ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାମଜୀ ଟାଉନ୍ ହଲଠାରେ ସଂଗୀତ ସମିତି ପଦ୍ମପୁର ଆନୁକୂଲ୍ୟରେ ପ୍ରଥମ ରାଜବୋଡାସମ୍ବର ମୁହୁରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଭିନ୍ନ ଗ୍ରାମରୁ ଆସିଥିବା ଦଳ ଓ ମୁହୁରୀ ବାଦକାର ଏବଂ ସାଥୀ କଳାକାର ଶହ ଶହ ସଂଖ୍ୟାରେ ଯୋଗାଦାନ କରିଥିଲେ । କଳାକାରମାନଙ୍କର ଏକ ଶୋଭାଯାତ୍ରା ବନଦୁର୍ଗା ମନ୍ଦିରଠାରୁ ସହର ସାରା ପରିକ୍ରମା ହୋଇଥିଲା । ଆୟୋଜିତ ସଭାରେ ନାଟ୍ୟ ନିଦର୍ଶନ ପ୍ରଫେସର କେଶବ ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଏନ୍ଏସି ଅଧକ୍ଷା ଶ୍ରୀମତୀ ସାବିତ୍ରୀ ବାଗ, ଉପାଧ୍ୟକ୍ଷ ଶ୍ରୀମତୀ ଭାରତୀ ପଟ୍ଟନାୟକ ନିରୋଜ ଦୋରା, ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ନାଟ୍ୟ ନିର୍ଦ୍ଦେଶକ ଅଶୋକ କୁମାର ବହିଦାର, ପୂର୍ବତନ ବ୍ଲକ ଅଧ୍ୟକ୍ଷା କୁମରମଣି ବାଗ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ମା’ ସମଲେଇଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ ପରେ ପରେ ସମିତିର ସଭାପତି ରାଜେଶ ଗୁର୍ଲା ସ୍ୱାଗତ ଭାଷଣ ଦେଇଥିବା ବେଳେ ସମିତିର ସମ୍ପାଦକ ରମେଶ ଗୁର୍ଲା ମୁହୁରୀ ଉତ୍ସବ ଉଦେଶ୍ୟରେ ଗଣ୍ଡାବଜାର ପାରମ୍ପରିକ ସୁରବାଦ୍ୟ “ମୁହୁରୀ”ର ପାରମ୍ପରିକ ମୌଳିକତା ଓ ସାଙ୍ଗିତାର ସୁରକ୍ଷା ପାଇଁ ଏହି ଉତ୍ସବ ବୋଲି କହିଥିଲେ । ପରେ ପରେ ବର୍ଷିଆନ୍ କଳାକାରମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମୁହୁରୀ ଉପରେ ରିସଜ୍ କରି ଫେଲୋସିପ୍ ପାଇଥିବା ସୁଦାମ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।