jayashree

ବଡମାଧପୁରରେ ଐତିହାସିକ ୨୨ତମ ପଞ୍ଚୁଦଣ୍ଡ ଯାତ୍ରାର ମହାମିଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ଦୀର୍ଘ ୨୨ ବର୍ଷ ଧରି ପରମ୍ପରା କ୍ରମେ ପ୍ରଚଳିତ ହୋଇ ଆସିଥିବା ପଞ୍ଚୁଦଣ୍ଡ ଯାତ୍ରାର ମହାମିଳନ ବର୍ଣ୍ଣାଢ଼୍ୟ ସମାରୋହରେ ସୋମବାର ଦିନ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଏପ୍ରିଲ ୧୦ ତାରିଖରେ ସମାହିତ ହୋଇ ଆସୁଥିବା ପଞ୍ଚୁଦଣ୍ଡ ମହାମିଳନ ଯାତ୍ରାରେ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା, କବିସୂର୍ଯ୍ୟନଗର (ପରିଡ଼ା ପାର୍ଟି), ବାବନପୁର, ଶାଳବଣ ଓ ପୁରୁଷୋତ୍ତମପୁର (ତେଲି ପାର୍ଟି) ଆଦି ୫ଟି ଗ୍ରାମର ମା’ଦଣ୍ଡକାଳୀ ଯାତ୍ରାଦଳ ଅଂଶଗ୍ରହଣ କରିଥିଲେ । ଏହି ମହାମିଳନ ସମ୍ଭାରରେ ମହାକାଳୀ ଓ ମହାଦେବ ମିଳନ ହୋଇଥିଲା । ଏହି ମହାମିଳନ ସମୟରେ ଝୁଣାର ସୁଗନ୍ଧ ମହକରେ ମିଳନ ସ୍ଥଳ ସମ୍ପୂର୍ଣ୍ଣ ବାସରେ ମହକି ଉଠିଥିଲା । ଢୋଲ ଓ ଝାଞ୍ଜ ନାଦରେ ଉକ୍ତ ଅଞ୍ଚଳର ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା । ଏହାକୁ ଦେଖିବା ଲାଗି ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ପଞ୍ଚୁଦଣ୍ଡ ଯାତ୍ରା ଦଳ ସମ୍ମିଳିତ ହୋଇ ନଗର ପରିକ୍ରମା କରିଥିବା ବେଳେ ପ୍ରତ୍ୟେକ ଘର ଦାଣ୍ଡ ସମ୍ମୁଖରେ ପୂର୍ଣ୍ଣ-କଳସ ସଂସ୍ଥାପନା କରି ଠାକୁରଙ୍କୁ ସ୍ୱାଗତ କରିଥିଲେ । ପଞ୍ଚୁଦଣ୍ଡ ମହାମିଳନରେ ଗ୍ରାମରେ ଆଧ୍ୟାତ୍ମିକ ଜାଗରଣ ସହ ଭକ୍ତି ଭାବାପନ୍ନରେ ପରିବେଶ ମୁଖରୀତ ହୋଇଥିଲା । ଏଠାରେ ପଞ୍ଚୁଦଣ୍ଡ ଯାତ୍ରାଦଳର ସମ୍ମିଳିତ ଧୂଳିଦଣ୍ଡ, ପାଣିଦଣ୍ଡ, ଅଗ୍ନିଦଣ୍ଡ, ସନ୍ଧ୍ୟା ଆଳତୀ ଓ ରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଦେଖିବା ନିମନ୍ତେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ତଥା କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ପଞ୍ଚୁଦଣ୍ଡ ଯାତ୍ରା କମିଟି ଓ ବଡମାଧପୁର ଗ୍ରାମବାସୀଙ୍କ ସହଯୋଗରେ ପରିଚାଳନା କରାଯାଇଥିଲା ।

Leave A Reply

Your email address will not be published.