ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସାମ୍ବାଦିକ ଭବନରେ ଆଜି ସଂଧ୍ୟାରେ ଲୋକାର୍ପିତ ହେଇଯାଇଛି ମହାପ୍ରୟାଣ ଯାନ । ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ଯୋଗଦାନ କରି ଜିଲ୍ଲା ସାମ୍ବାଦିକ ସଂଘର ମହାପ୍ରୟାଣ ଯାନ ଲୋକାର୍ପଣ କରିଛନ୍ତି । ତାଙ୍କ ସହ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଏସ୍ପି ରିଷିକେଶ ଖିଲାରୀ ଏବଂ ଡବ୍ଲୁଓଡ଼ିସି ସିଇଓ ଡ.ଅଜିତ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ଏହି ସମାରୋହରେ ଜର୍ଣ୍ଣାଲିଷ୍ଟ ୱେଲ୍ଫେୟାର୍ ଟ୍ରଷ୍ଟର ସଭାପତି ସତ୍ୟସୁନ୍ଦର ଭଂଜ, ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ, ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ଶିଶିରକାନ୍ତ ଶତପଥୀଙ୍କ ସହ ସହରର ସମସ୍ତ ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ଯୋଗଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଦାନପ୍ରାପ୍ତ ଏହି ମହାପ୍ରୟାଣ ଯାନରେ ଡିପ୍ ଫ୍ରିଜିଙ୍ଗ୍ ସିଷ୍ଟମ୍ ରହିଥିବା ବେଳେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଏହାଦ୍ୱାରା ବଲାଙ୍ଗିରବାସୀ ବେଶ୍ ଉପକୃତ ହୋଇପାରିବେ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ତ୍ରିପାଠୀ କହିଛନ୍ତି ।