
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ମେ ୨୪ ଓ ୨୫ ତାରିଖରେ କାନାଡ଼ା ବିଶ୍ୱ ହିନ୍ଦୁ ପରିଷଦ ଆନୁକୂଲ୍ୟରେ କାନାଡ଼ାର ବ୍ରାମ୍ପଟନ ନଗରରେ ପ୍ରଥମ କାନାଡ଼ା ରାଷ୍ଟ୍ରୀୟ ହିନ୍ଦୁ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ସମଗ୍ର କାନାଡ଼ା ଏବଂ ଅନ୍ୟ ଦେଶରୁ ହିନ୍ଦୁ ପ୍ରତିନିଧି, ବୌଦ୍ଧ, ଜୈନ, ଇହୂଦୀ ପ୍ରତିନିଧି , ଅନ୍ୟାନ୍ୟ ହିନ୍ଦୁ ସଂଗଠନ, ମନ୍ଦିର କମିଟି ମୂଖ୍ୟ, ସମେତ ଛଅ ଶହ ପ୍ରତିନିଧି ଯୋଗ ଦେଇଥିଲେ । କାନାଡ଼ା ସରକାରଙ୍କ ମନ୍ତ୍ରୀ, ବିଧାନ ସଭା, ପାର୍ଲାମେଣ୍ଟ ସଦସ୍ୟ, ନଗର ମେୟର ଅତିଥି ଭାବରେ ଯୋଗ ଦେଇଥିଲେ । କାନାଡ଼ାରେ ସଂଗଠିତ ହିନ୍ଦୁ ସମାଜର ନିର୍ମାଣ ଓ କାନାଡ଼ାର ଉନ୍ନତିରେ ହିନ୍ଦୁ ସମାଜର ଯୋଗଦାନ ବିଷୟରେ ଆଲୋଚନା ହୋଇଥିଲା । ଉଲ୍ଲେଖନୀୟ ଯେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କାର୍ଯ୍ୟକର୍ତ୍ତା ଡ଼. ବାଞ୍ଛାନିଧି ପଣ୍ଡା ବିଦ୍ୟାଭାରତୀ ଢାଞ୍ଚାରେ ହିନ୍ଦୁ ମୂଲ୍ୟ ବୋଧ ଭିତ୍ତିକ ଶିକ୍ଷା ପାଇଁ କାନାଡ଼ାରେ କିପରି ବିଦ୍ୟାଳୟ ଖୋଳାଯାଇ ପାରିବ ତା ଉପରେ ଏକ କାଳାଂଶରେ ବୌଦ୍ଧିକ ପ୍ରଦାନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ ବିଶ୍ୱ ହିନ୍ଦୁ ପରିଷଦ ବିଶ୍ୱ ବିଭାଗ ଦାୟିତ୍ୱରେ ଥିବା ପୂଜ୍ୟ ସ୍ୱାମୀ ବିଜ୍ଞାନ ନନ୍ଦଙ୍କ ମାର୍ଗ ଦର୍ଶନରେ ହୋଇଥିଲା । କାନାଡ଼ା ବିଶ୍ୱହିନ୍ଦୁ ପରିଷଦ ସଭାପତି ମନିଷ ପୁରୀ, ଉପସଭାପତି କୁମାର ଜ୍ଞାନଚନ୍ଦାନି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।