- ବଲାଙ୍ଗିର ଜିଲ୍ଲାରେ ଅଖଚକ, ଦୋକାନ ବଜାର, ବ୍ୟାଙ୍କ, ବୀମା କାର୍ଯ୍ୟାଳୟ ବନ୍ଦ
ବଲାଙ୍ଗିର, (କେପିଏନ୍ଏସ୍) : କୋସଳାଞ୍ଚଳକୁ ସରକାର ଅଣଦେଖା କରୁଥିବା ଓ ବୈମାତୃକ ମନୋଭାବ କାରଣରୁ ଏହି ଅଞ୍ଚଳ ଅର୍ଥନୈତିକ ସ୍ତରରେ ଅନୁନ୍ନତ ହୋଇଯାଇଛି । ଏହି ଅଞ୍ଚଳର ସାଂସ୍କୃତି ଓ ଭାଷାକୁ ହୀନମନ୍ୟ ଦେଖାଯାଉଛି । ତେଣୁ ସ୍ୱତନ୍ତ୍ର କୋସଳ ରାଜ୍ୟ ଗଠନ କରିବାକୁ ଦୀର୍ଘ ୪୦ବର୍ଷ ହେଲା ଦାବୀ ହୋଇଆସୁଛି । ଏବେ ଏହି ଦାବୀ ତୀବ୍ର ହେବାରେ ଲାଗିଛି । କୋସଲବାଦୀ ସଂଗଠନମାନେ କୋସଳାଞ୍ଚଳକୁ ବନ୍ଦ ଡାକରା ଦେଇଛନ୍ତି । ଏହାର ପ୍ରଭାବ ବଲାଙ୍ଗିରରେ ଅନୁଭୂତ ହେଉଛି । ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ସଦରମହକୁମା, ପାଟଣାଗଡ, ଟିଟିଲାଗଡ, କଣ୍ଟାବାଞ୍ଜି, ତୁଷୁରା, ସଇଁତଲା, ଲୋଇସିଂହା, ଆଗଲପୁର, ଚନ୍ଦନଭାଟି, ଚୁଡାପାଲିରେ ସମସ୍ତ ଦୋକାନବଜାର ବନ୍ଦ ରହିଥିଲା । ବଲାଙ୍ଗିର ଜିଲ୍ଲାରେ ଯାନବାହନ ଚଳାଚଳ, ସ୍କୁଲ କଲେଜ, ଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । କେବଳ କୋର୍ଟ, ଥାନା ଓ ଡାକ୍ତରଖାନାକୁ ଛାଡିଦେଲେ ବାକି ସବୁ ବନ୍ଦ ରହିଥିବା ଦେଖାଯାଇଥିଲା । ସହରର ଦୋକାନବଜାର ସ୍ୱତଃପ୍ରବୃତ ଭାବରେ ବନ୍ଦ ରହିଥିଲା । ସରକାରୀ ଓ ବେସରକାରୀ ବସଚଳାଚଳ ମଧ୍ୟ ବନ୍ଦ ରହିଥିଲା । ଫଳରେ ବଲାଙ୍ଗିର ଜିଲ୍ଲା ଏକ ପ୍ରକାର ଠପ୍ ହୋଇଯାଇ ଜୀବନଯାତ୍ରା ବ୍ୟାହତ ହୋଇଥିଲା । ସକାଳୁ କୋସଲ ସମନ୍ୱୟ ସମିତି, କୋସଲ ସେନା, କୋସଲ ରାଜ୍ୟମୁକ୍ତି ମୋର୍ଚ୍ଚା ଇତ୍ୟାଦି ସଂଗଠନର କାର୍ଯ୍ୟକର୍ତ୍ତାମାନେ ପିକେଟିଂ କରିଥିଲେ । ବିଭିନ୍ନ ସଂଗଠନ ପକ୍ଷରୁ ମୋଟର ସାଇକେଲ ଶୋଭାଯାତ୍ରା କରାଯାଇ ଏହି ବନ୍ଦକୁ ଖୋଲା ସମର୍ଥନ ଜଣାଇଥିଲେ । ବଲାଙ୍ଗିର ବିଧାୟକ ତଥା ଜିଲ୍ଲା କଂଗ୍ରେସ କମିଟି ଆଜିର ବନ୍ଦକୁ ସମର୍ଥନ ଜଣାଇଥିଲେ । ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ଆଜି ବନ୍ଦ ପିକେଟିଂରେ ସାମିଲ ହୋଇଥିବାର ଦେଖାଯାଇଥିଲା । ସେହିପରି ଲୋଇସିଂହାର ବିଜେପି ବିଧାୟକ ଡ.ମୁକେଶ ମହାଲିଙ୍ଗ, ବଲାଙ୍ଗିର ଏକ୍ସନ କମିଟିର ଆବାହକ ତଥା ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଥିଲେ । ପିକେଟିଂ ସମୟରେ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଜାତୀୟ କ୍ରୀଡା ପାଇଁ ହେଉଥିବା ୱାର୍କସପକୁ ଆନ୍ଦୋଳନକାରୀମାନେ ପହଞ୍ଚି ବନ୍ଦ କରାଇଥିଲେ ଓ ସେଠାରେ ଚୌକି ଟେବୁଲ ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ କୋସଲ ସେନାର ୭ଜଣ କର୍ମକର୍ତ୍ତାଙ୍କୁ ପୋଲିସ ଗିରଫ କରିବା ପରେ ସହରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆନ୍ଦୋଳନକାରୀମାନେ ଟାଉନ ଥାନାକୁ ପହଞ୍ଚି ଥାନକୁ ଘେରାଉ କରିଛନ୍ତି । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ନାଗରିକ କମିଟିର ସଂପାଦକ ମନୋରଂଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ କୋସଲବାଦୀ ନେତା ତଥା କୋସଲ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର ଓଡିଶା ସହିତ ଗଡଜାତ ଅଞ୍ଚଳର ମିଶ୍ରଣଠୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ହୋଇଥିବା ପ୍ରତାରଣା ବିଷୟରେ କହି ସ୍ୱତନ୍ତ୍ର କୋସଳ ରାଜ୍ୟ ହିଁ ଏହାର ଶେଷ ବିକଳ୍ପ ବୋଲି ଆହ୍ୱାନ ଦେଇଥିଲେ । ଏହି ଅଞ୍ଚଳର ଖଣି, ଖାଦାନ, କେନ୍ଦୁପତ୍ର, ଚାରମହୁଲର ରୟାଲ୍ଟି ନେଇ ଓଡିଶା ସରକାର ଉପକୂଳ ଅଞ୍ଚଳର ଜିଲ୍ଲାମାନଙ୍କରେ ଖର୍ଚ୍ଚ କରୁଛି । କିନ୍ତୁ ଜାଣିଶୁଣି କୋସଳାଞ୍ଚଳକୁ ଅଣଦେଖା କରି ରଖାଯାଇଛି । ତେଣୁ ଆଗକୁ ଆନ୍ଦୋଳନକୁ ତ୍ରୀବ୍ର କରାଯାଇ ସମ୍ବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର ରାଜ୍ୟ ଦାବୀ କରାଉଛି ବୋଲି ଶ୍ରୀ ମିଶ୍ର ଆହ୍ୱାନ ଦେଇଥିଲେ । ସେହିପରି ଅବଦୁଲ ଜମାଲ ଖାନ, ବିଜେପିନେତା ଗୋପାଳଜୀ ପାଣିଗ୍ରାହୀ, ଛାତ୍ର କଂଗ୍ରେସର ଅଙ୍କିତ ସାହୁ, କିଷାନ କଂଗ୍ରେସର ସାନନ୍ଦ ମିଶ୍ର, ନଗର କଂଗ୍ରେସର ବୁଲୁ ଦାନୀ, କୋସଲସେନାର ସଭାପତି କୌସ୍ତୁଭ ସାହୁ, ନାଗରିକ କମିଟିର ବିକ୍ରମାନନ୍ଦ ବହିଦାର, ବସନ୍ତ ଆଚାର୍ଯ୍ୟ, କୋସଲବାଦୀ ନେତା ରବି ମିଶ୍ର, ଡୋଲାମଣୀ ମିଶ୍ର, ଡ.ଘାସିରାମ ମିଶ୍ର, ଗୋପଭୂଷଣ ନାଥ, ମିଳିତ ଟ୍ରେଡୟୁନିୟନର ସଭାପତି ବିଭୁଦତ୍ତ ମିଶ୍ର, କ ଂଗ୍ରେସର ଅଜୟ ବାଲି, ଲିପନ ମିଶ୍ର, କୈଳାଶ ମିଶ୍ର, ଝୁଲୁ ପଟ୍ଟନାୟକ, କୋସଲକ୍ରାନ୍ତି ଦଳର ଭରତ ପୃଷ୍ଟି, ଦଳିତନେତା ଦ୍ରୋଣ କୁମ୍ଭାର, ଭିଲେଜର୍ସ ଇଣ୍ଡିଆପାର୍ଟିର ଡ.ବିପିନ କୁସଲିଆ ପ୍ରମୁଖ ଆଞ୍ଚଳିକ ବୈଷମ୍ୟକୁ ନେଇ ରାଜ୍ୟସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଠିକ ସେହିପରି ପାଟଣାଗଡରେ ମୋଟରସାଇକେଲରାଲି, ବେଲପଡା, ମଣ୍ଡଳ, ଯୋଗିମୁଣ୍ଡାରେ ବନ୍ଦର ପ୍ରଭାବ ଦେଖାଦେଇଥିଲା । ବଲାଙ୍ଗିର ଚନ୍ଦନଭାଟି ରାସ୍ତାର କଣ୍ଟାପାଲି ଛକରେ ମୁଖ୍ୟରାସ୍ତା ଉପରେ ବିକ୍ଷୋଭକାରୀ ଟାୟାର ଜାଳି ଆନ୍ଦୋଳନ କରିଥିଲେ ।