ବରାହୀ ଖଣ୍ଡୁଆଳ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଶୁଭାରମ୍ଭ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସୁଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଅଁଳପଡା ଗ୍ରାମର ଆରାଧ୍ୟ ଦେବୀ ମା’ ବରାହୀ ଖଣ୍ଡୁଆଳଙ୍କ ପୀଠରେ ଶନିବାର ଦିନ ବିଶ୍ଵଶାନ୍ତି ମହାଯଜ୍ଞର ଶୁଭାରମ୍ଭ ହୋଇଯାଇଛି । କଅଁଳପଡା ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ଏହି ଧାର୍ମିକ କାର୍ଯ୍ୟରେ ଶ୍ରଦ୍ଧାଳୁମାନେ ଯୋଗଦେଇ ମା’ଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଏଥିରେ ଭାଗିରଥି ରାୟ ଓ ତାଙ୍କ ଧର୍ମପତ୍ନୀ ଗୌରୀ ରାୟ ଯଥାକ୍ରମେ କର୍ତ୍ତା ଓ କର୍ତ୍ତୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।ଗ୍ରାମର ୧୨ଜଣ ବ୍ରତୀ ସଙ୍କଳ୍ପ କରି ନିକଟସ୍ଥ ପଦନପଡା ପୁଷ୍କରିଣୀରୁ ଜଳଭରା କଳସ ଆଣି ଗ୍ରାମ ପରିକ୍ରମା କରିବା ପରେ ଯଥାବିଧି ଯଜ୍ଞ ମଣ୍ଡପରେ କଳସ ସ୍ଥାପନ କରିଥିଲେ । ପୁରୋଧା ଭାବେ ପଣ୍ଡିତ ମଦନ ମୋହନ ମିଶ୍ର ଓ ସାଥିମାନେ ଯୋଗଦେଇ ଯଥାରୀତି ପୂଜା କାର୍ଯ୍ୟ ତୁଲାଇଥିଲେ । ଶୁକ୍ରବାର ଅଙ୍କୁରାରୋପଣ କାର୍ଯ୍ୟ ସମ୍ପନ୍ନ ହେବା ପରେ ଶନିବାର କଳସ ସ୍ଥାପନ, ଯଜ୍ଞାଧିବାସ, ଶାଲାମଣ୍ଡନ, ସର୍ବ ଦେବାଦେବୀ ଆବାହନ ଓ ଅଗ୍ନିସ୍ଥାପନ କାର୍ୟ୍ୟ ସମ୍ପାଦନ ହୋଇଥିଲା । ଆଜି ଗୋଧୂଳି ଲଗ୍ନରେ ଯଜ୍ଞର ପୂର୍ଣାହୂତି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି । ଯଜ୍ଞ ପରିଚାଳନା କାର୍ଯ୍ୟରେ କଅଁଳପଡା ଗ୍ରାମବାସୀମାନେ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.