oom

ନଅଗାଁ(ଖ) ରେ ବୁଢାଦେଓ ମହୋତ୍ସବ-୨୦୨୩ ଆୟୋଜିତ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ନଅଗାଁ (ଖ) ଗ୍ରାମରେ ପ୍ରତିବର୍ଷ ପୌଷ ମାସ ଶୁକ୍ଳ ପକ୍ଷ ଶାମ୍ବ ଦଶମୀ ତିଥିରେ ପ୍ରଭୁ ବୁଢାଦେଓଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଦିନ ବୁଢାଦେଓ ନିଜ ଗୁଡ଼ିରୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ଓ ସନ୍ଧ୍ୟାରେ ଗ୍ରାମ ପରିକ୍ରମା କରିଥାନ୍ତି । ଏହି ସମୟରେ ଗ୍ରାମର ପ୍ରତି ପରିବାର ନିଜ ଘର ସମ୍ମୁଖରେ ଦେବତାଙ୍କ ପୂଜା କରିଥାନ୍ତି । ଏହି ଅବସରରେ ସ୍ଥାନୀୟ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ତରଫରୁ ଉକ୍ତ ଯାତ୍ରାକୁ ବୁଢାଦେଓ ମହୋତ୍ସବ-୨୦୨୩ ନାମରେ ମହା ଆଡମ୍ବର ସହକାରେ ପାଳିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ, ଶିକ୍ଷବିତ ଲଳିତ ମୋହନ ସାହୁ, ସମାଜସେବୀ ସଦାନନ୍ଦ ପଶାୟତ, ସରପଞ୍ଚ ବୃନ୍ଦାବନ ସେଠ ଓ ସମିତି ସଭ୍ୟ ଦେବଦତ୍ତ ଦଣ୍ଡସେନା ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । କୀର୍ତନ ବାହକ ମାଧବ କୁଅଁର, ଗାୟକ ମକରଧ୍ଵଜ ସାହୁ, ବାଦ୍ୟକାର ଶୋଭାବନ ବିଶ୍ୱାଳ ଓ ଅବସରପ୍ରାପ୍ତ ସମାଜସେବୀ ସଦାନନ୍ଦ ପଶାୟତ, ରମେଶ ପଧାନ ପ୍ରମୁଖଙ୍କୁ ମହୋତ୍ସବ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ପ୍ରଶାନ୍ତ ନାୟକ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୋବିନ୍ଦ ବିଶି, ପ୍ରହଲ୍ଲାଦ ପଧାନ, ରଞ୍ଜନ ମହାଲିଙ୍ଗ ପ୍ରମୁଖ ସହଯୋଗ କରିଥିଲେ । ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ବୀର ବଜରଙ୍ଗବଳି କଳା ପରିଷଦ, ଲୋଇସିଂହା ସଙ୍ଗୀତ ସାଧନାର ଶଙ୍କର ବେହେରାଙ୍କ କାର୍ଯ୍ୟକ୍ରମ ତଥା ମିକ୍ଚର ରାମଲୀଳା ବେଶ ଉପଭୋଗ୍ୟ ହୋଇଥିଲା ।

jittmm
Leave A Reply

Your email address will not be published.