ସଙ୍ଗୀତାଙ୍କ ସାମ୍ବାଦିକ ସମ୍ମିଳନୀ : ମଦ ମାଫିଆଙ୍କୁ ମିଳୁଛି ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଓ ସୁରକ୍ଷା, ସବିଆଇ ଯାଞ୍ଚ ନିହାତି ଆବଶ୍ୟକ : ସଙ୍ଗୀତା

  • ଦେଶୀ ମଦ ପରେ ଗଞ୍ଜେଇ ଚୋରା ଚାଲଣକୁ ନେଇ ସତର୍କ ହୁଅନ୍ତୁ ସରକାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ମଦ ନୀତି ଉପରେ ଜୋରଦାର ବର୍ଷିଛନ୍ତି ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ । ଗତ ସନ୍ଧ୍ୟାରେ ବଲାଙ୍ଗିର ସାର୍କିଟ ହାଉସଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ସମାନ ଏଜେନ୍ସିକୁ ବାରମ୍ବାର ସରକାର ଓ ଜିଲ୍ଲା ପ୍ରଶାସନ ଲାଇସେନ୍ସ ଜାରି କରୁଛନ୍ତି । କିନ୍ତୁ ଉଭୟେ ଏନେଇ ଅଜଣା ଥିବା ପ୍ରାୟ ଅସମ୍ଭବ । ତେଣୁ ମଦ ମାଫିଆଙ୍କୁ ସିଧା ସିଧା ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଓ ସୁରକ୍ଷା ରହିଛି । ଇନକମ ଟ୍ୟାକ୍ସ ଭଳି କେନ୍ଦ୍ରୀୟ ଏଜେନ୍ସି ତନାଘନା କରି ଶହ ଶହ କୋଟି ଟଙ୍କା ବାହାର କରିପାରିଥିବା ବେଳେ ଏଯାଏଁ ରାଜ୍ୟ ସରକାର କାହିଁକି କୌଣସି ପଦକ୍ଷେପ ନେଇ ନଥିଲେ । ତେଣୁ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ସବିଆଇ ତଦନ୍ତ ଦାବୀ କରିଛନ୍ତି ସାଂସଦ ସଂଗୀତା । ଅନ୍ୟପଟେ ଗଞ୍ଜେଇ ଚୋରା ଚାଲାଣକୁ ମଧ୍ୟ ଟାର୍ଗେଟ କରିଛନ୍ତି ସାଂସଦ । ସେ କହିଛନ୍ତି ଯେ, ଗଞ୍ଜେଇ ଚୋରା ଚାଲାଣ ଅବସ୍ଥା ସମାନ ରହିଛି । ଗଞ୍ଜେଇ ଚୋରା ଚାଲାଣ ଉପରେ ଉଚିତ୍‌ ତଦନ୍ତ କରାଗଲେ ଏଠି ମଧ୍ୟ ଧନ କୁବେରର ସନ୍ଧାନ ମିଳିପାରେ । ରାଜ୍ୟ ଏହି ଘଟଣାରୁ ଶିକ୍ଷା ନେଇ ଗଞ୍ଜେଇ ଉପରେ କିପରି ଲଗାମ ଲଗାଇବେ ଚିନ୍ତା କରିବା କଥା । ଅଯଥା ଫଟୋର ଶସ୍ତା ରାଜନୀତି ଜନସାଧାରଣଙ୍କ ହିତ କରିପାରିବ ନାହିଁ ବୋଲି ସାଂସଦ ସଙ୍ଗୀତା ଦେବୀ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇଥିଲେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳଜୀ ପାଣିଗ୍ରାହୀ, ଦିନେଶ ଶର୍ମା, ପଙ୍କଜିନୀ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.