oom

ଚନ୍ଦନଭାଟିରେ ମମିତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଓ ପ୍ରତିବାଦ ସଭାରେ ଯୋଗଦେଲେ ନରସିଂହ : ମମିତାଙ୍କ ପରିବାର ନ୍ୟାୟ ପାଇବା ପର୍ଯ୍ୟନ୍ତ ଲଢେଇ ହେବ – ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ସ୍ଥିତ ଚନ୍ଦନଭାଟି ପଞ୍ଚାୟତର ଆଞ୍ଚଳିକ ଭୁଲିଆ ସମାଜ ତରଫରୁ ସ୍ୱର୍ଗତ ମମିତା ମେହେରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେବା ସହ ଏକ ପ୍ରତିବାଦ ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ଭୁଲିଆ ସମାଜ ଚନ୍ଦନଭାଟିର ସଭାପତି ମେଘରାଜ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ସ୍ୱର୍ଗତ ମମିତା ମେହେରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ମର୍ମରେ ସେ କହିଥିଲେ ମମିିତା ମେହେର ହତ୍ୟାକାଣ୍ଡ ବର୍ତ୍ତମାନ ଜିଲ୍ଲାରୁ ରାଜ୍ୟ ଓ ରାଜ୍ୟରୁ ଯାଇ ଜାତୀୟ ସ୍ତରରେ ଚାଞ୍ଚଲ୍ୟ ସୃଷ୍ଟି କଲାଣି । ହତ୍ୟକାଣ୍ଡ ଘଟଣାମାନଙ୍କର ତର୍ଜମା କଲେ ଏହି ହତ୍ୟାକାଣ୍ଡଟି ଅତି ଲୋମହର୍ଷଣକାରୀ, ନୃଶଂସ ତଥା ଏକ ବିରଳ ହତ୍ୟାକାଣ୍ଡ ବୋଲି ସାରା ଦେଶର ଲୋକେ କହୁଛନ୍ତି । ସନ୍‌ସାଇନ ଶିକ୍ଷାନୁଷ୍ଠାନର ଅଧ୍ୟାପିକା ଥିବା ମମିତା ମେହେର ହତ୍ୟାକାଣ୍ଡରେ ଖୋଦ୍‌ କଲେଜର ସଭାପତି ତଥା ମାଲିକ ଗୋବିନ୍ଦ ସାହୁ ଜଡିତ ଥିବେ ବୋଲି ପ୍ରଥମେ କେହି ବିଶ୍ୱାସ କରୁନଥିଲେ । କିନ୍ତୁ ଅତି ଜଘନ୍ୟ ଭାବରେ ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରି ସାରିବା ପରେ ଖଣ୍ଡ ଖଣ୍ଡ କରି କାଟି ପୋଡିଦେବା ପରେ ମାଟିରେ ପୋତିଦେବା ଏହି ହତ୍ୟା ଘଟଣାକୁ ଏକ ବିରଳ ହତ୍ୟାକାଣ୍ଡ ରୂପେ ଲୋକଲୋଚନକୁ ଆଣିଛି । ଏହି ଘଟଣାରେ କେବଳ ଗୋବିନ୍ଦ ସାହୁ ନୁହେଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବାର ପ୍ରମାଣ ମିଳୁଛି, କିନ୍ତୁ ସରକାରଙ୍କ ଚାପରେ ହେଉ କିମ୍ବା ଅନ୍ୟ କିଛି ହେଉ ପୋଲିସ ତଦନ୍ତ ଠିକ୍‌ ବାଟରେ ଯାଉନାହିଁ । ଦେଖାଯାଉଛି ତଦନ୍ତ ଯେପରି ଯାଉଛି ଯାହା କିଛି ବି ପ୍ରମାଣ ଅଛି ସେ ସବୁ ନଷ୍ଟ ହୋଇଯିବ । ତେଣୁ ଆଜି ସାରା ରାଜ୍ୟରେ ଲୋକେ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ପାଇଁ ସ୍ୱର ଉଠେଇବା ସହ ଏହା ନିରପେକ୍ଷ ତଦନ୍ତ ପାଇଁ ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମିଶ୍ର ତୁରନ୍ତ ଇସ୍ତଫା ଦେଇ ମାନ୍ୟବର ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଆଇଟି ଏହାର ତଦନ୍ତ କରୁ ବୋଲି ଦାବୀ ଉଠୁଛି । ତେଣୁ ସରକାର ଯେତେ ଶୀଘ୍ର ହେବ ଏହାର ଏସ୍‌ଆଇଟି ତଦନ୍ତ କରାନ୍ତୁ ନଚେତ ରାଜ୍ୟର ମା’ ଓ ଭଉଣୀମାନେ ଆଗାମୀ ଦିନରେ ଏପରି ନାରୀ ନିର୍ଯ୍ୟାତନାକାରୀ, ନାରୀ ହତ୍ୟାକାରୀ ସରକାରଙ୍କୁ ଉଚିତ ଜବାବ ଦେବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ଆଜିର ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଚନ୍ଦନଭାଟିର ସରପଞ୍ଚ ମୀନାକୁମାରୀ ଭୋଇ, ବଳରାମ ମେହେର, ଲିଙ୍ଗରାଜ ମେହେର, କପିଳେଶ୍ୱର ପାଣିଗ୍ରାହୀ, ସଂର୍କିତ୍ତନ ମେହେର, ଟୁନା ପାଣିଗ୍ରାହୀ, ନରେନ୍ଦ୍ର ମେହେର ଏବଂ ଅଜିତ ଦଲେଇଙ୍କ ସମେତ ସହଶ୍ରାଧିକ ଜନସାଧାରଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.