ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ପେନ୍ଦିମୁଣ୍ଡାରେ ବଡ଼ ଧୁମ୍ଧାମରେ ଆଜି ଆରମ୍ଭ ହୋଇଯାଇଛି ମକର ଉତ୍ସବ । ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମକର ଉତ୍ସବରେ ୪୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ନେଇ ସୁନାମଧନ୍ୟ ବାଲୁକା ଶିଳ୍ପୀ ଓମ୍ପ୍ରକାଶ ସାହୁଙ୍କ ଦ୍ୱାରା ବାଲୁକା କୃତି ନିର୍ମିତ ହୋଇଥିବା ବେଳେ ଏହାକୁ ଆଜି ଉଦ୍ଘାଟନ କରିଛନ୍ତି ପ୍ରଫେସର ମଧୁସୂଦନ ପତି । ଦର୍ଶକମାନଙ୍କୁ ଆକୃଷ୍ଟ କରୁଥିବା ଏହି ବାଲୁକା କୃତି ବାସ୍ତବରେ ମକର ଉତ୍ସବକୁ ଆହୁରି ଆକର୍ଷଣୀୟ କରିପାରିଛି । ଦୀର୍ଘ ୧୫ ଦିନର କଠିନ ପରିଶ୍ରମରେ ବାଲୁକା ଶିଳ୍ପୀ ଓମ୍ପ୍ରକାଶ ଦଶରଥ ରଣାଙ୍କ ସହଯୋଗରେ ଏହା ପ୍ରସ୍ତୁତ କରିଥିବା କହିଛନ୍ତି ।