ଜାତିସଂଘ ମାନବାଧିକାର ପରିଷଦରେ ସ୍ୱିଜରଲ୍ୟାଣ୍ଡକୁ ଦୃଢ଼ ଜବାବ ଦେଲା ଭାରତ

• ଭାରତର ସଂଖ୍ୟାଲଘୁଙ୍କ ବିଷୟରେ କହିବା ପରିବର୍ତ୍ତେ ସ୍ୱିଜରଲ୍ୟାଣ୍ଡ ନିଜ ଦେଶର ବର୍ଣ୍ଣବୈଷମ୍ୟ ସମସ୍ୟା ପ୍ରତି ଧ୍ୟାନ ଦେଉ : ଭାରତୀୟ ପ୍ରତିନିଧି

ନୂଆଦିଲ୍ଲୀ, (ପିଆଇବି) : ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଭାରତରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ବ୍ୟବହାର ସମ୍ପର୍କରେ ସ୍ୱିଜରଲ୍ୟାଣ୍ଡର ପ୍ରତିନିଧି ମନ୍ତବ୍ୟ ଦେବା ପରେ ଭାରତ କଡ଼ା ଜବାବ ଦେଇଛି । ‘‘ସଂଖ୍ୟାଲଘୁଙ୍କ ସୁରକ୍ଷା’’ ପାଇଁ ସ୍ୱିଜରଲ୍ୟାଣ୍ଡ ଭାରତକୁ ପରାମର୍ଶ ଦେବା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଦିଆଯାଇଛି । ଭାରତ ଏହି ୟୁରୋପୀୟ ଦେଶକୁ ନିଜ ମାଟିରେ ଥିବା ବ୍ୟାପକ ଭେଦଭାବ ସମସ୍ୟା ସମ୍ପର୍କରେ ସ୍ମରଣ କରାଇ ଦେଇଛି । ଜେନେଭାସ୍ଥିତ ଜାତିସଂଘ ମାନବାଧିକାର ପରିଷଦଠାରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ଆମେ ଏକ ଘନିଷ୍ଠ ବନ୍ଧୁ ଏବଂ ସହଯୋଗୀ ରାଷ୍ଟ୍ର ସ୍ୱିଜରଲ୍ୟାଣ୍ଡ ଦ୍ୱାରା ଦିଆଯାଇଥିବା ଆଶ୍ଚର୍ଯ୍ୟଜନକ, ତୁଚ୍ଛ ଏବଂ ଭୁଲ ସୂଚନାପୂର୍ଣ୍ଣ ମନ୍ତବ୍ୟର ମଧ୍ୟ ଜବାବ ଦେବାକୁ ଚାହୁଁଛୁ । ଯେହେତୁ ସ୍ୱିଜରଲ୍ୟାଣ୍ଡ ଜାତିସଂଘ ମାନବାଧିକାର ପରିଷଦର ଅଧ୍ୟକ୍ଷତା କରୁଛି, ସେଥିପାଇଁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭାରତର ବାସ୍ତବତା ସହ ନ୍ୟାୟ କରୁନଥିବା ଏଭଳି ମନଗଢ଼ା କାହାଣୀ କହି ପରିଷଦର ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ଏହା ଅଧ୍ୟକ୍ଷତା କରୁଥିବା ଦେଶ ପାଇଁ ଅତ୍ୟନ୍ତ ଜରୁରୀ। ଏଭଳି କରିବା ପରିବର୍ତ୍ତେ ସ୍ୱିଜରଲ୍ୟାଣ୍ଡ ବର୍ଣ୍ଣବୈଷମ୍ୟ, ବ୍ୟବସ୍ଥିତ ଭେଦଭାବ ଏବଂ ବିଦେଶୀ ଦ୍ୱେଷ ଭଳି ନିଜ ଦେଶର ସମସ୍ୟା ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ବିଶ୍ୱର ସବୁଠୁ ବଡ଼, ସର୍ବାଧିକ ବିବିଧ ଏବଂ ସକ୍ରିୟ ଗଣତନ୍ତ୍ର ରୂପରେ ଭାରତରେ ସଭ୍ୟତାଗତ ଭାବେ ବହୁଳତାବାଦ ସମାବିଷ୍ଟ ହୋଇ ରହିଛି । ତେଣୁ ସ୍ୱିଜରଲ୍ୟାଣ୍ଡର ନିଜସ୍ୱ ସମସ୍ୟା ସମାଧାନ କରିବାରେ ସହଯୋଗ କରିବା ଲାଗି ଭାରତ ପ୍ରସ୍ତୁତ ରହିଛି ବୋଲି ଭାରତର ପ୍ରତିନିଧି କହିଛନ୍ତି । ସୂଚନାଯୋଗ୍ୟ, ଜାତିସଂଘରେ ସ୍ୱିଜରଲ୍ୟାଣ୍ଡ ପ୍ରତିନିଧି ଭାରତକୁ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା, ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଗଣମାଧ୍ୟମର ସ୍ୱାଧୀନତାକୁ ବଜାୟ ରଖିବା ଭଳି ଅହେତୁକ ପରାମର୍ଶ ଦେବା ପରେ ଭାରତ ଏହାର ଦୃଢ଼ ପ୍ରତିକ୍ରିୟା ରଖିଛି ।

Leave A Reply

Your email address will not be published.