oom

ଅଗ୍ନିଶମ କର୍ମଚାରୀଙ୍କ ମହାନତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶାସକ୍ତ ଅବସ୍ଥାରେ ବାଇକ୍‌ରେ ଯାଉଥିବା ବେଳେ ରାସ୍ତାକଡ଼ର ଗଛରେ ବାଡେ଼ଇ ହୋଇ ସାରା ରାତି ରାସ୍ତା କଡ଼ରେ ପଡ଼ିଥିବା ଯୁବକଙ୍କୁ ସକାଳୁ ଉଦ୍ଧାର କରି ଅଗ୍ନିଶମ ବାହିନୀ କର୍ମଚାରୀମାନେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁଇଁତଲା ଥାନା ଅନ୍ତର୍ଗତ ମହୀମୁଣ୍ଡା ଆଦର୍ଶ ବିଦ୍ୟାଳୟ ପାଖରେ । ମିଳିଥିବା ସୂଚନା ଅନୁସାରେ, ବଲାଙ୍ଗିର ନେତ୍ର ନିକେତନରେ ଡ୍ରାଇଭର କାମ କରୁଥିବା ପୁଇଁତଲା ଥାନା ବିଲେଇକାନି ଗାଁର ଉତ୍କଳ ବାଗ(୨୫) ଗତକାଲି ରାତି ପ୍ରାୟ ୮ଟାରୁ ୯ଟା ଭିତରେ ବଲାଙ୍ଗିର ସହରରେ କାମ ସାରି ବାଇକ୍‌ ଯୋଗେ ଗାଁକୁ ଫେରୁଥିବା ସମୟରେ ନିଶାସକ୍ତ ଅବସ୍ଥାରେ ଥିବା ଯୋଗୁଁ ବାଇକ୍‌ ସମ୍ଭାଳି ନପାରି ଘଟଣା ସ୍ଥଳରେ ରାସ୍ତାକଡ଼ର ଏକ ଗଛରେ ବାଡେ଼ଇ ହୋଇଥିଲେ ଓ ସେଠାରେ ହିଁ ସାରା ରାତି ଏତେ ଶୀତ କାକରରେ ପଡ଼ି ରହିଥିଲେ । ଫଳରେ ଉତ୍କଳଙ୍କ ସାରା ଦେହ କାକର ହୋଇଯାଇଥିଲା ଓ ସେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ । ଆଜି ଭୋର୍‌ ସକାଳୁ ମହୀମୁଣ୍ଡା ଅଗ୍ନିଶମ କାର୍ୟ୍ୟାଳୟର କର୍ମକର୍ତ୍ତାମାନେ ମର୍ଣ୍ଣିଂ ୱାକ୍‌ ଯାଇଥିବା ସମୟରେ ରାସ୍ତାକଡ଼ରେ ପଡ଼ିଥିବା ଯୁବକଙ୍କୁ ଦେଖି ତୁରନ୍ତ ଉଦ୍ଧାର କରିବା ସହ ତାଙ୍କୁ ବଲାଙ୍ଗିର ବିବିଏମ୍‌ସିଏଚ୍‌ରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ଅଗ୍ନିଶମ କର୍ମଚାରୀଙ୍କ ଏଭଳି ତୁରନ୍ତ ପଦକ୍ଷେପ ଯୋଗୁଁ ଅଂଚଳରେ ବେଶ୍‌ ପ୍ରଶଂସା କରାଯାଇଛି ।

jittmm
Leave A Reply

Your email address will not be published.