ସୁବର୍ଣ୍ଣପୁରରେ ‘ଜନ୍ନତ ଏ କିଡ୍ସ ଲଭ୍ ଷ୍ଟୋରୀ’ ମ୍ୟୁଜିକ ଭିଡ଼ିଓର ଲୋକାର୍ପଣ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦୁଇ ଜଣ ଶିଶୁ କଳାକାରଙ୍କୁ କେନ୍ଦ୍ରକରି ନିର୍ମିତ ସମ୍ବଲପୁରୀ କିଡ୍ସ ଲଭ୍ ଷ୍ଟୋରୀ ଆଧାରିତ ମ୍ୟୁଜିକ ଭିଡ଼ିଓ ‘ଜନ୍ନତ ଏ କିଡ୍ସ ଲଭ ଷ୍ଟୋରୀ’ ର ଲୋକାର୍ପଣ ଉତ୍ସବ ସୁବର୍ଣ୍ଣପୁର ସହରର ପ୍ରତୀକ କଲ୍ୟାଣ ମଣ୍ଡପ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ କିରଣବାଳା ମିଶ୍ରଙ୍କ ପ୍ରଯୋଜନାରେ ପାଣିନୀ ପ୍ରାଜ୍ଞ ପ୍ରଡକ୍ସନ ପକ୍ଷରୁ ନିର୍ମିତ ଏହି ମ୍ୟୁଜିକ ଭିଡ଼ିଓରେ ଶିଶୁ କଳାକାର ଶ୍ରେହାନ ପ୍ରସାଦ ଓ ଦେବାଂଶୀ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବାବେଳେ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଯୁବ ନିର୍ଦ୍ଦେଶକ ସୁରେଶ ପ୍ରସାଦ । ଶିଶୁମନର ସ୍ନିଗ୍ଧ ଭାବନା, ନିର୍ମଳ ମିତ୍ରତା ଓ ଆନନ୍ଦମୟ ଅନୁଭୂତିକୁ ଆଧାର କରି ଏହି ଭିଡ଼ିଓଟି ଦର୍ଶକଙ୍କ ମନକୁ ସ୍ପର୍ଶ କରୁଥିବା ଜଣାପଡିଛି । ଲୋକାର୍ପଣ ଅବସରରେ ସମାଜସେବୀ ଅରବିନ୍ଦ ବାରିକ, ସଙ୍ଗୀତଜ୍ଞ ବିକାଶ ମିଶ୍ର, ନିର୍ଦ୍ଦେଶକ ପାଣିନୀ ପ୍ରାଜ୍ଞ, ଅଭିନେତା ରୋଶନ ଭରଦ୍ୱାଜ ଓ ମୁନିଆ ଭରଦ୍ୱାଜ ଅତିଥି ଭାବେ ଉପସ୍ଥିତ ରହି ଏହି ନୂଆ ସମ୍ବଲପୁରୀ ଆଲବମକୁ ଔପଚାରିକ ଭାବେ ଲୋକାର୍ପଣ କରିଥିଲେ । ଅତିଥିମାନେ ଏପରି ଶିଶୁକୈନ୍ଦ୍ରିକ କଳା ଓ ପ୍ରତିଭାର ବିକାଶ ତଥା ସମ୍ବଲପୁରୀ ସଙ୍ଗୀତ ଜଗତ ପାଇଁ ନୂଆ ଦିଗ ଖୋଲିବ ବୋଲି ମତ ପ୍ରକାଶ କରିଥିଲେ । ଅବିନାଶ ହୋତାଙ୍କ ସଂଯୋଜନାରେ ଆୟୋଜିତ ଏହି ମ୍ୟୁଜିକ ସନ୍ଧ୍ୟାରେ ଶତାଧିକ କଳାପ୍ରେମୀ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ ଜିତେନ, ଶେଖର, ଅଭିଳାଷ ସଙ୍ଗୀତ ପରିବେଷଣ କରିଥିବାବେଳେ ଟ୍ରେଣ୍ଡି ଏକାଡେମୀର ଶିଶୁ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା ।

Leave A Reply

Your email address will not be published.