ବଇଣ୍ଡା : କଠୋର ଜାତିପ୍ରଥା ବାସନ୍ଦ କଟକଣାରୁ ମରିଗଲା ମାନବିକତା । ଭିନ୍ନ ଜାତିରେ ବିବାହ କରିବାରୁ ଜିଇଁଥିବା ବେଳେ ପରିବାର କି ଶ୍ୱଶୁର ଘର ଲୋକ ମୁହଁକୁ ଚାହୁଁ ନ ଥିଲେ । ଗୁରୁବାର ଅକାଳ ମୃତ୍ୟୁ ପରେ ଶବକୁ କାନ୍ଧଦେବାକୁ ବି ଆସିଲେନି । ବିଧବା ପତ୍ନୀ ନାବାଳିକା ଝିଅ ସହ ଖଟରେ ବୋହି ସ୍ୱାମୀଙ୍କ ମରଶରୀର ମଶାଣିକୁ ନେବା ଘଟଣା ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି । ସୂଚନା ଅନୁସାରେ ଆଠମଲ୍ଲିକ ଥାନା ପେଣ୍ଡରାବସା ଗ୍ରାମର ପ୍ରକାଶ ପ୍ରଧାନ (୪୫) ୧୫ ବର୍ଷ ତଳେ ନୁନୁକାପଶି ପଞ୍ଚାୟତ ଶରଧାମୁଣ୍ଡା ଗ୍ରାମର ରୀତା ବିଶ୍ୱାଳଙ୍କୁ ପ୍ରେମବିବାହ କରିଥିଲେ । ଦୁହେଁ ଭିନ୍ନ ଜାତିର । ପାଲା ଗାୟକଙ୍କ ସହଯୋଗୀ ଭାବରେ ଉଭୟ କାମ କରୁଥିଲେ । ହେଲେ ବିବାହ ପରଠାରୁ ପ୍ରକାଶ ଓ ରୀତାଙ୍କ ପରିବାର ଦମ୍ପତିଙ୍କୁ ଗ୍ରହଣ କରିପାରିନଥିଲେ । ଉଭୟଙ୍କ ଜାତି ଅଲଗା ହୋଇଥିବାରୁ ସମାଜର କଟକଣାକୁ ଡରି ପ୍ରକାଶ ଓ ରୀତାଙ୍କ ପରିବାର ଲୋକେ ସେମାନଙ୍କଠାରୁ ଦୂରେଇ ଯାଇଥିଲେ । ଶରଧାମୁଣ୍ଡାଠାରେ ଘରଟିଏ ତୋଳି ପ୍ରକାଶ ମୁଣ୍ଡ ଗୁଞ୍ଜିଥିଲେ । ଉଭୟଙ୍କ ଦୁଇ ଝିଅ ଓ ଏକ ପୁଅ ଥିବା ବେଳେ ୫ ବର୍ଷ ତଳେ ସତେ ଯେମିତି ପରିବାରରେ ଚଡ଼କ ପଡ଼ିଥିଲା । କିଡ୍ନୀ ରୋଗରେ ପଡ଼ିଲେ ପ୍ରକାଶ । ଗୁରୁବାର ସକାଳେ ଆଖି ବୁଜିଥିଲେ । ପ୍ରକାଶଙ୍କ ମୃତ୍ୟୁସ୍ଥାନୀୟ ପୁଲିସ୍, ବ୍ଲକ କି ତହସିଲ୍ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ସହାୟତା ମିଳି ନଥିଲା । ପରନ୍ତୁ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପକ୍ଷରୁ ଶବଦାହ ପାଇଁ କାଠ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯିବାରୁ ଘରପାଖ ଶ୍ମଶାନରେ ଯୁବକଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି ।