oom

ମହୁଲପାଲି ଗ୍ରାମରେ ବୃକ୍ଷରୋପଣ ମହୋତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ମହୁଲପାଲି ଗ୍ରାମରେ ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ଆହ୍ୱାନ କ୍ରମେ ବନ ସୁରକ୍ଷା ସମିତି ମହୁଲପାଲି ତରଫରୁ ଏକ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ପ୍ରକୃତି ବନ୍ଧୁ ଅଭୟ କୁମାର ଦେବତା ସଭାପତିତ୍ୱ କରିଥିଲେ । ପ୍ରକୃତିବନ୍ଧୁ ମୀନକେତନ ସାହୁ ଗ୍ଲୋବାଲ୍ ୱାର୍ମିଂରୁ ନିଜକୁ ଜୀବ ଜଗତ ଓ ଧରିତ୍ରୀ ମାଁର ସୁରକ୍ଷା ପାଇଁ ବୃକ୍ଷ ରୋପଣ, ସଂରକ୍ଷଣ ଓ ଜଙ୍ଗଲ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଅଧ୍ୟକ୍ଷ ଡଃ ଲଳିତେନ୍ଦୁ ନାୟକ ଯୋଗଦେଇ ପ୍ରକୃତି ସୁରକ୍ଷା ପାଇଁ ସଚେତନ ହୋଇ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହା ନ ହେଲେ ଆଗାମୀ ପିଢି ପାଇଁ ପରିଣାମ ଭୟଙ୍କର ହେବ ବୋଲି ସତର୍କ କରିଥିଲେ । ବନ ବିଭାଗ ରେଞ୍ଜର ପୂର୍ଣ୍ଣଚନ୍ଦ୍ର ମହନ୍ତ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବନ ସୁରକ୍ଷା ସମିତିର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ସରକାରଙ୍କ ବିଭିନ୍ନ ଯୋଜନା କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ରାଜକୁମାର ସେଠ୍, ଚାଷୀ ନେତା ରମେଶ ମହାପାତ୍ର, ଫରେଷ୍ଟର ଝରଣା ସାହୁ, ଫରେଷ୍ଟ ଗାଡ୍ ପ୍ରେମଶୀଳା ମେହେର, ଓକିଲ ସନ୍ତୋଷ ଶତପଥୀ, ଲିଙ୍ଗରାଜ ପଧାନ, ପରମାନନ୍ଦ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ ଓ ଜଙ୍ଗଲ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ବନ ସୁରକ୍ଷା ସମିତି ସଭ୍ୟ, ସଭ୍ୟାଙ୍କୁ ସରକାରଙ୍କ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କ ପାଖରେ ଦାବୀ କରିବାକୁ ସ୍ଥିର କରାଯାଇଛି । ଏଥିରେ ଗ୍ରାମବାସୀମାନେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ଏହା ପରେ ଶୋଭାଯାତ୍ରାରେ ଶତାଧିକ ପୁରୁଷ, ମହିଳା, ଶିଶୁ ଗ୍ରାମ ପରିକ୍ରମା କରି ୨୦୦ଟି ବୃକ୍ଷ ରୋପଣ କରିବା ସହିତ ବୃକ୍ଷଗୁଡିକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ବନ ସୁରକ୍ଷା ସମିତି ସଭାପତି କବିରାଜ ସାହୁ ଓ ଯୋଗେଶ୍ୱର ପଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.