ବିଜ୍ଞାନ ଯୁଗରେ ଆଜିବି ଆସ୍ଥାର ଜ୍ୱାଳା : ଗୁର୍ଲାମାଲ ଗାଁରେ ନିଆଁରେ ଚାଲି ମା’ଙ୍କୁ ଗୁହାରି କଲେ ଶତାଧିକମହିଳା ଓ ପୁରୁଷ
ସଇଁତଲା, (କେପିଏନ୍ଏସ୍) : ବିଜ୍ଞାନ ଓ ପ୍ରଯୁକ୍ତିର ଦୃତ ଅଗ୍ରଗତିରେ ମାନବ ସମାଜ ଆଜି ଅନେକ ଉଚ୍ଚତାରେ ପହଞ୍ଚିଛି । ମୋବାଇଲ, ଇଣ୍ଟରନେଟ, ଉପଗ୍ରହ, ଆଧୁନିକ ଚିକିତ୍ସା- ସବୁ କିଛି ମନୁଷ୍ୟ ଜୀବନକୁ ସହଜ ଓ ସୁବିଧାଜନକ କରିଛି । କିନ୍ତୁ ଏହି ବିଜ୍ଞାନମୟ ଯୁଗରେ ମଧ୍ୟ ମନୁଷ୍ୟ ହୃଦୟରେ ଆସ୍ଥା ଓ ବିଶ୍ୱାସର ଦୀପ ନିର୍ବାପିତ ହୋଇନାହିଁ । ଆଧୁନିକତାର ଆଲୋକ ମଧ୍ୟରେ ପରମ୍ପରାର ଜ୍ୱାଳା ଆଜିବି ଦୀପ୍ତିମାନ । ଏହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳେ ବଲାଙ୍ଗିର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ କେରମେଲି ପଂଚାୟତର ଗୁର୍ଲାମାଲ ଗାଁରେ । ମହାଶିବ ରାତ୍ରି ଓ ରୁନ୍ଦ୍ରଚଣ୍ଡୀ ପୂଜା ଅବସରରେ ଯେଉଁଠାରେ ଦୀର୍ଘଦିନ ଧରି ନିଆଁରେ ଚାଲି ମା’ଙ୍କୁ ଗୁହାରି କରିବାର ପରମ୍ପରା ଅବିରତ ଚାଲିଆସୁଛି । ପ୍ରତିବର୍ଷ ନିର୍ଦ୍ଧାରିତ ଦିନରେ ଗାଁରେ ହୋଇଥାଏ ଏକ ବିଶେଷ ଧାର୍ମିକ ଅନୁଷ୍ଠାନ । ଦୂରଦୂରାନ୍ତରୁ ହଜାର ହଜାର ଭକ୍ତ ଏଠାକୁ ଆସିଥିଲେ । ମହିଳା, ପୁରୁଷ, ଯୁବକ, ବୃଦ୍ଧ – ଛୋଟ ଶିଶୁ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ପରମ୍ପରାର ଅଂଶୀଦାର । ସେମାନେ ନିଜର ମନୋକାମନା ପୂରଣ, ରୋଗମୁକ୍ତି, ପରିବାରର ସୁଖ-ଶାନ୍ତି କିମ୍ବା ମାନସିକ ଶାନ୍ତି ପାଇଁ ମା’ଙ୍କୁ ଗୁହାରି କରିଥିଲେ । ମାନସିକଧାରୀମାନେ କଠିନ ଉପବାସ, ନିୟମ ଓ ନିଷ୍ଠା ପାଳନ କରି ଶେଷରେ ନିଆଁ ଉପରେ ଖାଲି ପାଦରେ ଚାଲି ନିଜର ଆସ୍ଥାର ପରୀକ୍ଷା ଦେଇଥାନ୍ତି । ଏହି ଦୃଶ୍ୟ ଦେଖିଲେ ଯେକୌଣସି ଲୋକ ଆଶ୍ଚର୍ଯ୍ୟ ହୋଇଯାଏ । ଜଳନ୍ତା ଅଙ୍ଗାର ଉପରେ ନିର୍ଭୟ ଭାବେ ଚାଲୁଥିବା ଭକ୍ତମାନଙ୍କ ମୁହଁରେ ଭୟର ଛାୟା ନୁହେଁ, ବରଂ ଅତୁଟ ବିଶ୍ୱାସର ଦୀପ୍ତି ଦେଖାଯାଏ । ସେମାନଙ୍କର ମନରେ ଥାଏ ଏକ ମାତ୍ର ଭାବନା -“ମା’ ଆମକୁ ରକ୍ଷା କରିବେ ।” ଏହି ଆତ୍ମବିଶ୍ୱାସ ଓ ଭକ୍ତି ସେମାନଙ୍କୁ ସାହସ ଦେଇଥାଏ । ଅନେକ ଭକ୍ତ କହନ୍ତି, ନିଆଁରେ ଚାଲିବା ବେଳେ ସେମାନେ କୌଣସି ଯନ୍ତ୍ରଣା ଅନୁଭବ କରନ୍ତିନାହିଁ । ମା’ଙ୍କର କୃପା ତାଙ୍କୁ ସୁରକ୍ଷିତ ରଖେ ବୋଲି ଗାଁର ଲୋକେ ବିଶ୍ୱାସ କରନ୍ତି । ଏହି ପରମ୍ପରା କେବଳ ଗୁର୍ଲାମାଲ ଗାଁରେ ସୀମିତ ନୁହେଁ; ଏହା ଅଞ୍ଚଳର ଲୋକସଂସ୍କୃତିର ଏକ ଅଂଶ । ତଥାପି ଏଠାରେ ଯେପରି ଭାବରେ ଏହା ଆୟୋଜିତ ହୁଏ, ତାହା ଅନ୍ୟତ୍ର କମ୍ ଦେଖାଯାଏ । ଗାଁର ଯୁବସମାଜ, ବୃଦ୍ଧମାନେ ଓ ପଂଚାୟତ ସଦସ୍ୟମାନେ ମିଶି ଏହି ଅନୁଷ୍ଠାନକୁ ସଫଳ କରିଥିଲେ । ପୂଜା, ଭଜନ, ଯାତ୍ରା ଓ ହୋମ-ଯଜ୍ଞ ମାଧ୍ୟମରେ ପରିବେଶ ଭକ୍ତିମୟ ହୋଇଯାଏ । ଏହା କେବଳ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ, ବରଂ ସମାଜକୁ ଏକତ୍ର କରିବାର ଏକ ସୁଯୋଗ । ବିଶେଷ କଥା ହେଉଛି, ଏହି ଅନୁଷ୍ଠାନରେ ଅନ୍ୟ ରାଜ୍ୟରୁ ମଧ୍ୟ ଭକ୍ତମାନେ ଯୋଗ ଦେଇଥାନ୍ତି । ରାୟପୁରରେ ବସବାସ କରୁଥିବା ପରବିନ ଅଗ୍ରୱାଲ ମହିଳା ମଧ୍ୟ ସାମିଲ ହୋଇ ଗୁର୍ଲାମାଲ ଗାଁକୁ ଆସିଥିଲେ । ସେ କହିଥିଲେ, ମା’ଙ୍କ ଆଶୀର୍ବାଦ ପାଇବା ଓ ନିଜ ମନୋକାମନା ପୂରଣ ପାଇଁ ସେ ଦୂର ରାସ୍ତା ଚାଲି ଏଠାକୁ ଆସିଛନ୍ତି । ନିଆଁ ଉପରେ ଚାଲିବା ପାଇଁ କେବଳ ଏକ ରିତି ନୁହେଁ, ଏହା ମା’ଙ୍କ ପ୍ରତି ତାଙ୍କର ଅତୁଟ ଶ୍ରଦ୍ଧା ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ଅଶୋକ ସାହୁଙ୍କ ସମେତ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।