oom

ବୈତାଳି କ୍ଲଷ୍ଟର ସିଆରସିସିଙ୍କ ନିଆରା ପ୍ରୟାସ : ଶହୀଦ ଦିବସ ଅବସରରେ ୫ଟି ବିଦ୍ୟାଳୟରେ ଲୋକାର୍ପିତ ହେଲା ଶହୀଦ ଉଦ୍ୟାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବୈତାଳି କ୍ଲଷ୍ଟର ସିଆରସିସି ଦିବସ କୁମାର ସାହୁଙ୍କ ଉଦ୍ୟମ କ୍ରମେ କ୍ଲଷ୍ଟର ଅଧୀନସ୍ଥ ୫ଟି ବିଦ୍ୟାଳୟରେ ପୁଲୱାମା ଶହୀଦ ଯବାନମାନଙ୍କର ସ୍ମୃତିରେ ଆଜି ଶହୀଦ ଉଦ୍ୟାନ ଲୋକାର୍ପିତ କରାଯାଇଛି । ବିଦ୍ୟାଳୟ ଗୁଡ଼ିକ ହେଲା ଟୁହୁଙ୍ଗିଦାଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁମୁରିପାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଅମଠି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ପିଲାମାନଙ୍କ ମଧ୍ୟରେ ଦେଶଭକ୍ତି ଭାବନା ଜାଗ୍ରତ କରିବା ତଥା ଯବାନମାନଙ୍କ ସମ୍ବନ୍ଧରେ ପିଲାମାନଙ୍କୁ ପ୍ରତ୍ୟକ୍ଷ ସୂଚନା ପ୍ରଦାନ କରିବା ପାଇଁ ସିଆରସିସି ଦିବସ କୁମାର ସାହୁ ପାଇକମାଲ ଠାରେ ରହୁଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ଅବସରପ୍ରାପ୍ତ ଯବାନ ଡୋଳମଣି ବଢେଇଙ୍କୁ ନିମନ୍ତ୍ରଣ କରିଥିଲେ । ଶ୍ରୀ ବଢ଼େଇ ଉପରୋକ୍ତ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ଭାବ ଆଦାନ ପ୍ରଦାନ କରିଥିଲେ । ପ୍ରଥମେ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନେ ଯବାନଙ୍କ ଚଲାପଥରେ ପୁଷ୍ପ ବୃଷ୍ଟି କରି ପାଛୋଟି ନେଇଥିଲେ । ଏହି ସମୟରେ ଦେଶଭକ୍ତି ସ୍ଲୋଗାନମାନ ଦିଆଯାଉଥିଲା । ପରେ ପ୍ରତ୍ୟେକ ବିଦ୍ୟାଳୟର ୪୦ ଜଣ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଚାରା ରୋପଣ କରିବା ସହ ଶହୀଦ ଯବାନମାନଙ୍କ ଫଟୋକୁ ସେହି ଚାରା ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହାପରେ ଛାତ୍ରଛାତ୍ରୀମାନେ ଦୀପ ପ୍ରଜ୍ୱଳନ କରି ନମସ୍କାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଏବଂ ଅବସରପ୍ରାପ୍ତ ଯବାନ ଶ୍ରୀ ବଢ଼େଇଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପିଲାମାନେ ଯବାନମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତର ପ୍ରଦାନ କରି ପିଲାମାନଙ୍କୁ ଅନେକ ଉପାଦେୟ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ଯବାନମାନଙ୍କ କାର୍ଯ୍ୟଶୈଳୀ, ବୀରତ୍ୱ ତଥା ପ୍ରତିକୂଳ ପରିସ୍ଥିତିରେ ରହି ମଧ୍ୟ ଦେଶପ୍ରତି ସମର୍ପଣ ଭାବନା ରଖି ନିଜର କର୍ତ୍ତବ୍ୟ ପାଳନ କରିବା ସମ୍ବନ୍ଧରେ ଜ୍ଞାନ ଆହରଣ କରିଥିଲେ । ପିଲାଙ୍କ ମଧ୍ୟରେ ଦେଶଭକ୍ତି ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ସିଆରସିସି ଦିବସ କୁମାର ସାହୁଙ୍କ ଏହି ନିଆରା ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି । ଏହା ସହିତ ଏହିଭଳି କାର୍ଯ୍ୟକ୍ରମ ପ୍ରତେକ ସ୍କୁଲରେ ଆୟୋଜନ ହେବା କଥା ବୋଲି ଅନେକ ବୁଦ୍ଧିଜୀବୀ ମତ ରଖିଥିଲେ ।

jittmm
Leave A Reply

Your email address will not be published.