ବ୍ଲକ ଅଧ୍ୟକ୍ଷ ପଦ ଫେରି ଫାଇଲେ ବିନ୍ଦୁ ମହାନନ୍ଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଦୀର୍ଘ ୧୧ ମାସ ପରେ ପୁଣିଥରେ ଅଧ୍ୟକ୍ଷ ପଦ ଫେରି ପାଇଛନ୍ତି ବିନ୍ଦୁ ମହାନନ୍ଦ । ଫସଲବୀମା ହେରାଫେରି, ପୁଲିସ କେସ ଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚଲାଣ କରିଥିଲା । ସେ ନିୟମିତ ବେଲ୍‌ ମାଧ୍ୟମରେ ଘରକୁ ଫେରିଥିଲେ । ତାଙ୍କର କେସ୍‌ ବର୍ତ୍ତମାନ କୋର୍ଟରେ ଚାଲୁ ରହିଥିବା ବେଳେ ସେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି । ତେଣୁ ରାଜ୍ୟ ସରକାର ତାଙ୍କ ବ୍ଲକ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ କରିଥିବାରୁ ଆଜି ସେ ତାଙ୍କର ହଜାର ହଜାର ସମର୍ଥକ ମାନଙ୍କ ସହିତ ବ୍ଲକ କାର୍ଯ୍ୟାଳୟକୁ ଯାଇ ବ୍ଲକ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ବିଜେପିର ଅନେକ ବରିଷ୍ଠ କର୍ମୀମାନେ ସେଠାରେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପୂର୍ବରୁ ଅନେକ ଜନ ହିତକର କାର୍ଯ୍ୟ, ଦୈନନ୍ଦିନ ଲୋକଙ୍କ ଅଭିଯୋଗ ଶୁଣିବା ଓ ଲୋକଙ୍କ ଦ୍ୱାର ମୁହଁରେ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ବ୍ଲକ ଅଧିକାରୀମାନଙ୍କୁ ଧରି ଗାଁ ଗାଁ ବୁଲି ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରୁଥିଲେ । ତେଣୁ ବିନ୍ଦୁ ଜିଲ୍ଲାରେ ପରିଚିତ ହୋଇ ପାରିଥିଲେ । ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବଢି ଚାଲିଥିଲା । ସେହି ସମୟରେ ବିରୋଧୀ ବିଜେଡି ଗୋଷ୍ଠୀ ଚକ୍ରାନ୍ତ କରି ବିନ୍ଦୁଙ୍କୁ ଫସାଇ ଦେଇ ଜେଲ ପଠାଇ ଦେଇଥିବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା । ଆଜି ଶ୍ରୀ ମହାନନ୍ଦ ବ୍ଲକ ଅଧ୍ୟକ୍ଷ ପଦ ଫେରି ପାଇଥିବା ବେଳେ ତାଙ୍କ ସମର୍ଥକ ମହଲରେ ଖୁସିର ମାହୋଲ ଦେଖାଦେଇଛି । ଅପରପକ୍ଷରେ ଲୋକଙ୍କ ଦୁଆର ମୁହଁରେ ସେବା ମାଧ୍ୟମରେ ଲୋକଙ୍କ ସମସ୍ୟା ସମଧାନ କରାଯିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ । ଆଜି ବିଜେପିର ଶତାଧିକ ସମର୍ଥକଙ୍କ ଗହଣରେ ଯାଇ ଅଧ୍ୟକ୍ଷ ପଦବୀରେ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.