ବାରିପଦା, (ଦେବସ୍ମିତ ଚୌଧୁରୀ) : ମୂଳନିବାସୀ ନାୟକ ୱାମନ ମେଶ୍ରାମ ସାହେବଙ୍କ ଆହ୍ଵାନ କ୍ରମେ ଭାରତ ମୁକ୍ତି ମୋର୍ଚ୍ଚା, ବହୁଜନ କ୍ରାନ୍ତି ମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା ଏବଂ ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚାର ତତ୍ତ୍ଵାବଧାନରେ ଭାରତୀୟ ସମ୍ବିଧାନ, ଗଣତନ୍ତ୍ରର ସୁରକ୍ଷା ଏବଂ ମୂଳନିବାସୀ ବହୁଜନ ସମାଜ ଉପରେ ଦେଶବ୍ୟାପୀ ହେଉଥିବା ଅନ୍ୟାୟ-ଅତ୍ୟାଚାର ବିରୁଦ୍ଧରେ ସାମାଜିକ ନ୍ୟାୟ ପାଇଁ ଦେଶବ୍ୟାପୀ ୪ ପର୍ଯ୍ୟାୟରେ ଚରଣବଦ୍ଧ ଆନ୍ଦୋଳନ ଏବଂ ଜନଆକ୍ରୋଶ ରାଲିର ଘୋଷଣା କରାଯାଇ ଥିଲା ଯାହାର ଅନ୍ତିମ ପର୍ଯ୍ୟାୟ ଅନ୍ତର୍ଗତ ଆଜି ୧୫ ଅକ୍ଟୋବର ୨୦୨୫ ବୁଧବାର ଦିନ ଦେଶବ୍ୟାପୀ ୬୨୫ଟି ଜିଲ୍ଲା ମୁଖ୍ୟାଳୟରେ ଜନଆକ୍ରୋଶ ମହାରାଲି ଆୟୋଜିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଦେଶବ୍ୟାପୀ ଜନଆକ୍ରୋଶ ରାଲି ସମର୍ଥନରେ ଜିଲ୍ଲାର ପ୍ରମୁଖ ଜ୍ଵଳନ୍ତ ସମସ୍ୟା ଗୁଡ଼ିକ ସହିତ ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରର ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ ଗୁଡ଼ିକ ନେଇ ଜିଲ୍ଲା ମୁଖ୍ୟାଳୟ ବାରିପଦା ସ୍ଥିତ ଛଉପଡିଆ ଠାରୁ ଏକ ଜନଆକ୍ରୋଶ ମହାରାଲି ୧୦,୦୦୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ନେଇ ଅନୁଶାସନର ସହିତ ବାରିପଦା ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ସେଠାରେ ଦୀର୍ଘ ସମୟ ଧରି ଶାନ୍ତିପୂର୍ଣ୍ଣ ଭାବରେ ବିକ୍ଷୋଭ ପ୍ରଦର୍ଶନ ସହିତ ସେମାନଙ୍କର ଦାବିଗୁଡ଼ିକୁ ସରକାର ଏବଂ ପ୍ରଶାସନିକ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ଉଦବୋଧନ ଦେଇ ପରିଶେଷରେ ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ମାନନୀୟ ହେମକାନ୍ତ ସୋଏ ମହୋଦୟଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲା ମୁଖ୍ୟାଳୟରେ ଆୟୋଜିତ ଉପରୋକ୍ତ ରାଲିର ପ୍ରମୁଖ ଦାବୀ ଗୁଡ଼ିକ ମଧ୍ୟରେ ବର୍ତ୍ତମାନ ସମୟର ରାଷ୍ଟ୍ରବ୍ୟାପୀ ଜ୍ଵଳନ୍ତ ସମସ୍ୟା ଇଭିଏମ, ଅର୍ଥାତ୍ ସମସ୍ତ ନିର୍ବାଚନରେ ଇଭିଏମ ହଟାଇ ବାଲାଟ୍ ପେପର କାର୍ଯ୍ୟକାରୀ କରିବା, ପଛୁଆ ବର୍ଗ (ଓବିସି) ଏବଂ ସମସ୍ତ ଜାତି ସମୁହର ଜାତିଭିତିକ ଜନଗଣନା କରିବା, ଆଦିବାସୀଙ୍କ ପ୍ରତି ଦେଶବ୍ୟାପୀ ବୃଦ୍ଧି ପାଉଥିବା ଅନ୍ୟାୟ ଏବଂ ଅତ୍ୟାଚାର ପ୍ରତିବାଦରେ, ଦେଶରେ ଭିନ୍ନ ଭିନ୍ନ ଧର୍ମକୁ ପାଳନ କରୁଥିବା ଆଦିବାସୀ ଏବଂ ଖ୍ରୀଷ୍ଟୀୟାନଙ୍କ ପ୍ରତି କରାଯାଉଥିବା ପକ୍ଷପାତପୂର୍ଣ ବ୍ୟବହାର ବିରୁଦ୍ଧରେ, ମୁସଲମାନ ସମ୍ପ୍ରଦାୟର ସାମ୍ବିଧାନିକ ଅଧିକାର ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତଥା ମୁସଲିମ ସମ୍ପ୍ରଦାୟ ସହିତ ଘଟୁଥିବା ମୋବ୍ ଲିଞ୍ଚିଂ ବିରୁଦ୍ଧରେ, ଏସସି/ଏସଟି/ଓବିସି କର୍ମଚାରୀଙ୍କ ପାଇଁ ପଦୋନ୍ନତିରେ ସଂରକ୍ଷଣ ତୁରନ୍ତ କାର୍ଯ୍ୟକାରୀ କରିବା, ବେରୋଜଗାର ଯୁବପିଢିଙ୍କୁ ନିଯୁକ୍ତି ନ ଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପ୍ରତିବାଦରେ, ଓଏଏସ୍ ଏବଂ ଡାକ୍ତରୀ ବିଦ୍ୟାର୍ଥୀଙ୍କୁ ଯେପରି ଓପିଏସସି ପରୀକ୍ଷା ମାଧ୍ୟମରେ ଚୟନ କରାଯାଉ ଅଛି ସେହି ଭଳି ଇଞ୍ଜିନିୟରିଙ୍ଗ୍ ଛାତ୍ରଛାତ୍ରୀଙ୍କୁ ମଧ୍ୟ GATE ମାଧ୍ୟମରେ ଚୟନ କରା ନ ଯାଇ OPSC ପରୀକ୍ଷା ମାଧ୍ୟମରେ ନିଯୁକ୍ତି ଦିଆଯିବା ଦାବୀରେ, NEP- ୨୦୨୦କୁ ଲାଗୁକରି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ଗୁଡିକ ମର୍ଜର/ମିଶ୍ରଣ କରିବା ନାମରେ ବନ୍ଦ କରିବା ଏବଂ ଘରୋଇକରଣ ଦ୍ଵାରା ନିଯୁକ୍ତିର ସୁଯୋଗ ସମାପ୍ତ କରାଯିବା ବିରୁଦ୍ଧରେ, ଓଡ଼ିଶାରେ MBBS, Laboratory Technician, Nursing, B.Farm, M.Arch, O.U.A.T., D.E.I.Ed., B.Ed ଭଳି ବୈଷୟିକ ଶିକ୍ଷାରେ ଆଦିବାସୀଙ୍କୁ ୨୨.୫%, ଅନୁସୂଚିତ ଜାତିଙ୍କୁ ୧୫% ଏବଂ ପଛୁଆ ବର୍ଗ (ଓବିସିଙ୍କୁ) ୫୨% ସଂରକ୍ଷଣ ତୁରନ୍ତ ଦିଆଯିବା ଦାବୀରେ, ଜିଲ୍ଲାସ୍ତରୀୟ ନିଯୁକ୍ତି (ଚାକିରୀ) କ୍ଷେତ୍ରରେ ରାଷ୍ଟ୍ରୀୟ / ରାଜ୍ୟସ୍ତରୀୟ ସଂରକ୍ଷଣନୀତି କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଜିଲ୍ଲାସ୍ତରର ଲୋକମାଙ୍କର ସଂଖ୍ୟା ଅନୁପାତରେ ST, SC, OBCଙ୍କୁ ସ୍ଵତନ୍ତ୍ର ସଂରକ୍ଷଣ ପ୍ରଦାନ କରାଯିବା ଦାବୀରେ, କଳକାରଖାନା ଗୁଡିକରେ ଠିକାଦାରଙ୍କ ଅଧୀନରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଦିଆଯିବା ବଦଳରେ ବିରୋଧ ପ୍ରଦର୍ଶନ କରିଲେ କାର୍ଯ୍ୟରୁ ନିଳମ୍ବିତ କରାଯିବା ଭଳି ଶୋଷଣ ଏବଂ ଅତ୍ୟାଚାର ବିରୁଦ୍ଧରେ, ଓଡିଶାରେ ସରାକାରଙ୍କ ପଦୋନ୍ନତିରେ ଆରକ୍ଷଣ ନୀତିରେ ଗ୍ରୁପ୍ (ଏ) ଶ୍ରେଣୀର କର୍ମଚାରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ST ଏବଂ SC ବର୍ଗର ଲୋକଙ୍କୁ ଉପରିସ୍ଥ ପଦବୀଗୁଡିକରେ ପଦୋନ୍ନତିରୁ ବଞ୍ଚିତ କରାଯାଇ ସର୍ବୋଚ୍ଚ ପଦବୀଗୁଡିକରେ ତଥାକଥିତ ଅଣସଂରକ୍ଷିତ ବର୍ଗର ଲୋକଙ୍କର ଅନିୟନ୍ତ୍ରୀତ ନିୟନ୍ତ୍ରଣ ବିରୁଦ୍ଧରେ, ଚୁକ୍ତି ଭିତ୍ତିକ ବା ଠିକା ନିଯୁକ୍ତି ବନ୍ଦ କରାଯାଇ ସମସ୍ତ କ୍ଷେତ୍ରରେ ନିଯୁକ୍ତି ସ୍ଥାୟୀ ଭିତ୍ତିରେ କରାଯିବା ଦାବୀରେ, ବିଗତ ୩୦/୦୮/୨୦୨୫ ରେ ଓଡିଶା ସରକାରଙ୍କ ଗୃହ ବିଭାଗ ଦ୍ଵାରା ପ୍ରକାଶିତ ଏସଟି ଏବଂ ଏସସି ଅତ୍ୟାଚାର ନିବାରଣ ଅଧିନିୟନ (ST & SC Atrocity PoA Act)ବିରୋଧୀ ବିଜ୍ଞପ୍ତି ବିରୁଦ୍ଧରେ, ସହର ଏବଂ ଗ୍ରାମାଞ୍ଚଳରେ ବର୍ଷ ବର୍ଷ ଧରି ବସବାସ କରି ରହିଆସୁଥିବା ବସ୍ତି ବାସିନ୍ଦାମାନଙ୍କୁ ଉପଯୁକ୍ତ ସ୍ଥାୟୀ ପଟ୍ଟା ଯୋଗାଇ ଦିଆ ନ ଯାଇ ବାସଚ୍ୟୁତ କରାଯିବା ବିରୁଦ୍ଧରେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ମହିଳା ଏବଂ ଛାତ୍ରୀମାନଙ୍କ ପ୍ରତି ହେଉଥିବା ବଳାତ୍କାର, ହତ୍ୟା, ଶୋଷଣ ଏବଂ ଅତ୍ୟାଚାର ପୀଡିତାଙ୍କୁ ଅତିଶୀଘ୍ର ନ୍ୟାୟ ପ୍ରଦାନ ଦାବୀରେ, ଓଡିଶାରେ ପେସା ଅଧିନିୟମ ୧୯୯୬ ଅନୁରୂପ ପେସା ଆଇନ ପ୍ରଣୟନ କରି ପାରମ୍ପରିକ ଗ୍ରାମସଭା ଏବଂ ସମସ୍ତ ଗ୍ରାମ ମୁଖିଆଙ୍କୁ ଆଇନଗତ ମାନ୍ୟତା ପ୍ରଦାନ କରାଯିବା ସହିତ ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ ଏବଂ କଲ୍ୟାଣ ନିମନ୍ତେ ଧାରା ୨୪୪ ଅନ୍ତର୍ଗତ ୫ମ ଓ ୬ଷ୍ଠ ଅନୁସୂଚୀତ କ୍ଷେତ୍ର ପାଇଁ ଆଇନଗତ ଅଧିନିୟନ ପ୍ରଣୟନ କରାଯାଇ କଡାକଡି ଭାବରେ କାର୍ଯ୍ୟକାରୀ କରାଯିବା ଦାବୀରେ, ଦୀର୍ଘଦିନ ଧରି ଆଦିବାସୀଙ୍କ ଦଖଲରେ ଥିବା ଜଙ୍ଗଲ ଜମିରୁ ବଳପୂର୍ବକ ଉଚ୍ଛେଦ କରା ନ ଯାଇ ଜଙ୍ଗଲ ଜମି ଅଧିକାର ଆଇନ୍ ୨୦୦୬ ଅନୁଯାୟୀ ସ୍ଥାୟୀ ପଟ୍ଟା ତଥା ଆର୍ଓଆର୍ ପ୍ରଦାନ କରାଯିବା ଦାବୀରେ, ଆଦିବାସୀ ଅନ୍ୟୁଷିତ ଜିଲ୍ଲା/ଅଞ୍ଚଳ ଗୁଡିକୁ ଏନ୍ଏସି (ବିଜ୍ଞପିତ ଅଞ୍ଚଳ ପରିଷଦ)ରେ ପରିଣତ କରାଯାଇ ଆଦିବାସୀଙ୍କୁ ସେମାନଙ୍କର ଜଳ, ଜଙ୍ଗଲ, ଜମି ଓ ବାସସ୍ଥାନରୁ ଉଚ୍ଛେଦ କରାଯିବା ପରିବର୍ତ୍ତେ ସ୍ୱୟଂଶାସିତ ଜିଲ୍ଲା ପରିଷଦ ଅଞ୍ଚଳ ଭାବରେ ଘୋଷଣା କରାଯିବା ଦାବୀରେ; ଉର୍ଦୁ, ତେଲୁଗୁ, ବଙ୍ଗଳା ଭାଷାଭାଷି ବିଦ୍ୟାର୍ଥୀଙ୍କ ପରି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏନ୍ଇପି -୨୦୨୦ ଅନ୍ତର୍ଗତ ମାତୃଭାଷାରେ ଶିକ୍ଷା ଉପଲବ୍ଧ କରାଇବା ପାଇଁ ୨୦ ଜଣରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବା ପ୍ରାଥମିକ / ଉଚ୍ଚ ପ୍ରାଥମିକ / ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଜଣେ ଲେଖାଏଁ ଆଦିବାସୀ ଭାଷା ଶିକ୍ଷକଙ୍କୁ ନିଯୁକ୍ତି କରାଯିବା ଦାବୀରେ, ଓଡ଼ିଶାର ବିଭିନ୍ନ ଜିଲ୍ଲାର ଏସ୍ଏସ୍ଡ଼ି ଆବାସିକ ବିଦ୍ୟାଳୟର ଅବ୍ୟବସ୍ଥା ବିରୁଦ୍ଧରେ, ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ସମସ୍ତ ତୃତୀୟ ଶ୍ରେଣୀ ସରକାରୀ କର୍ମଚାରୀଙ୍କୁ ଜିଲ୍ଲାଭିତ୍ତିକ ନିଯୁକ୍ତି ପ୍ରଦାନ ଦାବୀରେ, ଦେଶରେ ଅନୁସୂଚିତ ଜାତି (ଏସ୍ସି ) ବର୍ଗର କିଛି ଲୋକ ଖ୍ରୀଷ୍ଟିୟାନ ଧର୍ମ ଓ ଇସଲାମ ଧର୍ମକୁ ପାଳନ କରିଥିବା ହେତୁ ସାମ୍ବିଧାନିକ ଅନୁସୂଚିତ ଜାତି ତାଲିକାରୁ ବାଦ ଦେଇ ସେମାନଙ୍କୁ ସଂରକ୍ଷଣରୁ ବଞ୍ଚିତ କରାଯାଇଛି ଫଳରେ ସେମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଦାରିଦ୍ର୍ୟତା ମଧ୍ୟରେ କାଳାତିପାତ କରୁଛନ୍ତି । ଏଣୁ ଖ୍ରୀଷ୍ଟଧର୍ମ ଓ ଇସଲାମ ଧର୍ମ ଗ୍ରହଣ କରିଥିବା ଅନୁସୂଚିତ ଜାତି ବର୍ଗଙ୍କୁ ପୁନଶ୍ଚ ଅନୁସୂଚିତ ଜାତି ତାଲିକାରେ ଅନ୍ତର୍ଭୁକ୍ତ କରିବା, ସିଜେଆଇଙ୍କ ପ୍ରତି ଅପମାନଜନକ ବ୍ୟବହାର କରିଥିବା ବ୍ୟକ୍ତି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ, ଆଇପିଏସ୍ ପୂରଣ କୁମାରଙ୍କ ସହିତ ଜାତିଆଣ ଭେଦଭାବ କରି ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିବା ବିରୁଦ୍ଧରେ, ଆନ୍ଦୋଳନକରି ବୁଦ୍ଧିଜିବୀ ସୋନମ୍ ବଙ୍ଗଚୌଙ୍କୁ ଅଣସାମ୍ବିଧାନିକ ପ୍ରକ୍ରିୟାରେ ଏନ୍ଏସ୍ଏ ଲଗେଇ ଗିରଫ୍ତାର କରାଯାଇ ଜେଲରେ ରଖିବା ବିରୁଦ୍ଧରେ ତଥା ବହୁଜନ ସମାଜ ସହିତ ଜଡିତ ଅନ୍ୟାନ୍ୟ ରାଷ୍ଟ୍ରୀୟ, ରାଜ୍ୟ ଏବଂ ଜିଲ୍ଲା ସ୍ତରର ସମସ୍ତ ଗମ୍ଭୀର ସମସ୍ୟା ଗୁଡ଼ିକ ନେଇ ଏହି ଜନଆକ୍ରୋଶ ମହାରାଲି କରାଯାଇଥିଲା । କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ପ୍ରଶାସନର ମନମୁଖୀ ଜନବିରୋଧୀ ନୀତି, ମୂଳନିବାସୀ ବହୁଜନ ସମାଜର ଐତିହାସିକ ଏବଂ ସାମ୍ବିଧାନିକ ଅଧିକାର ଗୁଡ଼ିକ ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଇ ଅବହେଳା କରାଯିବା ବିରୁଦ୍ଧରେ ଆୟୋଜିତ ଆଜିର ଏହି ଦେଶବ୍ୟାପୀ ବିଶାଳ ଜନ-ଆକ୍ରୋଶ ମହାରାଲି ମାଧ୍ୟମରେ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, ସରକାର ଯଦି ଉପରୋକ୍ତ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକ ବିଚାରକୁ ନେଇ ସମୟ ମଧ୍ୟରେ ଉଚିତ ସମାଧାନ ନ କରନ୍ତି ତେବେ ଆଗାମୀ ଭବିଷ୍ୟତରେ ଏହା ଠାରୁ ଅଧିକ ତୀବ୍ର ଆନ୍ଦୋଳନ ଦେଶବ୍ୟାପୀ କରାଯିବ ଏବଂ ଯେ ପର୍ଯ୍ୟନ୍ତ ବହୁଜନ ସମାଜର ସମସ୍ତ ମୌଳିକ ସମସ୍ୟାର ଉଚିତ ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଏହି ଜନଆକ୍ରୋଶ ମହାରାଲିରେ ଭାରତ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି କାମେଶ୍ଵର ହେମ୍ବ୍ରମ, ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ଜିଲ୍ଲା ସଭାପତି ବୈଦ୍ୟନାଥ ସିଂହ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ରାଜ୍ୟ ସଂଯୋଜିକା ଶାନ୍ତିଲତା ଚାତାର, ବହୁଜନ ମୁକ୍ତି ପାର୍ଟିର ଜିଲ୍ଲା ସଭାପତି ଦୁର୍ଗାଚରଣ ସିଂହ, ଭାରତ ମୁକ୍ତି ମୋର୍ଚ୍ଚା ମହିଳା ସଂଘର ଜିଲ୍ଲା ସଭାନେତ୍ରୀ କାପୁରା ମାଝୀଙ୍କ, ଶିବାନୀ ସୋରେନ, ତୁଳସୀ ତିୟୁ ପ୍ରମୁଖ ନେତୃତ୍ୱ ନେଇଥିଲେ ଏବଂ ଅନ୍ୟାନ୍ୟ ସଂଗଠନ ମଧ୍ୟରେ ଭାରତ ଜାକତ ମାଝି ପାର୍ଗାନା ମୋହଲ ଓଡିଶା ଶାଖାର ସଭାପତି ବାଳକରାମ ବାସ୍କେ, ମୁଣ୍ଡାରୀ ସମାଜ ସାଂୱାର ଜାମଡ଼ାର ଜିଲ୍ଲା ସଭାପତି ନନ୍ଦଲାଲ୍ ସିଂହ ପ୍ରମୁଖ ସାଥ-ସହଯୋଗ ଏବଂ ସହଭାଗୀ ଥିଲେ । ଏତଦ ବ୍ୟତୀତ ରାଷ୍ଟ୍ରୀୟ ମୁସଲିମ ମୋର୍ଚ୍ଚା, ରାଷ୍ଟ୍ରୀୟ କିଶାନ ମୋର୍ଚ୍ଚା, ଅଲ୍ଇଣ୍ଡିଆ ସେଡ୍ୟୁଲକାଷ୍ଟ ଫେଡେରେସନ ଆଦି ଅନେକ ସଙ୍ଗଠନ ସମର୍ଥନ କରିଥିବା ବେଳେ ରାମ ଚରଣ ମାରାଣ୍ଡି, ସୁକୁରାମ ସିଂହ, ମଙ୍ଗଲ ସିଂହ, ଲତାରାଣି ସିଂହ, ମାଳତୀ ମାରାଣ୍ଡି, ପ୍ରଶ୍ନଜୀତ ପୁର୍ତ୍ତି, ରୁକ୍ମଣୀ ସିଂହ, ଜୟନ୍ତ ସିଂହ, ପିଠା ହେମ୍ବ୍ରମ, ସିମନ୍ ଟୁଡୁ, ସୋନାଲି ସୋରେନ, ସୁକୁରା ସିଂହ, ପାଣ୍ଡୁ ସିଂହ ପ୍ରମୁଖଙ୍କ ସମେତ ଏଥିରେ ୧୦ ହଜାରରୁ ଅଧିକ ସଂଖ୍ୟାରେ ମହିଳା, ପୁରୁଷ, ବିଦ୍ୟାର୍ଥୀ, ଛାତ୍ରଛାତ୍ରୀ, ବେରୋଜଗାର, ଯୁବପିଢ଼ି ଏବଂ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ ।