ବଲାଙ୍ଗିର, (କେପିଏନ୍ଏସ୍) : ଦ୍ଵାବିଂଶତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ଆଜି ପ୍ରସ୍ତୁତି ବୈଠକ ସଦର ମହକୁମା ସ୍ଥିତ ସଂସ୍କୃତି ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥର ଜାନୁଆରୀ ୨୦ରୁ ୨୨ ଯାଏଁ ମହୋତ୍ସବ ଅନୁଷ୍ଠିତ ହେବ । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ହେଇଥିବା ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ସମସ୍ତ ଉପସ୍ଥିତ ଅଧିକାରୀ ତଥା ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲାପାଳ ସ୍ଥାନୀୟ କଳାକାର ଏବଂ ଲୋକ ସଂସ୍କୃତିକୁ ନେଇ କି ଲୋକ ଉତ୍ସବ ପାଳନ ହେବାକୁ ପ୍ରତିଶୃତି ଦେଇଛନ୍ତି । ଏକ କୋର କମିଟି ଗଢିବା ସହ ବିଭିନ୍ନ ସବ୍ କମିଟି ଗଠନ ହେଇଥିଲା । ସମସ୍ତ ସବ୍ କମିଟିର ସଭାପତି ଅଧିକାରୀ ରହିବା ସହ ବୁଦ୍ଧିଜୀବୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ମାନେ ସହ ସଭାପତି ଭାବେ ମନୋନୀତ ହୋଇଥିଲେ । ପୂର୍ବ ବର୍ଷଗୁଡିକରେ ରହିଥିବା ବ୍ୟକ୍ତିଙ୍କ ବଦଳରେ ନୂତନ କମିଟି ସହ ସଭାପତି ଚୟନ କରାଯାଇଥିଲା । ଫାଇନାନ୍ସ ସବ୍ କମିଟିର ସହସଭାପତି ଦେବଦତ୍ତ ବେହେରା ମନୋନୀତ ହେଇଥିବା ବେଳେ, ସ୍ମରଣିକା କମିଟି ସହସଭାପତି ରୂପେ ସନ୍ଦୀପ କୁଅଁର, ପବ୍ଲିସିଟି କମିଟି ସହସଭାପତି ଶରତ ଚନ୍ଦ୍ର ମିଶ୍ର, ପଡିଆ ମ୍ୟାନେଜମେଣ୍ଟର ସହସଭାପତି ବିକାଶ ସା, ଖାଦ୍ୟ କମିଟି ସହସଭାପତି ଘନଶ୍ୟାମ ପଶାୟତ, ସେମିନାରର ସହସଭାପତି ସନାତନ ଠାକୁର, ସାଂସ୍କୃତିକ କମିଟି ସହସଭାପତି ବିନୋଦ କାଳସାଇ, ଶ୍ରୀପଦା ଷଡଙ୍ଗୀ, ଷ୍ଟେଜ କମିଟିର ପ୍ରହଲାଦ ଦର୍ଜି ଏବଂ ରିସେପ୍ସନ୍ କମିଟିର ଗୋପାଳଜୀ ପାଣିଗ୍ରାହୀଙ୍କୁ ଚୟନ କରାଯାଇଛି । ସର୍ବସମ୍ମତି କ୍ରମେ ଏହି କମିଟି ସହସଭାପତି ମନୋନୀତ ହେଇଥିଲେ । ଜିଲ୍ଲାର ବିଭିନ୍ନ ଅଧିକାରୀ ମାନେ ଏହି କମିଟି ସଭାପତି ରହିବେ । ଏହି ସମୟରେ ପଲ୍ଲିଶ୍ରୀ ମେଳା ଏବଂ ବିଭିନ୍ନ ବିଭାଗ ଦ୍ୱାରା ପ୍ରଦର୍ଶିତ ଷ୍ଟଲରେ ଲୋକଭିମୁଖୀ ଯୋଜନା ପ୍ରଦର୍ଶିତ କରାଯିବ । ପାର୍କିଂ ଏବଂ ଟ୍ରାଫିକ ବ୍ୟବସ୍ଥା ପୋଲିସ ତରଫରୁ କରାଯିବ । ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନୟନ ଅଧିକାରୀ ପ୍ରଭାତ ମହାପାତ୍ର, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁଜୂର, ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ, ପାଟଣାଗଡ଼ ଉପଜିଲ୍ଲାପାଳ ସୁନିଲ ମେହେର, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ, ଏସ୍ଡିପିଓ ପ୍ରଦୀପ ସାହୁ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post