ମାନବିକତା ଦେଖାଇଲେ ସମାଜସେବୀ ସୁଶାନ୍ତ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଚାଲିଥାଏ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି । ଜଣେ ବ୍ୟକ୍ତି ଗୁରୁଣ୍ଡି ଗୁରୁଣ୍ଡି ଜିଲ୍ଲାପାଳଙ୍କ ପାଖକୁ ଆସୁଥିଲେ ନିଜର ସମସ୍ୟା ଜଣାଇବା ପାଇଁ । ହଠାତ୍ ତାଙ୍କ ଉପରେ ନଜର ପଡିଲା ସମାଜସେବୀ ସୁଶାନ୍ତ ପଣ୍ଡାଙ୍କର । ଦିବ୍ୟାଙ୍ଗ ଲୋକଟିକୁ ଦେଖି ଶ୍ରୀଯୁକ୍ତ ପଣ୍ଡା ତାଙ୍କ ନିକଟକୁ ଯାଇ ସମସ୍ୟା ବିଷୟରେ ବୁଝିଥିଲେ । ବ୍ୟକ୍ତି ଜଣକ ଥିଲେ କୁଣ୍ଡାଖାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଝିମବାହାଲ ଗ୍ରାମର ସୋମନାଥ ପୋଢ଼ । ପକ୍ଷପାତ ରୋଗରେ ଆକ୍ରାନ୍ତ ହୋଇ ୨ ବର୍ଷ ହେବ ସେ ଆଉ ଚଲାବୁଲା କରି ପାରୁନାହାନ୍ତି । ଘରେ ଏକୁଟିଆ ରୋଜଗାରକ୍ଷମ ହୋଇଥିବାରୁ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାଙ୍କ ପରିବାର । ଏସବୁ ଅସୁବିଧାକୁ ଦେଖି ଉକ୍ତ ଗ୍ରାମର ଦୁଇ ଭାଇ ଧର୍ମେନ୍ଦ୍ର ଓ ଜିତେନ୍ଦ୍ର ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଆସିଥିଲେ । ଏସବୁ ଶୁଣିବା ପରେ ସମାଜସେବୀ ସୁଶାନ୍ତ ପଣ୍ଡା ତୁରନ୍ତ ତାଙ୍କୁ ଧର୍ମେନ୍ଦ୍ରଙ୍କ ସହ ମିଶି ଜିଲ୍ଲାପାଳଙ୍କ ନିକଟକୁ ନେଇ ଘଟଣା ବିଷୟରେ ଅବଗତ କରାଇଥିଲେ । କଥାରେ ଅଛି ଯଦି କୌଣସି ଲୋକ ବଡ ପଦବୀରେ ବସି ସାଧାରଣ ଲୋକର କଷ୍ଟ ଲାଘବ କରି ନପାରିଲା ତେବେ ସେ ପଦବୀ ମୂଲ୍ୟହୀନ । ଜିଲ୍ଲାପାଳଙ୍କୁ ଦେଖନ୍ତୁ ସୋମନାଥଙ୍କ ସମସ୍ୟା ବୁଝିବାକୁ ତାଙ୍କୁ ବେଶୀ ସମୟ ଲାଗିଲା ନାହିଁ । ମାତ୍ର କେଇ ସେକେଣ୍ଡରେ ନିଷ୍ପତି ନେଇଗଲେ । ତୁରନ୍ତ ତାଙ୍କୁ ଏକ ହ୍ୱିଲଚେୟାର ପ୍ରଦାନ କରି ୨ ଦିନ ଭିତରେ ଭତ୍ତା କରିଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନେକ ସମୟରେ ଗଣମାଧ୍ୟମରେ ଜୋର୍ ସୋର ହାଲ୍ଲା ହୁଏ ଯେ ଅଧିକାରୀମାନେ ଜନତାଙ୍କ ସମସ୍ୟା ପ୍ରତି ଅଣଦେଖା କରନ୍ତି । କିନ୍ତୁ ଆଜି ମାତ୍ର ୨ ମିନିଟ୍‌ରେ ଜିଲ୍ଲାପାଳ ମହୋଦୟ ସୋମନାଥଙ୍କ ସମସ୍ୟା ବୁଝିବା ସହ ତାହାର ସମାଧାନ କରିଦେଲେ । କଥାରେ ଅଛି କହି ଜାଣିଲେ ସବୁ ସମସ୍ୟାର ସମାଧାନ ହୋଇଯାଏ । ଝିମବାହାଲ ଗ୍ରାମର ଦୁଇ ଯୁବକ ଧର୍ମେନ୍ଦ୍ର ଓ ଜିତେନ୍ଦ୍ରଙ୍କ ପରିଶ୍ରମ, ସମାଜସେବୀ ସୁଶାନ୍ତ ପଣ୍ଡାଙ୍କ କେଇପଦ କଥା ଆଉ ଜିଲ୍ଲାପାଳ ମହୋଦୟଙ୍କ ଛୋଟିଆ ନିର୍ଦ୍ଦେଶ ଆଜି ସୋମନାଥଙ୍କ ସମସ୍ୟା ଦୂର କରିବା ସହ ତାଙ୍କ ଓଠରେ ହସ ଭରି ଦେଇଛି । ଏଭଳି ପ୍ରୟାସ ଆପଣମାନେ ବି କରି ପାରିବେ । କାହା ଆଖିରୁ ଲୁହ ପୋଛିବା ପାଇଁ ଆଉ କାହା ଓଠରେ ହସ ଭରିବା ପାଇଁ ପଇସା ଖର୍ଚ୍ଚ ହୁଏ ନାହିଁ, କେବଳ ଏକ ପ୍ରୟାସ ଦରକାର ।

Leave A Reply

Your email address will not be published.