ସ୍ୱତନ୍ତ୍ର ମିଳିତ ଚଢ଼ାଉରେ ଦେଶୀ ବିଦେଶୀ ମଦ ଜବତ, ୬ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ହୋଇଛି । ଏଥିରେ ସ୍ଥାନୀୟ ମାଜିଷ୍ଟ୍ରେଟ, ଅବକାରୀ ବିଭାଗ ଓ ସ୍ଥାନୀୟ ଥାନାର ପୋଲିସ ଅଧିକାରୀ ଓ ଷ୍ଟାଫ ମାନେ ସାମିଲ ଅଛନ୍ତି । ଏଥିସହ ସଶସ୍ତ୍ର ପୋଲିସ ବାହିନୀକୁ ନେଇ ଏହି ସ୍କ୍ୱାର୍ଡ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ବୁଧବାର ମଧ୍ୟ ଗଞ୍ଜାମ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ମଦ କାରବାର ଉପରେ ଚଢ଼ାଉ କରାଯାଇ ଏଥିରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରାଯାଇଛି । ଏଠାରେ ଏସମ୍ପର୍କରେ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭୋତ୍ରାଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଅଞ୍ଚଳର ସୀମା ଓରଫ୍ ସୀମାଞ୍ଚଳ ସାହୁ, ପ୍ରଫୁଲ୍ଲ କୁମାର ବେହେରା, ପ.ପି. ଗୌଡ଼, ପି. ଗୌତମ ପ୍ରଧାନ, ଅଜୟ ନାୟକ, ରାଜେଶ କୁମାର ଦାସ । ଏନେଇ ଅବକାରୀ ଥାନା ପକ୍ଷରୁ ୬ଟି ମାମଲା ରୁଜୁ କରାଯାଇ ଉକ୍ତ ଗିରଫ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗଞ୍ଜାମ ସହରତଳି ଅଞ୍ଚଳ ପୁଇଁତଳା, ଦାମୋଦରପୁର, ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ପଂଚାୟତ ର ନୋଳିଆନୂଆଗାଁ, ଗଞ୍ଜାମ ମେଡିକାଲ ଛକ ଓ ଢାମଣା ସାହି ଛକ ଠାରେ ବୁଧବାର ସକାଳୁ ବେଆଇନ ମଦ କାରବାର ଉପରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରି ଏହି ସଫଳତା ପାଇଛନ୍ତିନ। ଗିରଫ ମାନଙ୍କ ଠାରୁ ୧୪୨ ଲିଟର ଦେଶୀ ମଦ ଓ ୧୦୫.୭୦୦ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ସୂଚନା ଦିଆଯାଇଛି । କୁହାଯାଇଛି, ଗଞ୍ଜାମ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଛତ୍ରପୁର ଅବକାରୀ ସଦର ରେଞ୍ଜର ଇନ୍ସପେକ୍ଟର, ଛତ୍ରପୁର, ଖଲିକୋଟ ଅବକାରୀ ଥାନାର ଅଧିକାରୀ ଓ ଷ୍ଟାଫ, ଛତ୍ରପୁର ଓ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଏବଂ ଗଞ୍ଜାମ ଥାନାର ଅଧିକାରୀ ଓ ଷ୍ଟାଫ ଏହି ଚଢ଼ାଉ ରେ ସାମିଲ ଥିଲେ ଏଥିସହ ଏକ ସେକ୍ସନ ଏପିଆର ଫୋର୍ସ ଉକ୍ତ ଚଢ଼ାଉ ବେଳେ ମୁତୟନ ଥିଲେ ।

Leave A Reply

Your email address will not be published.