ଶ୍ରମିକଙ୍କୁ ସଂଶୋଧିତ ମଜୁରୀ ଓ ଆଉଟସୋର୍ସିଂରେ କାର୍ଯ୍ୟରତ କର୍ମଚାରୀଙ୍କୁ ସର୍ବନିମ୍ନ ୨୫ ହଜାର ଟଙ୍କା ପ୍ରଦାନ କରାଯାଉ : ହିନ୍ଦ୍ ମଜଦୁର ସଭା
ବ୍ରହ୍ମପୁର, (କେପିଏନ୍ଏସ୍) : କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟରେ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରିକୁ ସଂଶୋଧନ କରାଯାଇ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଲାଗି ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତାକୁ ବୃଦ୍ଧି କରାଯାଇଛି । ଏହି ସଂଶୋଧିତ ହାରରେ ରାଜ୍ୟରେ କାର୍ଯ୍ୟରତ ଶ୍ରମିକମାନଙ୍କ ପାରିଶ୍ରମିକ ବୃଦ୍ଧି ମଇ ୧ ତାରିଖ ଶ୍ରମିକ ଦିବସରୁ କାର୍ଯ୍ୟକାରୀ କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଉଟସୋର୍ସିଂରେ ବିଭିନ୍ନ ଦପ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସର୍ବନିମ୍ନ ଦରମା ୨୫ ହଜାର ବୃଦ୍ଧି କରାଯିବା ପାଇଁ ହିନ୍ଦ୍ ମଜଦୁର ସଭା (ଏଚ୍ଏମ୍ଏସ୍) ରାଜ୍ୟ ଉପସଭାପତି ରବି ରଥ ଦାବୀ କରିଛନ୍ତି । ଶ୍ରୀ ରଥ କହିଛନ୍ତି ରାଜ୍ୟରେ ବରିଷ୍ଠ ସରକାରୀ ପଦାଧିକାରୀମାନେ ମାସିକ ପ୍ରାୟ ୫ ଲକ୍ଷ ଟଙ୍କା ପାଉଥିବା ବେଳେ ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ଦାବୀ କରାଯାଉଥିବା ପାରିଶ୍ରମିକ ଅତ୍ୟନ୍ତ ନଗଣ୍ୟ । ସମାନ କାମକୁ ସମାନ ଦରମା କାର୍ଯ୍ୟକାରୀ କରିବା, ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି କରିବା, ସରକାରୀ କର୍ମଚାରୀଙ୍କ ଭଳି ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବା ଇତ୍ୟାଦି ଏଚ୍ଏମ୍ଏସ୍ ପକ୍ଷରୁ ଦାବୀ କରାଯାଇଛି । ଆସନ୍ତା ମଇ ୧ ତାରିଖ ବିଶ୍ୱ ଶ୍ରମିକ ଦିବସ ପାଳନ ଅବସରରେ ସଂଗଠନର ସହବନ୍ଧିତ ସଂଗଠନଗୁଡ଼ିକର ସଦସ୍ୟମାନେ ଯୋଗଦେବାକୁ ନିବେଦନ କରାଯାଇଥିଲା । ସ୍ଥାନୀୟ ନବୀନ ଭବନ ପରିସରରେ ଏଚ୍ଏମ୍ଏସ୍ ସହ ସହବନ୍ଧିତ ସଂଗଠନଗୁଡ଼ିକର ଏକ ଜରୁରୀ ବୈଠକ ରାଜ୍ୟ ସଂଗଠନର ଉପସଭାପତି ରବି ରଥ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଉପରୋକ୍ତ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ବୈଠକରେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ଉପସଭାପତି ସୁକାନ୍ତ ମୁଖୀ, ରାଜ୍ୟ ସଂଗଠନର ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, ଏମକେସିଜି ମେଡିକାଲ କଲେଜ କର୍ମଚାରୀ ସଂଘର ସମ୍ପାଦକ ରାଜୁ ଚିନ୍ନା, ଗଞ୍ଜାମ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ସମ୍ପାଦିକା ରେଣୁପ୍ରିୟା ପାଢ଼ୀ, ଟୁନା ଜେନା, ଲାଲୁ ମୋହନ ବେହେରା, ସନ୍ତୋଷ କୁମାର ପଣ୍ଡିତ, ବିପିନ କୁମାର ନାୟକ, ଜିଇଡି କର୍ମଚାରୀ ସଂଘର ଉତ୍ସବ ସାବତ, ପଦ୍ମ ଚରଣ ନାୟକ, କେଶବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।