
ଭୁବନେଶ୍ୱର, (କେପିଏନ୍ଏସ୍) : ଆଜି ଲୋକସେବା ଭବନ ପରିସରରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ, ଖଲିକୋଟ ପାଇଁ ପ୍ରସ୍ତୁତ ୱେବ୍ ସାଇଟ୍ http://gcacodisha.nic.inର ଶୁଭାରମ୍ଭ ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି । ଏହାକୁ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମଧୁସୂଦନ ପାଢୀ, ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ୱେବ୍ ସାଇଟ୍କୁ ଉନ୍ମୋଚନ ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ପାତ୍ର ଏହାର ଉପକାରୀତା ସମ୍ପର୍କରେ ଆଲୋଚନା କରିଥିଲେ । ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ପରିଚାଳିତ ଖଲିକୋଟ, ଗଞ୍ଜାମ ସ୍ଥିତ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଏକ ପୁରାତନ କଳା ଅନୁଷ୍ଠାନ । ଏହା ଏକ ମନୋରମ ପରିବେଷ୍ଟନୀ ମଧ୍ୟରେ ୧୯୫୭ ମସିହାରେ ପ୍ରତିଷ୍ଠା ଲାଭ କରି କଳାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିବା ସହିତ ଦେଶରେ ପୂର୍ବାଞ୍ଚଳରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ସୁନାମ ଅର୍ଜନ କରିଛି । ଓଡିଶା ସମେତ ଭାରତର ପଶ୍ଚିମବଙ୍ଗ, ଅରୁଣାଞ୍ଚଳ ପ୍ରଦେଶ, ବିହାର, ଉତ୍ତର ପ୍ରଦେଶ ଓ ଦିଲ୍ଲୀ ଆଦି ବହୁ ରାଜ୍ୟରୁ ଛାତ୍ରଛାତ୍ରୀ ଆସି ଏଠାରେ ଅଧ୍ୟୟନ କରୁଛନ୍ତି । ଏଠାରେ ବହୁ ପ୍ରତିଭାବାନ ଛାତ୍ରଛାତ୍ରୀ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ନିଜକୁ ପ୍ରତିଷ୍ଠିତ କରିବା ସହିତ ଭାରତୀୟ କଳା ଇତିହାସ ତଥା ସାମ୍ପ୍ରତିକ କଳାକାରତିତାକୁ ଋଦ୍ଧିମନ୍ତ କରିଆସୁଛନ୍ତି । ଏହି ୱେବ୍ ସାଇଟ୍ ଲୋକାର୍ପିତ ହେବା ଦ୍ୱାରା ଓଡିଶା ତଥା ଦେଶର ଜନ ସାଧାରଣ ଉପକୃତ ହେବା ସହିତ ଓଡିଆ କଳାକାରିତା ତଥା ସାମ୍ପ୍ରତିକ କଳା ଚର୍ଚ୍ଚାର ପରିସର ସୁଦୂର ପ୍ରସାରି ହେବା ସଙ୍ଗେ ସଙ୍ଗେ କଳାର ଅଭିବୃଦ୍ଧିରେ ସହାୟକ ହେବ । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ସୁବ୍ରତ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଏହି ୱେବ୍ ସାଇଟ୍ ପ୍ରସ୍ତୁତି ଓ ଲୋକାର୍ପଣ ପାଇଁ ଉପସ୍ଥିତ ଅତିଥି ତଥା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ ଦାସ ଏବଂ ଅଧ୍ୟାପକମାନେ ଉପସ୍ଥିତ ଥିଲେ ।