ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଅବସରରେ ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି କେନ୍ଦ୍ରଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ
- ପବିତ୍ର ତ୍ରିବେଣୀ ସଙ୍ଗମରେ ସାମାଜିକ ସଦ୍ଭାବନା ଓ ସଦିଚ୍ଛାର ପ୍ରତୀକ ‘ମହାକୁମ୍ଭ’ରେ ଶ୍ରଦ୍ଧାଳୁ ସନ୍ଥମାନଙ୍କ ଉପସ୍ଥିତିରେ ସ୍ନାନ କରିବା ପରେ ଅତ୍ୟନ୍ତ ଆନନ୍ଦିତ ଓ ଭାବପ୍ରବଣ
- ମହାକୁମ୍ଭ ଦେଶବାସୀଙ୍କ ମଧ୍ୟରେ ସନାତନ ପରମ୍ପରା ପ୍ରତି ଏକତା ଓ ଗର୍ବର ଭାବନା ବଢ଼ାଉଛି
- ସଙ୍ଗମ କୂଳରେ ପରିବାର ସହ ପୂଜାର୍ଚ୍ଚନା କରିବା ସହ ଦେଶବାସୀଙ୍କ ସମୃଦ୍ଧି ଓ ଉନ୍ନତି ପାଇଁ ପ୍ରାର୍ଥନା କଲେ ଗୃହମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ମହାକୁମ୍ଭ ସନାତନ ଧର୍ମର ଭବ୍ୟ ସମାବେଶ ତଥା ତୀର୍ଥସ୍ଥଳୀ ନୁହେଁ ବରଂ ଦେଶର ବିବିଧତା, ବିଶ୍ୱାସ ଓ ଜ୍ଞାନ ପରମ୍ପରାର ସମାଗମ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି । ପବିତ୍ର ତ୍ରିବେଣୀ ସଙ୍ଗମରେ ସାମାଜିକ ସଦ୍ଭାବନା ଓ ସଦିଚ୍ଛାର ପ୍ରତୀକ ‘ମହାକୁମ୍ଭ’ରେ ଶ୍ରଦ୍ଧାଳୁ ସନ୍ଥଙ୍କ ଉପସ୍ଥିତିରେ ସ୍ନାନ କରିବା ପରେ ଅମିତ ଶାହ ତାଙ୍କ ଅନୁଭୂତି ଏକ୍ସରେ ପୋଷ୍ଟ କରିଛନ୍ତି । ସମସ୍ତଙ୍କ ମଙ୍ଗଳ ପାଇଁ ସେ ମା’ ଗଙ୍ଗା, ମା’ ଯମୁନା ଓ ମା’ ସରସ୍ୱତୀଙ୍କୁ ପ୍ରାର୍ଥନା କରିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ, ମହାକୁମ୍ଭ ଦେଶବାସୀଙ୍କ ମଧ୍ୟରେ ସନାତନ ପରମ୍ପରା ପ୍ରତି ଏକତା ଏବଂ ଗର୍ବର ଭାବନା ବଢ଼ାଉଛି । ସେ ସଙ୍ଗମ କୂଳରେ ପରିବାର ସହ ପୂଜାର୍ଚ୍ଚନା କରିବା ସହ ଦେଶବାସୀଙ୍କ ସମୃଦ୍ଧି ଓ ଉନ୍ନତି ପାଇଁ ପ୍ରାର୍ଥନା କରିଥିଲେ । ଅମିତ ଶାହ କହିଥିଲେ ଯେ, ମହାକୁମ୍ଭ ସନାତନ ସଂସ୍କୃତିର ନିରବଚ୍ଛିନ୍ନ ପ୍ରବାହର ଏକ ଅନନ୍ୟ ପ୍ରତୀକ । କୁମ୍ଭ ଆମର ସନାତନ ଜୀବନ ଦର୍ଶନର ସମନ୍ୱୟ ଓ ପ୍ରତିଫଳନ । ସମଗ୍ର ବିଶ୍ୱକୁ ସମାନତା ଓ ସଦ୍ଭାବନାର ବାର୍ତ୍ତା ଦେଉଥିବା ସନାତନ ଧର୍ମର ମହାକୁମ୍ଭ କେବଳ ଏକ ତୀର୍ଥସ୍ଥଳୀ ନୁହେଁ ବରଂ ଦେଶର ବିବିଧତା, ବିଶ୍ୱାସ ଓ ଜ୍ଞାନ ପରମ୍ପରାର ସଂଗମ ।