କେରଳମର ଏର୍ଣ୍ଣାକୁଲମ୍ରେ ୧୧,୦୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

  • ଏସବୁ ବିକାଶମୂଳକ ପ୍ରକଳ୍ପ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ, ପର୍ଯ୍ୟଟନ ବୃଦ୍ଧି ସହ ଲୋକମାନଙ୍କ ଜୀବନକୁ ସୁଗମ କରିବ: ପ୍ରଧାନମନ୍ତ୍ରୀ
  • ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭରଶୀଳ ଭାରତ ପାଇଁ ପେଟ୍ରୋଲିୟମ୍ କ୍ଷେତ୍ରର ବିସ୍ତାର ଅତ୍ୟନ୍ତ ଜରୁରୀ, ଯାହା ଆଜି କୋଚି ରିଫାଇନାରୀରେ ପଲି-ପ୍ରୋପିଲିନ୍ ୟୁନିଟ୍ର ଶିଳାନ୍ୟାସ କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ: ପ୍ରଧାନମନ୍ତ୍ରୀ
  • ବିଶ୍ୱ ଆଜି ଆଧୁନିକ ଭିତ୍ତିଭୂମିରେ ନିବେଶ ପାଇଁ ଭାରତକୁ ପ୍ରଶଂସା କରୁଛି; ଏହି ବର୍ଷର କେନ୍ଦ୍ର ବଜେଟ୍ ମଧ୍ୟ ଭିତ୍ତିଭୂମି ପାଇଁ ଏକ ରେକର୍ଡ ପରିମାଣର ବ୍ୟୟବରାଦ କରିଛି: ପ୍ରଧାନମନ୍ତ୍ରୀ
  • ଭିତ୍ତିଭୂମିରେ ଏସବୁ ନିବେଶରୁ କେରଳମ୍ ପ୍ରଚୁର ଲାଭ ପାଉଛି: ପ୍ରଧାନମନ୍ତ୍ରୀ
  • ‘ବିକଶିତ କେରଳମ’ ପାଇଁ ଆମର ସଂକଳ୍ପକୁ ପୂରଣ କରିବାରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳମ୍ର ଚଳଚଞ୍ଚଳ ଉପକୂଳ ସହର କୋଚି ଗସ୍ତ କରିଥିଲେ ଓ ରାଜ୍ୟର ପ୍ରଗତି ତ୍ବରାନ୍ବିତ କରିବାକୁ ବିଭିନ୍ନ ପ୍ରଭାବଶାଳୀ ପ୍ରକଳ୍ପର ଉଦଘାଟନ କରିଥିଲେ। ନିବେଶର ବ୍ୟାପକତା ଉପରେ ଗୁରୁତ୍ୱାରୋପ କରି, ପ୍ରଧାନମନ୍ତ୍ରୀ ପ୍ରାୟ ୧୧,୦୦୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଏକ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କୋଚି ଆସିବା ସର୍ବଦା ଏକ ମହାନ ଅଭିଜ୍ଞତା ରହିଆସିଛି ଓ ଏହି ପ୍ରକଳ୍ପଗୁଡ଼ିକ ପାଇଁ କେରଳବାସୀଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।”
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି କୋଚି ରିଫାଇନାରୀରେ ପଲିପ୍ରୋପିଲିନ୍ ୟୁନିଟର ଶିଳାନ୍ୟାସ ପେଟ୍ରୋଲିୟମ୍ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ୟାକେଜିଂ, ବୟନ ଏବଂ ଚିକିତ୍ସା ଉପକରଣ ଶିଳ୍ପକୁ ସମର୍ଥନ କରିବା ପାଇଁ ଏହି ୟୁନିଟ୍ ବାର୍ଷିକ ଚାରି ଲକ୍ଷ ଟନ୍ ଉତ୍ପାଦନ କରିବ ବୋଲି ଆଶା କରାଯାଉଛି। ଏହି ୟୁନିଟର ରଣନୈତିକ ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ “‘ମେକ୍ ଇନ୍ ଇଣ୍ଡିଆ’ ନିମନ୍ତେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ପେଟ୍ରୋଲିୟମ୍ କ୍ଷେତ୍ରର ବିସ୍ତାର ଅତ୍ୟନ୍ତ ଜରୁରୀ।”
ସମଗ୍ର ବିଶ୍ବରେ ଏକ ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ପାଇଁ, ପ୍ରଧାନମନ୍ତ୍ରୀ ଏଆଇ ଏବଂ ସେମିକଣ୍ଡକ୍ଟରରେ ଦେଶର ପ୍ରଗତିକୁ ସ୍ଥାୟୀ ଶକ୍ତିର ବର୍ଦ୍ଧିତ ଚାହିଦା ସହିତ ଯୋଡ଼ିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ କେରଳମକୁ ଏକ ଅଗ୍ରଣୀ କରିବା ଲକ୍ଷ୍ୟରେ, ଆଜି ପଶ୍ଚିମ କଲ୍ଲାଡାରେ ୫୦ ମେଗାୱାଟ ଭାସମାନ ସୌର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସେ ଉଲ୍ଲେଖ କରିଥିଲେ ଯେ କେରଳମରେ ବହୁ ସଂଖ୍ୟକ ଜଳାଶୟ ଥିବାରୁ, ଭାସମାନ ସୌରଶକ୍ତି କ୍ଷେତ୍ରରେ ରାଜ୍ୟରେ ପ୍ରଚୁର ସମ୍ଭାବନା ରହିଛି। ଏକ ସବୁଜ ଭବିଷ୍ୟତ ଆଡକୁ ପରିବର୍ତ୍ତନ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ, “ଏହା ଆମର ପ୍ରୟାସ ଯେ କେରଳମ୍ ସୌରଶକ୍ତି ଉତ୍ପାଦନରେ ଆହୁରି ଆଗକୁ ବଢ଼ିବ ।”
ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ପ୍ରକଳ୍ପ ଏବଂ ରେଳ ବିଦ୍ୟୁତୀକରଣ ମାଧ୍ୟମରେ ଆଞ୍ଚଳିକ ସଂଯୋଗୀକରଣରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ବିଷୟରେ ମଧ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ଶୋରାନୁର ଜଙ୍କସନ, କୁଟ୍ଟିପୁରମ ଏବଂ ଚାଙ୍ଗନାସେରିରେ ଆଧୁନିକୀକରଣ ପ୍ରୟାସ ଏବଂ ନୂତନ ପାଲକ୍କଡ-ପୋଲାଚି ଟ୍ରେନ ସେବା କେରଳମ୍ ଏବଂ ତାମିଲନାଡୁ ଉଭୟର ବାସିନ୍ଦାଙ୍କ ପାଇଁ ଯାତ୍ରା ଅଭିଜ୍ଞତାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବ । ସ୍ଥାନୀୟ ବିକାଶ ଉପରେ କେନ୍ଦ୍ର ବଜେଟର ପ୍ରଭାବ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ, “ଆଜି ବିଶ୍ୱ ଆଧୁନିକ ଭିତ୍ତିଭୂମିରେ ନିବେଶ ପାଇଁ ଭାରତକୁ ପ୍ରଶଂସା କରୁଛି।”
ସଡ଼କ ଭିତ୍ତିଭୂମି ବିଷୟରେ, ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ କୋଝିକୋଡ ବାଇପାସ ଏବଂ ଆଜିକ୍କାଲ ବନ୍ଦରକୁ ଉନ୍ନତ ସଂଯୋଗୀକରଣ ସମେତ ନୂତନ ଛଅ ଲେନ ବିଶିଷ୍ଟ ପ୍ରକଳ୍ପଗୁଡ଼ିକ ଯାତ୍ରା ସମୟ ଏବଂ ଭିଡ଼କୁ ଯଥେଷ୍ଟ ହ୍ରାସ କରିବ। ଶ୍ରୀ ସେ କହିଥିଲେ, “ଏହି ସମସ୍ତ ପ୍ରକଳ୍ପ କେରଳମର ଚାଷୀମାନଙ୍କୁ ଲାଭ ଦେବ ଏବଂ ଏଠାରେ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ ଶିଳ୍ପକୁ ପ୍ରୋତ୍ସାହିତ କରିବ।”
ତାଙ୍କ ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମିରେ ନିବେଶିତ ପ୍ରତ୍ୟେକ ଟଙ୍କା ଯୁବକମାନଙ୍କ ନିମନ୍ତେ ବ୍ୟାପକ ନିଯୁକ୍ତି ସୃଷ୍ଟି ପାଇଁ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରେ। ଶ୍ରୀ ମୋଦୀ ତାଙ୍କର ଦୃଢ଼ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହି ବହୁ-କ୍ଷେତ୍ରୀୟ ପ୍ରକଳ୍ପଗୁଡ଼ିକ ରାଜ୍ୟର ସମୃଦ୍ଧ ଭବିଷ୍ୟତ ପାଇଁ ଅତ୍ୟାବଶ୍ୟକ ଭିତ୍ତିଭୂମି ପରି କାମ କରିବ । ଏହି ଅଞ୍ଚଳର ପ୍ରଗତି ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ମୋଦୀ କହିଥିଲେ, “ମୁଁ ନିଶ୍ଚିତ ଯେ ଏହି ପ୍ରକଳ୍ପଗୁଡ଼ିକ ‘ବିକଶିତ କେରଳମ’ ପାଇଁ ଆମର ସଂକଳ୍ପ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।”

Leave A Reply

Your email address will not be published.