ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଶ୍ରୀମନ୍ଦିରରୁ ମହାପ୍ରସାଦ ଭେଟି ସହ ନିମନ୍ତ୍ରଣ ଆସିଲା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ନବବର୍ଷ ୨୦୨୪ ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠାତ୍ସୋବ ଯଥା ରୀତିନୀତିରେ ଯଜ୍ଞାନୁଷ୍ଠାନ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥି ନିମ୍ମିତ୍ତ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତନ୍ତ୍ରପୀଠ ମା’ ତାରାତାରିଣୀ ମନ୍ଦିର ଏବଂ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର, ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ଓ ଚିକିଲିର ଚକାଠାକୁର ମନ୍ଦିର କମିଟିଙ୍କୁ ନିମନ୍ତ୍ରଣ ହୋଇଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ପୂର୍ବାହ୍ନରେ ଉତ୍ସବ ମୁଖର ହୋଇଉଠିଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟଦ୍ୱାରଠାରୁ ଅଫିସ ପର୍ଯ୍ୟନ୍ତ ମହିଳାମାନଙ୍କ ଦ୍ୱାରା ଚିତା ଝୋଟି ତଥା ରଙ୍ଗୋଲିରେ ଭରପୂର ହୋଇଥିଲା । ଜିଲ୍ଲାପ୍ରଶାସନ ଦ୍ୱାରା ଆୟୋଜିତ ଯୋଡ଼ିଶଙ୍ଖ ଲୋକନୃତ୍ୟ ଦଳ, ଘଣ୍ଟ, ମୃଦଙ୍ଗ ଧ୍ୱନି, ମିଶନଶକ୍ତିର ଶହସ୍ରାଧିକ ମାଆମାନଙ୍କ ହୁଳାହୁଳି ଧ୍ୱନିରେ ଦପ୍ତରାଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା । ଭବ୍ୟ ସ୍ୱାଗତର ବ୍ୟବସ୍ଥିତ ମାଧ୍ୟମରେ ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ଧାମରୁ ଆସିଥିବା ଜଗନ୍ନାଥଙ୍କ ସେବକ ଗୋଷ୍ଠୀଙ୍କୁ ସସମ୍ମାନରେ ପାଛୋଟି ଅଣାଯାଇଥିଲା । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପୁରୀ ସେବାୟତ ଗୋଷ୍ଠୀଙ୍କୁ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ସାଦରରେ ନିମନ୍ତ୍ରଣ ଗ୍ରହଣ କରାଯାଇଥିଲା । ପୁରୀ ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ଏବଂ ରବି ନାରାୟଣ ସାମନ୍ତରାୟ, ବିଦ୍ୟାଧର ମହାସୁଆର, ବିଶ୍ୱନାଥ ସାମନ୍ତରାୟ, ଶ୍ରୀମନ୍ଦିର ସେବାୟତଗଣ ଚିକିଲି ଚକାଠାକୁର ଗଙ୍ଗାଧର ଖୁଣ୍ଟିଆ ସଭାପତି, ରାମଚନ୍ଦ୍ର ମହାକୁଡ ଉପ-ସଭାପତିଙ୍କୁ ମନ୍ଦିର ତରଫରୁ ନିମନ୍ତ୍ରଣ କରାଯାଇଥିଲା । ସେହିପରି ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପକ୍ଷରୁ ଦ୍ୱିତୀୟ ଦଳରେ ସହକାରୀ ଶ୍ରମ ନିୟୋଜନ ଅଧିକାରୀ, ପୁରୀ ଜିଲ୍ଲା ବିକ୍ରମ କେଶରୀ ପ୍ରଧାନ ଏବଂ ସୋମନାଥ ପ୍ରତିହାରୀ, କଳିଯୁଗ ହରେ କ୍ରିଷ୍ଣା, ନାରାୟଣ ପ୍ରତିହାରୀ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଟ୍ରଷ୍ଟି ବୋର୍ଡର ସଭାପତି ତଥା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ପ୍ରଶାସନିକ ଅଧିକାରୀ ଟି.କେ.ରେଡ୍ଡୀ, ପୂଜକ କମିଟି ସଭାପତି ତପନ ରଣା, ପୂଜକ ବାପୁଜୀ ରଣାଙ୍କୁ ନିମନ୍ତ୍ରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ଛତ୍ରପୁର ଉପ ଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ଛତ୍ରପୁର ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ୍ ସଂଗ୍ରାମ ଜିତ୍ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମ୍ ପ୍ରମୁଖ ଜିଲ୍ଲାର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଭାରତ ମଧ୍ୟରେ ଓ ଭାରତ ସହ ସୁସମ୍ପର୍କ ରକ୍ଷା କରି ଆସିଥିବା ଦେଶ, ଭାରତ ବାହାର ଅଞ୍ଚଳ ମଧ୍ୟରେ ଏବଂ ରାଜ୍ୟ ଭିତରର ବିଭିନ୍ନ ପ୍ରମୁଖ ଧର୍ମପୀଠ, ତୀର୍ଥକ୍ଷେତ୍ର ସ୍ଥଳିର ମୁଖ୍ୟମାନଙ୍କୁ ଯୋଗ ଦେବା ନିମନ୍ତେ ପୁରୀ ଜଗନ୍ନାଥ ଧାମ ପକ୍ଷରୁ ନିମନ୍ତ୍ରଣ କରାଯାଉଥିବା ସରକାରୀ ସୂତ୍ରରୁ ଜଣାଯାଇଛି ।

Leave A Reply

Your email address will not be published.