କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଫରେଷ୍ଟ ରେଂଜ ଅଧିନସ୍ଥ ମହୁଲପାଟି ସେକ୍ସନର ମହୁଲପାଟି ବିଟ୍ ଅଧିନସ୍ଥ ଲାମି ସଂରକ୍ଷିତ ଜଂଗଲରେ ୨୦୨୧-୨୨ ଆର୍ଥିକ ବର୍ଷରେ କାମ୍ପା ଯୋଜନା (ଆମ ଗ୍ରାମ୍ୟ ଜଂଗଲ) ୭୦୦୦ ଚାରା ବନୀ କରଣ କରାଯାଇଥିଲା । ଏହି ବନୀ କରଣରେ ନିମ୍ବ ୫୦୦, ଅର୍ଜୁନ ୪୦୦, କାଜୁ ୫୦୦, ଡୁମେର ୪୦୦, ଗମ୍ଭାରି ୯୦୦, ବାହାଡା ୫୦୦, ଅଁଳା ୫୦୦, ତେନ୍ତୁଲି -୫୦୦, ପଣସ -୫୦, ଆତ(ବଢଲ)-୨୦୦, କରଞ୍ଜ- ୫୦୦, ବଡ ଚାକୁଣ୍ଡା ୫୦୦, ଜାମୁନ-୫୦୦, ଆମ୍ବ-୧୦୦, ବଉଳ-୨୦୦, ମେଥି-୨୦୦, ବରଗଛ -୧୫୦ ଓ ପିପଲ-୧୫୦ ଗୋଟି ଚାରା ରୋପଣ କରାଯାଇଥିଲା । ମାତ୍ର ଉପଯୁକ୍ତ ରକ୍ଷଣା ବେକ୍ଷଣା କରାଯାଇ ନ ଥିବାରୁ ଉକ୍ତ ସମସ୍ତ ୭୦୦୦ ଚାରା ନଷ୍ଟ ହୋଇ ଜମି ଜବର ଦଖଲକାରୀଙ୍କ କବ୍ଜାରେ ରହିଛି । ସଂପୃକ୍ତ ଜଂଗଲ ବିଭାଗର ଅବହେଳା ସହିତ ଗ୍ରାମ୍ୟ ଜଂଗଲ ସୁରକ୍ଷା ସମିତି ମହୁଲପାଟିକୁ ରକ୍ଷଣା ବେକ୍ଷଣା ସହ ସମସ୍ତ ଚାରା ପାଇଁ ଆସିଥିବା ଅନୁଦାନ ଟଙ୍କା ଠିକ୍ ଭାବେ ପଇଠ ନ ହେବାରୁ ସମସ୍ତ ଚାରା ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଜଂଗଲ ବିଭାଗକୁ ଚାରା ବନୀ କରଣ ପାଇଁ ବର୍ଷକୁ ବର୍ଷ ଲକ୍ଷ ଲକ୍ଷ ଟଙ୍କା ଆସୁଥିବା ବେଳେ ବିଭାଗୀୟ ଅବହେଳା ଯୋଗୁଁ ନୂତନ ଜଂଗଲ ସୃଷ୍ଟି କରାଯାଇ ପାରୁ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଅଂଚଳବାସୀ ଦାବୀ କରୁଛନ୍ତି । ଲାମି ସଂରକ୍ଷିତ ଜଂଗଲରେ କରାଯାଇଥିବା ବନୀ କରଣ କାହିଁକି ସଫଳ ହେଲା ନାହିଁ ବୋଲି ଜଣେ ବିଭାଗୀୟ ଜଂଗଲ କର୍ମଚାରୀଙ୍କୁ ପଚାରିବାରୁ ସେ ନିଜ ନାମକୁ ଗୋପନ ରଖିବାକୁ କହି ଉପଯୁକ୍ତ ରକ୍ଷଣା ବେକ୍ଷଣା ଏବଂ ସ୍ଥାୟୀ ୱାଚର ନ ଥିବାରୁ ସମସ୍ତ ଚାରା ନଷ୍ଟ ହୋଇଥିବା କହିଥିଲେ ।