
ଢେଙ୍କାନାଳ : ପିଚୁ ଗାଡ଼ି ଉପରେ ମାଡ଼ିଗଲା ହାଇୱା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଢେଙ୍କନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ରେକୁଳା ଗାଁ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ କାମାକ୍ଷାନଗର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ କ୍ଷୀରୋଦ ସାହୁ । ଅନ୍ୟ ୨ ଜଣଙ୍କର ପରିଚୟ ମିଳିନାହିଁ । ଆହତ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ରେକୁଳା ଗାଁ ରାସ୍ତାରେ ପିଚୁ କାମ ଚାଲିଥିଲା । ଏହି ସମୟରେ ଏକ ହାଇୱା ଆସି ପିଚୁ ଗାଡ଼ିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଥିଲେ । ପ୍ରଥମେ ସମସ୍ତଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ୨ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।