ଏପ୍ରିଲ ୭ ରୁ ୧୧ ବନଦୁର୍ଗା ମହୋତ୍ସବ

  • ମା’ ପାଟଣେଶ୍ୱରୀଙ୍କୁ ନିଉତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଦ ଦେଶରେ ଆସନ୍ତା ଏପ୍ରିଲ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ବନଦୁର୍ଗା ମହୋତ୍ସବ ଅନୁଷ୍ଠିତ ହେବ । ପ୍ରାକ୍ତନ ପାଟଣାରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା କରି ଦେବ ନିମନ୍ତ୍ରଣ କରାଯାଇଥିଲା ଏବଂ ଅଂଚଳର ସମସ୍ତ ଦେବାଦେବୀ ଓ ଗ୍ରାମ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯାଇଥିଲା । ଏହି ମହୋତ୍ସବ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା ବିସ୍ତାପିତ ଅବା କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ ଏକତା, ଉନ୍ନତି ଏବଂ ସାମଗ୍ରିକ ବିକାଶ ନିମନ୍ତେ ପଥ ପ୍ରଦର୍ଶକ ହୋଇଥାଏ । କଳା ସଂସ୍କୃତିର ପୁନରୁଦ୍ଧାର ନିମନ୍ତେ ଏକ ଉତ୍କୃଷ୍ଟ ମଂଚ ହୋଇଥାଏ ଯଦ୍ୱାରା ଅନେକ କଳାକାର, କଳାପ୍ରେମୀ ତାଙ୍କ କଳାକୁ ପ୍ରଦର୍ଶନ କରି ପୁଣି ଏକତାର ବାର୍ତ୍ତା ଦେଇଥାନ୍ତି । ଏହି ମହୋତ୍ସବରେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଗଣ ଯୋଗ ଦେଉଥିବା ଆୟୋଜକ ସୂତ୍ରରୁ ପ୍ରକାଶ । ସ୍ଥାନୀୟ ଲୋକନୃତ୍ୟ, ଲୋକ ଗୀତ, ଲୋକନାଟକ ତଥା ଜିଲ୍ଲା ବାହାରର କଳାକାର, କଂସ ଦରବାରରେ କଂସ ଭୂମିକାରେ ଅନିଲ କୁମାର ନାଏକ, ମୀନା ବଜାର ଓ ମୁଖ୍ୟତଃ ମା’ ବନଦୁର୍ଗାଙ୍କ ପୂଜନୋତ୍ସବ ମହାସମାରୋହରେ ପାଳିତ ହେବା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭାପତି ସଂଜୟ ଗଡତ୍ୟା, ସଂପାଦକ ଜୟକୃଷ୍ଣ ମିଶ୍ର, ଉପସଭାପତି କୈଳାସ ସିଂଦେଓ, ସହ-ସଂପାଦକ ବିକାଶ ରଂଜନ ରଥ, ନରେନ୍ଦ୍ର ବିଶି, ଭରତ ସାହୁ, ଅଜୟ ଗଡତ୍ୟା, ଗିରିଧାରୀ ପୁଟା, ପ୍ରମୋଦ ପଟେଲ, ସ୍ୱେଚ୍ଛାସେବୀ ଗଗନ ନାଥ ପ୍ରମୁଖ ଆୟୋଜନରେ ନେତୃତ୍ୱ ନେଉଛନ୍ତି ।

Leave A Reply

Your email address will not be published.