
ଚୁଡାପାଲି, (କେପିଏନ୍ଏସ୍) : ବଲାଙ୍ଗିର ସଦର ଅନ୍ତର୍ଗତ ବିଡିଘାଟଠାରେ ବଲାଙ୍ଗିର ଜିଲ୍ଲା ଥୋରିଆ ସମାଜ ମହାସଭା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ପାଞ୍ଚ ବର୍ଷ ଅନ୍ତରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥରେ ସାମାଜିକ ଥୋରିଆ ମହାସଭା ଅନୁଷ୍ଠିତ ହୋଇଥାଏ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୪ ଥାନ ଜିଲ୍ଲା ଥୋରିଆ ସମାଜରେ ଅଙ୍ଗାଅଙ୍ଗୀ ଭାବରେ ଜଡିତ ଅଛନ୍ତି । ପ୍ରତ୍ୟେକ ମହାସଭାରେ ସମାଜର ବିଭିନ୍ନ ପ୍ରକାର ସାମାଜିକ ରୀତିନୀତି ଅନୁଷ୍ଠାନିକ ଭାବରେ ନିଷ୍ପତ୍ତି ନିଆଯାଇଥାଏ ଏବଂ ଆଗାମୀ ପାଞ୍ଚ ବର୍ଷର କାର୍ଯ୍ୟପନ୍ଥା ନିର୍ଦ୍ଦାରଣ କରାଯାଇଥାଏ । ଚଳିତ ବର୍ଷ ସମାଜର ପୂର୍ବତନ ଜିଲ୍ଲା ସଭାପତି ଆଦିକନ୍ଦ ସାହୁ ତାଙ୍କ ପଦବୀରୁ ଅବସର ନେଇଥିବାରୁ ସମସ୍ତ ଜିଲ୍ଲା କାର୍ଯ୍ୟକାରୀ କମିଟି ପୁନଃ ଗଠନ କରାଯାଇଥିଲା । ଚୁଡାପାଲି ଥାନର ଥାନୀ ବୈକୁଣ୍ଠ ଜେନା ଜିଲ୍ଲା ସଭାପତି ଭାବରେ ନିର୍ବାଚିତ ହୋଇଥିବା ବେଳେ କୁଶଙ୍ଗ ଥାନର ରତନଲାଲ ପୃଷ୍ଟି ଉପ ସଭାପତି, କୁଶମେଲ ଥାନର ନାରାୟଣ ସାହୁ ସମ୍ପାଦକ, ଲୋଇସିଂହା ଥାନର ଅଶୋକ ସାହୁ ସହ ସମ୍ପାଦକ, ସନ୍ଧିସରା ଥାନର ପଞ୍ଚାନନ ସାହୁ କୋଷାଧ୍ୟକ୍ଷ ଓ କଣ୍ଟାବାଞ୍ଜି ଥାନର କରୁଣାକର ନାହାକ ଚର୍ଚ୍ଚା ବେହେରା ଭାବରେ ମନୋନୀତ ହୋଇଥିଲେ । ମହାସଭାର ଉଦ୍ଯାପନୀ ଉତ୍ସବରେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଯୋଗଦେଇ ସମାଜର ମଙ୍ଗଳ କାମନା କରିଥିଲେ । ୫୨ ଦେଶ ଥୋରିଆ ସମାଜରୁ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ମଧ୍ୟ ଯୋଗଦେଇ ଏହି ଥୋରିଆ ସମାଜର ପୂର୍ବ ପୁରୁଷମାନେ ବୋଇତ ଧରି ଦୂରଦେଶକୁ ଯାଇ କିପରି ବଣିଜ କରୁଥିଲେ ସାଧବ ବୋହୁମାନେ କିପରି ବୋଇତ ବନ୍ଦାଣ କରି ଶୁଭ କାମନା କରୁଥିଲେ ବ୍ୟାଖ୍ୟା କରିଥିଲେ । ମହାସଭା ଶେଷରେ ପୂର୍ବତନ ସଭାପତି ନୂତନ ସଭାପତି ଓ ଅନ୍ୟାନ୍ୟ କାର୍ଯ୍ୟକାରୀ ସଦସ୍ୟଙ୍କୁ ପଦବୀ ହସ୍ତାନ୍ତର କରି ଶୁଭକାମନା କରିଥିଲେ । ସର୍ବସମ୍ମତି କ୍ରମେ ଆସନ୍ତା ମହାସଭା ଗୁଡଭେଲା ବ୍ଲକ ଅନ୍ତର୍ଗତ ମହାଜନପଡା ଠାରେ ୨୦୨୮ ମସିହାରେ ଅନୁଷ୍ଠିତ ହେବାପାଇଁ ସ୍ଥିରୀକୃତ ହେଲା ଓ ମହାସଭାକୁ ସାଙ୍ଗ କରାଗଲା ।