ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାକେଶ ନାୟକ ପାଇଥିବା ଜଣେ ରୋଗୀଙ୍କ ଟଙ୍କା ଭର୍ତ୍ତି ପର୍ସ ଫେରାଇ ମହାନତାର ପରିଚୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ରାକେଶ ଅସ୍ଥି ଶଲ୍ୟ ୱାର୍ଡରେ କାର୍ଯ୍ୟରତ ଥିବା ସମୟରେ ଏକ ପର୍ସ ପାଇଥିଲେ । ସେଥିରେ ପ୍ରାୟ ଆଠ ହଜାର ଟଙ୍କା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା । ଯାହାକୁ ନେଇ ରାକେଶ ପଚରାଉଚୁରା କରିବା ପରେ ଜାଣିଥିଲେ ଯେ, ପର୍ସଟି ଆଗଲପୁର ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ରଂଜିତ ଗଡତ୍ୟାଙ୍କର । ଶ୍ରୀ ଗଡତ୍ୟା ତାଙ୍କ ଜଣେ ସମ୍ପର୍କୀୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେ ତାଙ୍କ ପାଖରେ ଥିବା ପର୍ସକୁ ହଜାଇ ଦେଇଥିଲେ । ଏହା ଜାଣିବା ପରେ ରାକେଶ ସଂଗେ ସଂଗେ ହସ୍ପିଟାଲ ମ୍ୟାନେଜରଙ୍କୁ ଖବର ଦେବା ସହ ପର୍ସଟିକୁ ଫେରାଇ ଦେଇଥିଲେ । ଏହାକୁ ନେଇ ସୁରକ୍ଷାକର୍ମୀ ରାକେଶଙ୍କୁ ଚାରିଆଡେ ପ୍ରଶଂସା କରିବା ସହ ପ୍ରଶାସନିକ ସ୍ତରରେ ମଧ୍ୟ ତାଙ୍କ ମହାନତାକୁ ପ୍ରଶଂସା କରାଯାଇଛି ।