ଆର୍‌. ଏସ୍. ଏସ୍. ଏବଂ ଗାଙ୍ଗପୁର ମଜଦୁର ମଞ୍ଚ ପକ୍ଷରୁ ଗଣବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରେକଲା ଇସ୍ପାତ କାରଖାନାରେ ସ୍ୱୀକୃତି ନିର୍ବାଚନ ତୁରନ୍ତ କରାଯିବା ସହ ନିୟମ ଅନୁଯାଇ ସ୍ୱୀକୃତିପ୍ରାପ୍ତ ୟୁନିୟନର ଦାୟିତ୍ୱ ଦେବା ପାଇଁ ଗତକାଲି ରାଉରକେଲା ଶ୍ରମିକ ସଂଘ (ଆର୍‌ଏସ୍ଏସ୍) ଏବଂ ଗାଙ୍ଗପୁର ମଜ୍‌ଦୁର୍‌ ମଞ୍ଚ ପକ୍ଷରୁ ଏକ ବିଶାଳ ଗଣବିକ୍ଷୋଭ କାର୍ଯ୍ୟକ୍ରମ ସେକ୍ଟର-୫ ସ୍ଥିତ ଆଞ୍ଚଳିକ (କେନ୍ଦ୍ରୀୟ) ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଗାଙ୍ଗପୁର ମଜ୍‌ଦୁର୍‌ ମଞ୍ଚର ସଭାପତି ଜର୍ଜ ତିର୍କୀ ଓ ରାଉରକେଲା ଶ୍ରମିକ ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଗଣବିକ୍ଷୋଭରେ ଶତାଧିକ କର୍ମଚାରୀ ଏବଂ ଠିକା ଶ୍ରମିକ ଅଂଶଗ୍ରହଣ କରିଥିଲେ । ଶ୍ରୀ ତିର୍କୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ରାଉରକେଲା ରାଉରକେଲା ଇସ୍ପାତ କାରଖାନାର ନିର୍ବାଚନ ଶ୍ରମିକଙ୍କ ଗଣତାନ୍ତ୍ରିକ ଅଧିକାର । କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗ ଏହି ନିର୍ବାଚନକୁ ପରିଚାଳନା କରନ୍ତି । ପୂର୍ବ ସ୍ୱୀକୃତି ନିର୍ବାଚନର ଅବଧି ଗତ ମାର୍ଚ୍ଚ ୨୦୨୪ରୁ ଶେଷ ହୋଇଥିଲେ ମଧ୍ୟ ସ୍ୱୀକୃତି ନିର୍ବାଚନର ବିଳମ୍ବ ଆଦୌ ଗ୍ରହଣୀୟ ନୁହେଁ । ଏଣୁ ସ୍ୱୀକୃତି ନିର୍ବାଚନ ତୁରନ୍ତ କରାଯିବା ପାଇଁ ଗାଙ୍ଗପୁର ମଜ୍‌ଦୁର୍‌ ମଞ୍ଚ, ଶ୍ରମ କାର୍ଯ୍ୟାଳୟରେ ଆବଶ୍ୟକୀୟ ଦସ୍ତାବିଜ୍ ଦାଖଲ କରିଛି । ସମସ୍ତ ପ୍ରକ୍ରିୟାରେ ୟୁନିୟନ୍‌ ସହଯୋଗ କରିଛି । ରାଉରକେଲା ଶ୍ରମିକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଯେଉଁଦିନ ଆର୍‌ଏସ୍ଏସ୍‌ର ଅବଧି ଶେଷ ହୋଇଥିଲା, ସେହିଦିନ ମାର୍ଚ୍ଚ ୧୨ ତାରିଖ ୨୦୨୪ରେ ଆର୍‌ଏସ୍ଏସ୍ ୟୁନିୟନ୍‌ ନିର୍ବାଚନ ପାଇଁ କେନ୍ଦ୍ରୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲା ଏବଂ ଏହାର ନକଲ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା । ଆର୍‌ଏସ୍ଏସ୍ ୟୁନିୟନ୍‌ର ପତ୍ର ପାଇଲା ପରେ, ଉପମୁଖ୍ୟ ଶ୍ରମ ଆୟୁକ୍ତ ଭୁବନେଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଉରକେଲା ସ୍ଥିତ ଆଞ୍ଚଳିକ (କେନ୍ଦ୍ରୀୟ) ଶ୍ରମ ଆୟୁକ୍ତ ସମସ୍ତ ୟୁନିୟନର ଆବଶ୍ୟକୀୟ ଦସ୍ତାବିଜ ଯାଞ୍ଚ କରିଥିଲେ । ରାଉରକେଲା ଶ୍ରମିକ ସଂଘ ତାଙ୍କର ସମସ୍ତ ଦସ୍ତାବିଜ୍ ଆଞ୍ଚଳିକ ଶ୍ରମ କମିଶନର ନିକଟରେ ଦାଖଲ କରିଛନ୍ତି । କିନ୍ତୁ ଏକ ନିର୍ଦ୍ଦିଷ୍ଟ ୟୁନିୟନ୍‌ ସେମାନଙ୍କ ୟୁନିୟନ ନାମରେ ମିଥ୍ୟା ଅପପ୍ରଚାର କରି ଶ୍ରମିକ ସମାଜକୁ ବିଭ୍ରାନ୍ତ କରୁଛି ବୋଲି ଶ୍ରୀ ବେହେରା ଅଭିଯୋଗ କରିଥିଲେ । ଶ୍ରୀ ବେହେରା ଏବଂ ଶ୍ରୀ ତିର୍କୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ, ଆଞ୍ଚଳିକ (କେନ୍ଦ୍ରୀୟ) ଶ୍ରମ ଆୟୁକ୍ତଙ୍କୁ ସାକ୍ଷାତ କରି ତୁରନ୍ତ ସ୍ୱୀକୃତି ନିର୍ବାଚନ କରାଯିବା ପାଇଁ ଦୃଢ ଦାବୀ କରିଥିଲେ । ଏହାର ଉତ୍ତରରେ ଆଞ୍ଚଳିକ ଶ୍ରମ ଆୟୁକ୍ତ ସେମାନଙ୍କୁ କହିଥିଲେ ଯେ, ଆର୍‌ଏସ୍‌ପିରେ ଥିବା ସମସ୍ତ ଟ୍ରେଡ ୟୁନିୟନଙ୍କ ମଧ୍ୟରୁ ଗୋଟିଏ ୟୁନିୟନ ସେମାନଙ୍କ ସମ୍ମତି ପତ୍ର ଓ ଆନୁଷଙ୍ଗିକ ଦସ୍ତାବିଜ ପ୍ରଦାନ କରିନାହାଁନ୍ତି । ଗୋଟିଏ ୟୁନିୟନ୍‌ ହାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଣୁ ସମସ୍ତ ଟ୍ରେଡ ୟୁନିୟନର ସହମତି ଏବଂ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦ୍ଦେଶକୁ ଅନୁଧ୍ୟାନ କରାଯାଇ ଆର୍‌ଏସ୍‌ପିର ସ୍ୱୀକୃତି ନିର୍ବାଚନ କରାଯିବ । ଏଥିପାଇଁ ସମସ୍ତ ଟ୍ରେଡ୍‌ ୟୁନିୟନ, ପ୍ରଶାସନ ଏବଂ ଆର୍‌ଏସ୍‌ପି ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ପୂର୍ବ ନିର୍ବାଚନ ପରି ଏହି ନିର୍ବାଚନ କରାଯିବ । ଏହି ଗଣବିକ୍ଷୋଭରେ ଦିଲ୍ଲୀପ ମହାପାତ୍ର, ଅକ୍ଷୟ ଜେନା, ନିହାର ଦାସ, ସୁଲେମାନ କାଉଡିଆ, ସନ୍ତୋଷ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.