ଲୋକନାଥ ରଣା ନିଖୋଜ ମାମଲା : ହତ୍ୟା ଆଶଙ୍କା, ସାନ ଭାଇ ଥାନାରେ ଅଟକ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ଫାଣ୍ଡି ଅଧିନ କୁଲୁତାଜୋର୍ ପଞ୍ଚାୟତ ଦେଉଳୀ ଗ୍ରାମର ଲୋକନାଥ ରଣା (୩୦) ଗତ ୧୨ ତାରିଖ ସନ୍ଧ୍ୟାରୁ ଘରୁ କେଉଁ ଆଡେ ଗଲେ ଆଉ ଫେରି ନଥିଲେ । ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ନ ପାଇବାରୁ ନିଖୋଜ ବିଷୟରେ ପିତା ତ୍ରିଲୋଚନ ରଣା ୨୦ ତାରିଖ ଦିନ ଘଣ୍ଟାପଡା ଫାଣ୍ତିରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଡେରିରେ ଅଭିଯୋଗ ପାଇଥିଲେ ମଧ୍ୟ ଏ ସମ୍ପର୍କରେ ଅନୁସନ୍ଧାନ କରୁଥିବା ବେଳେ କୌଣସି ସୂତ୍ରରୁ ହତ୍ୟା ହୋଇଥିବା ସଂପର୍କରେ ଖବର ପାଇ ଲୋକନାଥ ରଣାଙ୍କ ସାନ ଭାଇ ଡୋଳାମଣୀ ରଣା (୨୫)ଙ୍କୁ ଫାଣ୍ତିକୁ ଆଣି ପଚରା ଉଚୁରା ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ ପରିବାରର ସମସ୍ତେ ମିଳିମିଶି ରହୁଥିବା ବେଳେ ଲୋକନାଥ ଅଲଗା ରହିବା ସହ ସବୁବେଳେ ନିଶା ସେବନ କରି ଘରେ ଗାଳି ଝଗଡା କରୁଥିଲା । ନବାନ୍ନ ଦିନ ପରିବାରର ସମସ୍ତ ସଦସ୍ୟ ମିଶି ଏକତ୍ର ନୂଆଁଖାଇ ପାଳନ କରିଥିଲେ । ନୂଆଁଖାଇ ବାସୀ ଦିନ ଅର୍ଥାତ ଘଟଣା ଦିନ ମଧ୍ୟ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ଡୋଳାମଣି ରଣା ବଡ ଭାଇଙ୍କୁ ହତ୍ୟା କରି ମୃତ ଦେହରେ ପଥର ବାନ୍ଧି ବରପଦର ନିକଟ ତେଲନଦୀରେ ପକାଇ ଦେଇଥିବା ପୋଲିସକୁ ସୂଚନା ଦେଇଛି । ଡୋଲାମଣୀର ବୟାନ ଆଧାରରେ ବୁଧବାର ବୌଦ୍ଧ ଏସଡିପିଓଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ ଏବଂ କଣ୍ଟାମାଳ ଓ ଘଣ୍ଟାପଡା ପୋଲିସ ନିର୍ଦ୍ଧାରିତ ସ୍ଥାନକୁ ଯାଇ ପାୱାରବୋର୍ଟ ସାହାଯ୍ୟରେ ଅନୁସନ୍ଧାନ ଚଲାଇଥିଲେ ମଧ୍ୟ କୌଣସି ସୁରାକ ପାଇପାରି ନଥିଲେ । କିନ୍ତୁ ବାପା ତ୍ରିଲୋଚନ ରଣା ପୁଅ ଲୋକନାଥର ହତ୍ୟା କରାଯାଇଥିବା ବିଷୟକୁ ଅସ୍ୱୀକାର କରିଛନ୍ତି । ଘଟଣା ବିଷୟରେ ଅଧିକ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ପ୍ରଶାନ୍ତ ମଲିକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.