ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତରେ ମନରେଗା ଯୋଜନାରେ ଦୁର୍ନୀତି ସୀମା ଟପିଲା

  • ଚେକଡେମ ଭିତରେ ଷ୍ଟପଡେମ ନାମରେ ଦୁର୍ନୀତି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜଳ ସଂରକ୍ଷଣ, ଚାଷ ଜମିକୁ ଜଳସେଚନ ଓ ଗ୍ରୀଷ୍ମ କାଳରେ ଲୋକଙ୍କ ଜଳ ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ସରକାରଙ୍କ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବିଭିନ୍ନ ଜଳଉତ୍ସରେ ଷ୍ଟପଡେମ ନିର୍ମାଣ କରାଯାଉଛି । ମାତ୍ର ଏହି ଷ୍ଟପଡେମ ନିର୍ମାଣ କାର୍ଯ୍ୟରେ ବିଭାଗୀୟ ଯନ୍ତ୍ରୀ ଓ ସରପଞ୍ଚ ଏବଂ ଗାଁ ସାଥି ମିଶି ବ୍ୟାପକ ଦୁର୍ନୀତି କରି ଅନୁଦାନ ହଡପ କରି ନେଉଥିବା ଅଭିଯୋଗ ହୋଇଛି । ଫଳରେ ସରକାରଙ୍କ ଏହି ଲୋକାଭିମୁଖୀ ଯୋଜନା ଲକ୍ଷ୍ୟଚ୍ୟୁତ ହେବା ଭଳି ମନେହେଉଛି । ଏଭଳି କିଛି ଅଭିଯୋଗ ଆଣିଛନ୍ତି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ଚାଉଲବାଞ୍ଜି, ଡମନିମାଲ ଏବଂ ବନମାଲ ଗ୍ରାମବାସୀ । ନିର୍ମାଣାଧୀନ ଷ୍ଟପଡ୍ୟାମ ମାନଙ୍କରେ ଦୁର୍ନୀତି ଗନ୍ଧ ବାରି ହୋଇପଡୁଛି । ମହରାପଦର ପଞ୍ଚାୟତ ଅନ୍ତର୍ଗତ ତିନୋଟି ଗ୍ରାମ ଚାଉଲବାଞ୍ଜି, ଡମନିମାଲ ଏବଂ ବନମାଲକୁ ସଂଯୋଗ କରିଛି ଗୋଟିଏ ନାଳା, ସେହି ନାଳାରେ ମନରେଗା ଯୋଜନାରୁ ୨୦୨୪ -୨୫ ଆର୍ଥିକ ବର୍ଷରେ ଷ୍ଟପଡେମ ତିଆରି ହେଉଛି । ଏହି କାର୍ଯ୍ୟକୁ କରୁଥିବା ଜନ ପ୍ରତିନିଧି ତଥା ବିଭାଗୀୟ ଅଧିକାରୀ ମାନେ ସମସ୍ତ ସରକାରୀ ନୀତି ନିୟମ ଉଲ୍ଲଙ୍ଘନ କରି ଓ ଏଷ୍ଟିମେଟ ଅନୁଯାୟୀ କାର୍ଯ୍ୟ ନକରି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରି ଆସୁଥିବା ଅଭିଯୋଗ ହେଉଛି । ବିଭାଗୀୟ ଏଷ୍ଟିମେଟ ଅନୁଯାୟୀ ଗୋଟିଏ ଷ୍ଟପ ଡ୍ୟାମ ୮୦ ହଜାର ଅଟକଳ ବ୍ୟୟରେ ତିଆରି ହେବା କଥା କିନ୍ତୁ ତାହା ଏତେ ନିମ୍ନମାନର ତିଆରି ହେଉଛି ଯାହା ଫଳରେ ଏହାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଗାମୀ ବର୍ଷାରେ ଷ୍ଟପଡ୍ୟାମଟି ଧୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । କାର୍ଯ୍ୟସ୍ଥଳରେ ବିଭାଗୀୟ ଯନ୍ତ୍ରୀ କିମ୍ବା ବିଭାଗୀୟ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବାର ନିୟମ ରହିଥିଲେ ସୁଦ୍ଧା ଯନ୍ତ୍ରୀ କିମ୍ବା ଅଧିକାରୀ କାର୍ଯ୍ୟସ୍ଥଳକୁ ଆସୁନଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଯନ୍ତ୍ରୀଙ୍କୁ ଫୋନ କରିବାରୁ ଘଟଣା ବିଷୟରେ ବିଡିଓଙ୍କୁ ଅଭିଯୋଗ କରନ୍ତୁ ତା’ପରେ ତଦାରଖ ହେବ ବୋଲି ପ୍ରକାଶ କରିଥିଲେ । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ତଦନ୍ତ ହେଲା ପରେ ପଦକ୍ଷେପ ନିଆଁ ଯିବ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକିରହିଲା ପଦକ୍ଷେପ ହେବ କି ଶଳା ସୁତୁରା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

Leave A Reply

Your email address will not be published.