସ୍ଥାନୀୟ ଚୁଡାପାଲି ସ୍ଥିତ ଧାନ ମଣ୍ଡି ପରିଦର୍ଶନରେ ଯାଇଥିଲେ । ଦିନ ଏଗାରଟା ହୋଇ ସାରିଥିଲେ ସୁଦ୍ଧା ଧାନ ମଣ୍ଡିରେ ମଣ୍ଡି ସଂପାଦକ କିମ୍ବା ସଭାପତି ଅନୁପସ୍ଥିତ ଥିବାରୁ ଧାନ କିଣା କାମ ଆରମ୍ଭ ହୋଇନଥିଲା । ମଣ୍ଡିରେ ଉପସ୍ଥିତ ଥିବା ଡାଟା ଅପରେଟର ବିଧାୟକ ଶ୍ରୀ ମିଶ୍ରଙ୍କ ପ୍ରଶ୍ନର ଗୋଟିଏ ମଧ୍ୟ ଉତ୍ତର ଦେଇପାରି ନଥିିଲେ । ସେଠାରେ ଦେଖା ଯାଇଥିଲା ଡିସେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ମଣ୍ଡିରେ ଧାନ କିଣା ରେଜିଷ୍ଟରରେ କୌଣସି ତଥ୍ୟ ଲେଖାଯାଇ ନଥିଲା । ଆହୁରି ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ୧୫ ତାରିଖ ପର୍ଯ୍ୟନ୍ତ ଧାନ କିଣା ତାଲିକାରେ ଯେତେ ଚାଷୀ ଧାନ ବିକିଛନ୍ତି, ସେ ସବୁ ଏଫଏକ୍ୟୁ ମାନର ଧାନ ବୋଲି ଲିପିବଦ୍ଧ କରାଯାଇଛି । କିନ୍ତୁ ଅନୁଧ୍ୟାନ ତଥା ଉପସ୍ଥିତ ଚାଷୀଙ୍କୁ ଶ୍ରୀ ମିଶ୍ର ପଚାରିବା ବେଳେ କ୍ୱିଣ୍ଟାଲ ପିଛା ୪ କେଜି କଟନି ହେଉଥିବା ସ୍ପଷ୍ଟ ଅଭିଯୋଗ କରିଥିଲେ । ଧାନର ମାନ ତର୍ଜମା କରୁଥିବା ଅଧିକାରୀ ଜଣକ ମାନ ନିର୍ଦ୍ଧାରଣ ଯନ୍ତ୍ର ବିଷୟରେ ଯଦିଓ କିଛି ତଥ୍ୟ ଦେଇଥିଲେ, କିନ୍ତୁ ତାହା ସନ୍ତୋଷ ଜନକ ନଥିଲା । ଏପରିକି ସେଠାରେ ଥିବା ବିଭିନ୍ନ ଯନ୍ତ୍ର ପରୀକ୍ଷା ସମୟରେ ସେସବୁ ଥରେ ମଧ୍ୟ ବ୍ୟବହାର ହୋଇ ନଥିବା ଦେଖିବାକୁ ମିଳିଥିଲା । ଏମାସ ୪ ତାରିଖରୁ ଆରମ୍ଭ ହୋଇଥିବା ମଣ୍ଡିକୁ କେବଳ ଥରେ ଲେଖାଏଁ ଡିଆରସିଏସ୍ ଓ ଏଆର୍ସିଏସ ଆସିଥିବା ବେଳେ ରେଜିଷ୍ଟର୍ରେ ତାଙ୍କର ସ୍ୱାକ୍ଷର ମଧ୍ୟ ଦେଖିବାକୁ ମିଳି ନଥିଲା । ଯଦିଓ ଧାନକିଣା ନୟମାବଳି ହିସାବରେ ଯଦି ଧାନ ଏଫଏକ୍ୟୁ ମାନର ନଥିବ, ତେବେ ତାକୁ ମଣ୍ଡି ଅଧିକାରୀ ଏଫଏକ୍ୟୁରେ ପରିବର୍ତ୍ତନ କରି କିଣିବା କଥା । କିନ୍ତୁ ମଣ୍ଡିରେ ଏପରି କୌଣସି ମେସିନ ନଥିବା ଖୋଦ୍ ମଣ୍ଡି କର୍ମଚାରୀ ସ୍ୱୀକାର କରିଥିଲେ । ମଣ୍ଡି କର୍ମଚାରୀଙ୍କ କହିବା ଅନୁସାରେ ଧାନ ବସ୍ତା ଓଜନ ହିସାବରେ ଟଙ୍କା ଦିଆଯାଉଛି । କିନ୍ତୁ ସେ ସମ୍ବନ୍ଧୀୟ କୌଣସି ଲିଖିତ ବିବରଣୀ ନଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଥିଲେ । ନିୟମାନୁସାରେ ନାମ ମାତ୍ର ଚାଷୀ ବା କ୍ଷୁଦ୍ର ଚାଷୀଙ୍କ ଧାନ ପ୍ରଥମେ କିଣା ଯିବା କଥା । କିନ୍ତୁ ଏହି ମଣ୍ଡିରେ ପ୍ରଥମେ କେବଳ ବୃହତ ଚାଷୀଙ୍କ ଧାନ କିଣା ଯାଉଥିବା ବେଳେ କାଁ ଭାଁ କ୍ଷୁଦ୍ର ଚାଷୀଙ୍କ ଠାରୁ ଧାନ କିଣା ଯାଉଥିବା ଜଣା ପଡିଥିଲା, ଯାହାକି ଧାନ କିଣାରେ ଦୁର୍ନୀତି ସ୍ପଷ୍ଟ ବାରି ହେଉଥିବା ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଚାଷୀ ଅଭିଯୋଗ କରୁଥିବା ୪ କେଜି କଟ୍ନି ଧାନ ମଣ୍ଡିର ଗୋଦାମ ଘରେ ଗଚ୍ଛିତ ଥିବା ଦେଖା ଯାଇଥିଲା । ଏପରିକି କୌଣସି ଚାଷୀ ମଧ୍ୟ ସେ ସବୁ ଧାନ ତାଙ୍କର ବୋଲି ଦାବୀ କରି ନଥିଲେ । ଅଚାନକ ପରିଦର୍ଶନ ସରିବାର କିଛି ସମୟ ପୂର୍ବରୁ ଗୋପବନ୍ଧୁ ସହୁ ଉପସ୍ଥିତ ହୋଇ ଧାନ କିଣା ରେଜିଷ୍ଟରରେ ଏଆରସିଏସ ଓ ଡିଆରସିଏସ ତଥା ପର୍ଚେଜ୍ ସ୍ଲିପ୍ରେ ଚାଷୀଙ୍କ ଦସ୍ତଖତ ଅଛି ବୋଲି କରିଥିବା ଦାବୀ ରେଜିଷ୍ଟର ଦେଖିଲା ବେଳେ ମିଛ ବୋଲି ପ୍ରମାଣିତ ହୋଇଥିଲା । ଧାନ କିଣା ନୀତି ଅନୁସାରେ ମଣ୍ଡିରେ ଚାଷୀ ଏବଂ ମଣ୍ଡି କର୍ମଚାରୀ ବ୍ୟତୀତ କୌଣସି ତୃତୀୟ ପକ୍ଷ ରହିବେ ନାହିଁ ଏବଂ ଜିଲ୍ଲା ସ୍ତରୀୟ ଧାନ କିଣା ବୈଠକରେ ମଣ୍ଡିରେ ସିସି କ୍ୟାମେରା ଲଗାଇଥିବା ନିଷ୍ପତ୍ତି ହୋଇଥିଲା । କିନ୍ତୁ ମଣ୍ଡିରେ ସିସି ଟିଭିର ଦେଖା ନଥିଲା । ତା’ ବ୍ୟତୀତ ବେଆଇନ ଭାବେ ମଣ୍ଡିରେ ମିଲ ମାଲିକମାନେ ଧାନ କିଣା ସମୟରେ ଉପସ୍ଥିତ ରହିଥିବା ପ୍ରମାଣ ମିଲିଥିଲା । ସମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ବେଳେ ଶ୍ରୀ ମିଶ୍ର କହିଥିଲେ ରାଜ୍ୟରେ ଧାନକିଣା ଏକ ମହା ଦୁର୍ନୀତିରେ ପରିଣତ ହୋଇଛି । ଏଥିରେ ତୃତୀୟ ମହଲାରୁ ତଳ ପର୍ଯ୍ୟନ୍ତ ସମସ୍ତ ଅଧିକାରୀମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି । ଏ ଦୁର୍ନୀତି ଓ ଶୋଷଣ ବିରୁଦ୍ଧରେ ସରକାର ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ନଚେତ ଚାଷୀ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି ।