ବଲାଙ୍ଗିର, (କେପିଏନ୍ଏସ୍) : ଜାଲ୍ ସାର୍ଟିଫିକେଟ୍ ମାମଲାରେ ଏବେ ପଶିପାରେ ସିବିଆଇ । ଡାକ ବିଭାଗରେ ଚାକିରି ଆବଦେନକାରୀଙ୍କୁ ନକଲି ସାର୍ଟିଫିକେଟ୍ ଘଟଣାର ତଦନ୍ତ ପାଇଁ ଡାକ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିବା ଜଣାପଡିଛି । ବଲାଙ୍ଗିର ଡାକ ବିଭାଗରେ ଚାକିରି ଆଶାୟୀଙ୍କ ସାର୍ଟିଫିକେଟ୍ ଭେରିଫିକେସନ୍ ସମୟରେ ସାମ୍ନାକୁ ଆସିଥିଲା ନକଲି ସାର୍ଟିଫିକେଟ୍ କେଳେଙ୍କାରୀ । ବଲାଙ୍ଗିର ଡାକ ବିଭାଗ ପକ୍ଷରୁ ନକଲି ସାର୍ଟିଫିକେଟ୍ ଦେଇ ଚାକିରି ଆବେଦନ କରିଥିବା ୩୮ ଜଣଙ୍କ ଏକ ଲମ୍ବା ତାଲିକା ସହ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରାଯାଇଥିଲା । ବଲାଙ୍ଗିର ଏସ୍ପିଙ୍କ ନିର୍ଦ୍ଦେଶରେ ମାମଲାର ମାଷ୍ଟ ମାଇଣ୍ଡ କୁହାଯାଉଥିବା ମନୋଜ ମିଶ୍ର, ସହଯୋଗୀ ଆଲୋକ ଉଦ୍ଗାତାଙ୍କ ସହ ୧୭ ଜଣ ଜାଲ୍ ସାର୍ଟିଫିକେଟ୍ଧାରୀଙ୍କୁ ଗିରଫ କରାଯିବା ସଙ୍ଗେ ସଙ୍ଗେ ଜେଲ୍ ହାଜତ୍କୁ ପଠାଯାଇଥିଲା ଏବଂ ତନାଘନା ତଦନ୍ତ ଆରମ୍ଭ ହୋଇଥିଲା । ଏତିକି ବେଳେ ଏଥିରେ ରାଜନୈତିକ ଦଳର ସଂପୃକ୍ତ ନେଇ ଚର୍ଚ୍ଚା ଜୋର୍ ଧରିବା ପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ମାମଲାକୁ କ୍ରାଇମବ୍ରାଂଚ ହାତକୁ ନେଇ ବଲାଙ୍ଗିରରେ ଡେରା ପକାଇଥିଲା କ୍ରାଇମବ୍ରାଂଚ । ଏହାପରେ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର, ଅଲୋକ ଉଦ୍ଗାତା ଏବଂ ଜାଲ୍ ସାର୍ଟିଫିକେଟ୍ଧାରୀ ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡେକଙ୍କୁ କ୍ରାଇମବ୍ରାଂଚ ତିନିଦିନ ପାଇଁ ରିମାଣ୍ଡରେ ଆଣି ସେମାନଙ୍କ ଠାରୁ ଅନେକ ତଥ୍ୟ ହାସଲ କରିବା ପରେ ଏବେ ଜୋର୍ଜାର୍ ଖୋଲ୍ତାଡ ଜାରି ରହିଛି । ଏ ଭିତରେ ୭ ଜଣଙ୍କୁ ଉଠାଇ ତନାଘନା ପଚରା ଉଚୁରା କରୁଛି କ୍ରାଇମବ୍ରାଂଚ । ଅନ୍ୟପକ୍ଷରେ ଆଖପାଖ ଦୁଇ ଶହ ଜଣଙ୍କ ଏକ ଲମ୍ବା ତାଳିକା ପ୍ରସ୍ତୁତ କରି ମାମଲାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କ୍ରାଇମବ୍ରାଂଚ ତଦନ୍ତକୁ କଡାକଡି କରିଥିବା ବେଳେ ଡାକ ବିଭାଗ ପକ୍ଷରୁ ଆନ୍ତଃରାଜ୍ୟ ସଂପୃକ୍ତି ଯୋଗୁଁ ସିବିଆଇ ତଦନ୍ତ ପାଇଁ ଚିଠି କରାଯାଇଛି । ଏବେ ଡାକ ବିଭାଗର ପୋଷ୍ଟ ମାଷ୍ଟର, ଡେପୁଟି ମାଷ୍ଟର ତଥା ଅନ୍ୟ କର୍ମଚାରୀମାନଙ୍କ ସାର୍ଟିଫିକେଟ ଯାଂଚ ସ୍ପଷ୍ଟ ହୋଇ ଆସୁଥିବା ବେଳେ ଡାକ ବିଭାଗ କର୍ମଚାରୀଙ୍କ ମହଲରେ ଆଶଙ୍କିତ ବାତାବରଣ ଦେଖିବାକୁ ମିଳିଛି ।