ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ସ୍ଥାନୀୟ ହୋଟେଲ ପାର୍କଲେଣ୍ଡଠାରେ ଭାଗବତ ପ୍ରଚାର ସମିତି(ବୃନ୍ଦାବନ) ବଲାଙ୍ଗିର ଶାଖା ଆନୁକୁଲ୍ୟରେ ଶ୍ରୀମହନ୍ତ ସଚ୍ଚିଦାନନ୍ଦ ଦାସ ଶାସ୍ତ୍ରୀଜୀ ମହାରାଜଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଖିଳ ଭାରତୀୟ ଚତୁଃ ସମ୍ପ୍ରଦାୟ ବୈଷ୍ଣବ ପରିଷଦର ଅଧ୍ୟକ୍ଷ ଭାବରେ ଭାଗବତାଚାର୍ୟ୍ୟ ତଥା ବ୍ୟାକରଣାଚାର୍ୟ୍ୟ ସଚ୍ଚିଦାନନ୍ଦ ମହାରାଜ ପୁନଃ ମନୋନିତ ହୋଇଥିବା ଉପଲକ୍ଷେ ଏହି ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା । ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପର୍ବରେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି କ୍ୟାବିନେଟ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଯୋଗଦାନ କରି ମହାରାଜଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ସହ ସମ୍ମାନିତ କରିଥିଲେ । ବିଶେଷତଃ କ୍ଷଣ ଭଙ୍ଗୁର ଜୀବନରୁ ମୁକ୍ତିଲାଭ ସକାଶେ ସତ୍ସଙ୍ଗର ନିହାତି ଆବଶ୍ୟକତା ଉପରେ ଶ୍ରୀ ଶାସ୍ତ୍ରୀଜୀ ମହାରାଜ ପ୍ରବଚନ ଦେଇଥିଲେ । ଏହି ସମାରୋହରେ ପୁର୍ବତନ ବିଧାୟକ ରମାକାନ୍ତ ସେଠ୍, ବିଶିଷ୍ଠ ସମାଜ ସେବୀ ବିକ୍ରମାନନ୍ଦ ବହିଦାର, କୃଷ୍ଣଚନ୍ଦ୍ର ମିଶ୍ର, ପଦ୍ମଚରଣ ଆଚାର୍ୟ୍ୟ, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, ଶଶିକାନ୍ତ ନାଏକ, ହିମାଶୁଂ ସେଖର ପାଢ଼ୀ, ସୁରେଶ କୁମାର ମୋଟେ ଏବଂ ଅନେକ ଭଗବତ ପ୍ରେମୀ ମାଁ ଓ ଭଉଣୀ ଉପସ୍ଥିତ ଥିଲେ । ଶେଷରେ ଭାଗବତ ପ୍ରଚାର ସମିତି ବୃନ୍ଦାବନର ସମ୍ପାଦକ ଅଶୋକ ଶର୍ମା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।