ବଲାଙ୍ଗିରରେ ଗଛକଟା ମାମଲା : ଏନ୍ ଜି ଟିର ଗୁରୁତ୍ୱପୂର୍ଣ୍ଣ ରାୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ରାସ୍ତା ପ୍ରଶସ୍ତିକରଣ ନାମରେ ହେଉଥିବା ବ୍ୟାପକ ଗଛକଟା ମାମଲାରେ ଜାତୀୟ ହରିତ ଟ୍ରିବ୍ୟୁନାଲ (ଏନ୍ ଜି ଟି) ର ପୂର୍ବ ଜୋନ ବେଞ୍ଚ ତଥା କୋଲକାତା ବେଞ୍ଚ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମି ଓ ସାମାଜିକ କାର୍ଯ୍ୟକର୍ତ୍ତା ହେମନ୍ତ କୁମାର ପଣ୍ଡାଙ୍କ ଦ୍ୱାରା ଜନହିତରେ ଦାଖଲ କରାଯାଇଥିବା ଆବେଦନ (ଓଏ ନଂ ୧୧୩/୨୦୨୫/ଇ ଜେଡ) ର ବିଚାର କରି ଗତ ୩୦ ଜାନୁଆରୀ ଦିନ ବଲାଙ୍ଗିର ଜିଲ୍ଲା ପାଇଁ ଗୁରୁତ୍ଵପୂର୍ଣ୍ଣ ଚୂଡ଼ାନ୍ତ ରାୟ ପ୍ରଦାନ କରିଛନ୍ତି । ମାମଲାର ବିଚାର କରି ଟ୍ରିବ୍ୟୁନାଲର ନ୍ୟାୟିକ ସଦସ୍ୟ ତଥା ନ୍ୟାୟ ମୂର୍ତ୍ତି ଅରୁଣ କୁମାର ତ୍ୟାଗୀ ଏବଂ ପରିବେଶ ବିଶେଷଜ୍ଞ ଇଶ୍ଵର ସିଂ ଚୁଡ଼ାନ୍ତ ରାୟରେ ଉଲ୍ଲେଖ କରିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାରେ ଅବୈଧ ଗଛକଟାକୁ ରୋକିବା ପାଇଁ ବଲାଙ୍ଗିର ଜିଲ୍ଲାପାଳ, ଡ଼ି ଏଫ୍ ଓ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଚିବ ସତର୍କତାର ସହିତ କାର୍ଯ୍ୟ କରିବେ ଓ ଅବୈଧ ଗଛକଟାର ପ୍ରତିକାର ପାଇଁ ଆଗୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଆବେଦନକାରୀ ଯଦି ନିର୍ଦ୍ଧିଷ୍ଟ ଅଭିଯୋଗ ପୁଣି ଆଣିବେ ତାହାଲେ ଉପରୋକ୍ତ ଅଧିକାରୀମାନେ ଆଇନାନୁ ମୋଦିତ ବିହିତ ପଦକ୍ଷେପ ନେବେ । ମାମଲାର ଆଦେଦନକାରୀ ପଣ୍ଡା କହିଛନ୍ତି ଯେ, ଗତ ୫ ବର୍ଷରେ ସମଗ୍ର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ ୪ ଲକ୍ଷ ୪୫ ହଜାର ଗଛକଟା ଯାଇଥିବା ସୂଚନା ତାଙ୍କୁ ବିଭାଗୀୟ କାର୍ଯ୍ୟାଳୟରୁ ହସ୍ତଗତ ହୋଇଥିଲା । ଏହା ମଧ୍ୟରୁ କେବଳ ରାସ୍ତା ପ୍ରଶସ୍ତିକରଣ ପାଇଁ ୧୫୦୦୦ ରୁ ଉର୍ଦ୍ଧ୍ଵ ଗଛକଟା ଯାଇଥିଲା । ଏହି ଗଛମାନଙ୍କ ମଧ୍ୟରେ ନିମ୍ବ, ପିପଳ, ବଟ, ଆମ୍ବ, ଜାମୁ ଓ ଅଶୋକ ଭଳି ପରିବେଶ ପାଇଁ ଅତ୍ୟନ୍ତ ଉପଯୋଗୀ, ଛାୟା ପ୍ରଦାନକାରୀ, ଜୈବ ବିବିଧତା ଓ ସ୍ଥାନୀୟ ଜଳବାୟୁ ପାଇଁ ଅତ୍ୟନ୍ତ ଆବଶ୍ୟକ ପ୍ରଜାତିର ପୁରୁଣା ଗଛ ରହିଥିଲା । ରାସ୍ତା ପ୍ରଶସ୍ତିକରଣ ପାଇଁ ଜିଲ୍ଲାବ୍ୟାପୀ କଟାଯାଇଥିବା ୧୫୦୦୦ ଗଛକୁ ଆଇନାନୁମୋଦିତ ଭାବେ ବିଭିନ୍ନ ଦିଗକୁ ବିଚାର କରି ସତର୍କତାର ସହିତ ଗଛକଟା ଯାଇଥିଲେ ଏତେ ସଂଖ୍ୟାରେ ଗଛ ବିକାଶ ପାଇଁ ବଳି ପଡ଼ି ନଥାନ୍ତା । ବ୍ୟାପକ ସଂଖ୍ୟାରେ ଗଛକଟାର ପ୍ରଭାବ ସ୍ୱରୂପ ଜିଲ୍ଲାରେ ତାପମାତ୍ରା ବୃଦ୍ଧି, ମୃତ୍ତିକା କ୍ଷୟ, ରାସ୍ତା କଡ଼ରେ ଛାୟାର ଅଭାବ, ପକ୍ଷୀ ଓ ଜୀବଜନ୍ତୁ ସଂଖ୍ୟା କମିବା, ଜୈବ ବିବିଧତାରେ ଅବକ୍ଷୟ ଓ ଗ୍ରାମୀଣ ଜୀବନକୁ ପ୍ରଭାବିତ କରିଛି ବୋଲି ପଣ୍ଡା ତାଙ୍କ ଆବେଦନରେ ଦର୍ଶାଇଥିଲେ । ବିକାଶ ଓ ପରିବେଶ ମଧ୍ୟରେ ସମତୁଲତା ରହିବା ଆବଶ୍ୟକ ବୋଲି ପଣ୍ଡା ଯୁକ୍ତି ଦର୍ଶାଇଥିଲେ । ଏନ୍ ଜି ଟିର ରାୟ ଆସିବା ପରେ ଜିଲ୍ଲା ବ୍ୟାପୀ ରାସ୍ତା ପ୍ରଶସ୍ତିକରଣ ପାଇଁ ଅନ୍ଧାଧୁନିଆ ଓ ଅବିଚାରିତ ଭାବରେ ଗଛକଟାଗଲେ ପଣ୍ଡା ପୁଣି ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

Leave A Reply

Your email address will not be published.