କୋଶଳିଆ ମାଳି ସମାଜର ସାଂଗଠନିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲାଉମୁଣ୍ଡା ମହାଦେବ ମନ୍ଦିର ବିଜେପୁର ସର୍କଲ ଜୋନ୍ ସ୍ତରୀୟ ପଞ୍ଚମ ବୈଠକ ଲାଉମୁଣ୍ଡା ମହାଦେବ ମନ୍ଦିର ପରିସରରେ ମୁକ୍ତା ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବହୁସଂଖ୍ୟକ ମହିଳାଙ୍କ ଯୋଗଦାନ ସଭାର ଶ୍ରୀବୃଦ୍ଧି କରିଥିଲା । ସଂସାର ରଥରେ ଦୁଇଟି ଚକ ମହିଳା ଓ ପୁରୁଷ – ଆମ ସମାଜର କୌଳିକ ବୃତ୍ତିକୁ ଆଗେଇ ନେବା ପାଇଁ ଉଭୟେ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଥିଲା । ଉଦ୍ୟାନକୃଷି ସାମଗ୍ରୀର ଉତ୍ପାଦନ ଓ ବଜାରୀକରଣ ମହିଳା ସମାଜ ଉପରେ ବିଶେଷ ନିର୍ଭରଶୀଳ । ଆଧୁନିକ ଜ୍ଞାନକୌଶଳର ସମ୍ମିଶ୍ରଣ ସହିତ ବ୍ୟାବସାୟିକ ଧାରାର ପରିବର୍ତ୍ତନ ଓ ପରିବର୍ଦ୍ଧନ ନିମନ୍ତେ ଯଦୁମଣି ପଟେଲ ଆହ୍ୱାନ ଦେଇଥିଲେ । ବରିଷ୍ଠ ସଦସ୍ୟ ରଣଜିତ ପଟେଲ ସଂପୂର୍ଣ୍ଣ ନିଶାମୁକ୍ତି ଅଭିଯାନ ଓ ପାରିବାରିକ ଉତ୍ସବ ଅନୁଷ୍ଠାନର ସଂସ୍କାର କ୍ଷେତ୍ରରେ ମହିଳାମାନେ ଅଗ୍ରଣୀ ଭୂମିକା ଗ୍ରହଣ ପୂର୍ବକ ଆଦର୍ଶ କୋଶଳିଆ ମାଳି ସମାଜ ଗଠନ କରିବା ଉପରେ ଗୁରୁତ୍ବ ଦେଇଥିଲେ । ଲୋକପ୍ରିୟ ଓଡ଼ିଶା ସରକାର କୃଷକମାନଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ଉଦ୍ୟାନକୃଷି ଓ ଗୋପାଳନ ଉପରେ ଗୁରୁତ୍ୱ ଦେଉଛନ୍ତି । ଅନ୍ୟ ପକ୍ଷରେ ମାନନୀୟ ଭାରତ ସରକାର କୃଷି ଓ କୃଷକ ବିକାଶ ମନ୍ତ୍ରଣାଳୟ ତରଫରୁ ଏକୀକୃତ ଉଦ୍ୟାନ କୃଷି ମିଶନ (ଏମ୍.ଆଇ.ଡି.ଏଚ୍.) ଆରମ୍ଭ କରିଛନ୍ତି । ଉଦ୍ୟାନ କୃଷିରେ ପଛୁଆ ବରଗଡ଼ ଜିଲ୍ଲା ମଧ୍ୟ ଏଥିରେ ସ୍ଥାନିତ ହୋଇଛି । ଆମେ ଏହାର ସଦୁପଯୋଗ କରିବା ଆବଶ୍ୟକ ବୋଲି ସାମାଜିକ କର୍ମୀ ସୁଶାନ୍ତ ଉଦବୋଧନ ଦେଇଥିଲେ । ଲାଉମୁଣ୍ଡାର ବିଶିଷ୍ଟ କଳାକାର ଦାମୋଦର ପଟେଲ ରାବଣ ଭୂମିକାରେ ଜୀବନ୍ତ ଅଭିନୟ କରି ସୁନାମ ଅର୍ଜନ କରିଥିବାରୁ ସଭାରେ ତାଙ୍କୁ ସମ୍ମାନୀତ କରାଯାଇଛି । ଶ୍ରୀମତୀ କଳ୍ପନା ଓ ଚନ୍ଦନା ପଟେଲଙ୍କୁ ମହିଳା ମଣ୍ଡଳୀର ପ୍ରମୁଖ ଭାବରେ ଅବସ୍ଥାପନ ପୂର୍ବକ ସର୍ବଶ୍ରୀ ନିମାଇଁ, ଗୋକୁଳ, ଦାମୋଦର, ପାଣ୍ଡବ, ଅଶ୍ବିନୀ, ରାଇଧର, ଅନି ଓ ଉପେନ୍ଦ୍ରଙ୍କୁ ନେଇ ଜୋନାଲ କମିଟି ଗଠନ କରାଯାଇଥିଲା ।

Leave A Reply

Your email address will not be published.