ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ପାଖ ଖୁଜେନପାଲି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମବାସୀମାନେ ମିଳିତ ଭାବେ ଗାଁର ମଦଭାଟିରେ ହୋହାଲ୍ଲା କରିବା ସହିତ ଗଦା ଗଦା ମଦ ପାଉଚ୍ ରାସ୍ତା ଉପରେ ଢ଼ାଳି ଦେଇଛନ୍ତି । ଗାଁ ମୁଣ୍ଡରେ ମଦ ଦୋକାନ ଖୋଲିବାକୁ ନେଇ ଲୋକେ ବିରୋଧ କରି ଆସୁଥିବା ବେଳେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଗାଁଲୋକେ । ଗ୍ରାମବାସୀଙ୍କ କହିବା ଅନୁସାରେ ପୂର୍ବରୁ ବଲାଙ୍ଗିର ଜିଲ୍ଲାପାଳ, ଏସ୍ପିଙ୍କୁ ଏଠାରେ ମଦ ଦୋକାନ ଖୋଲା ନଯାଉ ବୋଲି ଲୋକେ ଦାବୀ ଜଣାଇଥିବା ସତ୍ୱେ ଗାଁ ଲୋକଙ୍କୁ ଖାତିର୍ ନକରି ଏଠାରେ ଗଢ଼ି ଉଠିଛି ଦେଶୀ ମଦଭାଟି । ମଦଭାଟି ଭିତରୁ କୁଢ଼ କୁଢ଼ ଦେଶୀ ମଦ ପାଉଚ୍ କାଢ଼ି ଲୋକେ ରାସ୍ତା ଉପରେ ଫୋପାଡ଼ି ଦେଇଛନ୍ତି । ଏପରିକି ଏଠାରେ ଲୋକେ ରାସ୍ତା ଅବରୋଧ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ବଲାଙ୍ଗିର ପୋଲିସ ପହଂଚିଥିବା ବେଳେ ଲୋକେ ଦେଶୀ ମଦଭାଟିକୁ ଏଠାରେ ଖୋଲିବାକୁ ଦିଆଯିବ ନାହିଁ ବୋଲି ଜିଦ୍ ଧରି ବସିଛନ୍ତି ।
Prev Post
Next Post