om academy

ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟ ମାମଲା : ତିନି ଲୁଟେରାଙ୍କ ଠାରୁ ଲୁଟ ଟଙ୍କା ଓ ଭୁଜାଲି ଜବତ

jsm
  • ଡ୍ରାଇଭର ସହ ଦୁଇ ଦୁର୍ବୁତ୍ତ କରିଥିଲେ ମାଷ୍ଟର ପ୍ଲାନ ପ୍ରେସ ବିବୃତିରେ ସ୍ପଷ୍ଟ କଲା ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଇଲାକାରେ ଘଟିଯାଇଥିବା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ ମାମଲାର ପର୍ଦା ଫାସ କରିଛି ପୋଲିସ ପ୍ରଶାସନ । ବ୍ୟବସାୟୀଙ୍କ ପିକଅପ ଭ୍ୟାନ ଡ୍ରାଇଭର ହିଁ ଦୁର୍ବୁତ୍ତମାନଙ୍କ ସହ ମିଶି ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରି ତାଙ୍କଠାରୁ ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟ କରିବା ପାଇଁ ମାଷ୍ଟର ପ୍ଲାନ କରିଥିବା ନେଇ ରମ୍ଭା ଥାନାରେ ଏକ ସାମ୍ବାଦିକ ସମ୍ବିଳନୀରେ ଆଡିସନାଲ ଏସ୍‌ପି ଠାକୁର ପ୍ରସାଦ ପାତ୍ର ସ୍ୱଷ୍ଟ କରିଛନ୍ତି । ଡ୍ରାଇଭର ଦୁର୍ବୁତ୍ତଙ୍କୁ ଗୋଡ଼ାଇବା ଅଭିନୟ କରିଥିବା ବେଳେ ଦୁର୍ବୁତ୍ତଙ୍କ ସହ ୫୦ ହଜାର ଟଙ୍କା ଡିଲିଙ୍ଗ କରିଥିବା ପୋଲିସ ପ୍ରକାଶ କରିଛି ।ଦୁର୍ବୁତ୍ତମାନେ ହେଲେ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଗଡ଼ ଥାନା ଅଞ୍ଚଳର ତିତିପି ଗ୍ରାମର ସୁରେନ୍ଦ୍ର ଜେନାଙ୍କ ପୁଅ ଗୌତମ ଜେନା(୨୪), ଗଣେଶ ପଲେଇଙ୍କ ପୁଅ ଦୀନବନ୍ଧୁ ପଲେଇ(୨୦), ଦେଉଳ ପଡ଼ା ଗ୍ରାମର ପଞ୍ଚାନନ ପାହାନଙ୍କ ପୁଅ ଡ୍ରାଇଭର ମାନସ ପାହାନ(୩୬) । ସେମାନଙ୍କ ନିକଟରୁ ଲୁଟ ହୋଇଥିବା ୩ ଲକ୍ଷ ୭୦ ହଜାର ଟଙ୍କା ଓ ବ୍ୟବସାୟୀଙ୍କୁ ଆକ୍ରମଣ କରାଯାଇଥିବା ମାରଣାସ୍ତ୍ର ଜବତ କରାଯାଇଛି । ସୂଚନା ଥାଉକି ବ୍ୟବସାୟୀ ରବିନ୍ଦ୍ର ସାହୁ(୬୦) ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ଗଡ଼ ବ୍ଲକ ଚାରିଛକ ଅଞ୍ଚଳରେ ଏକ ତେଜରାତି ଦୋକାନ କରିଥିବା ବେଳେ ତିନି ଚାରିଦିନକୁ ଥରେ ବ୍ରହ୍ମପୁର ବ୍ୟବସାୟ ଉଦ୍ଦେଶ୍ୟରେ ଯିବା ଆସିବା କରିଥାନ୍ତି । ଗତ ୧୦ ତାରିଖରେ ସେ ତାଙ୍କ ଓ ଆର୍‌୦୭ଏକ୍ସ୪୨୬୯ ପିକଅପ ଭ୍ୟାନରେ ଲକ୍ଷାଧିକ ଟଙ୍କା ନେଇ ଡ୍ରାଇଭରଙ୍କ ସହ ବ୍ରହ୍ମପୁର ଯାଉଥିବା ସମୟରେ ପୂର୍ବ ଯୋଜନା ମୁତାବକ ପ୍ରୟାଗୀ ଓ ଅରୁଣପୁର ରାସ୍ତାର ସାହେବ କେନାଲ ଶଙ୍ଖ ନିକଟରେ ଓଡି୦୭ଏ୨୭୦୮ ନମ୍ବର ବିଶିଷ୍ଟ ପଲସରରେ ଗୌତମ ଓ ଦୀନବନ୍ଧୁ ପିକ୍‌ଅପ୍‌ ଭ୍ୟାନକୁ ଅଟକାଇ ବ୍ୟବସାୟୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ବ୍ୟାଗ ଛଡାଇ ଛୁ ମାରିଥିଲେ । ଡ୍ରାଇଭର ଦୁଇ ଦୁର୍ବୁତ୍ତଙ୍କୁ ଗୋଡ଼ାଇବା ଅଭିନୟ କରିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ରମ୍ଭା ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା ଘଟଣା ସ୍ଥଳରେ ପହଞ୍ଚି ବ୍ୟବସାୟୀଙ୍କୁ ମେଡିକାଲରେ ପହଂଚିବା ସହ ଉକ୍ତ ଘଟଣାର ସରଜମିନି ତଦନ୍ତ କରିବାକୁ ଯାଇ ସିସି ଟିଭି ଫୁଟେଜ ଯାଞ୍ଚ କରିବା ସହ ଡ୍ରାଇଭରଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହେବାରୁ ତନାଘନା ଚଳାଇଥିଲେ । ଯାହାକୁ ନେଇ ଦୀନବନ୍ଧୁଙ୍କୁ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରୁ ଗିରଫ କରିବା ସହ ତାଙ୍କ ଠାରୁ ମାରଣାସ୍ତ୍ର ଓ ଲୁଟ ଅର୍ଥ ଜବତ କରିଥିଲେ । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ୫୬୩/୨୧ ଅନୁଯାୟୀ ୟୁ/ଏସ୍‌ ୩୯୪ ଆଇପିଏସ୍‌ରେ କୋର୍ଟ ପରୱାର୍ଡ କରାଯିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.