ବଲାଙ୍ଗିର, (କେପିଏନ୍ଏସ୍) : ସଂସ୍କୃତି ଆମର ପରିଚୟ । ଭାରତର ସାଂସ୍କୃତିକ ବୈଚିତ୍ର ହିଁ ଆମର ବିଶେଷତ୍ୱ । ସାରା ଭାରତର ସାଂସ୍କୃତିକ ବିଶେଷତ୍ୱକୁ ପ୍ରୋତ୍ସାହନ ଦେବାକୁ ଭାରତ ସରକାରଙ୍କ ଉଦ୍ୟମ ଜାରି ରହିଛି । ଲୋକକଳା ଉତ୍ସବ ପରି ସର୍ବଭାରତୀୟ କାର୍ୟ୍ୟକ୍ରମ ବଲାଙ୍ଗିରରେ ହେବା, ଏହାର ପରିଚୟ ବୋଲି କହିଛନ୍ତି ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ । ବଲାଙ୍ଗିର ଟାଉନହଲ ଠାରେ ଅନୁଷ୍ଠିତ ଅଷ୍ଟମ ଲୋକକଳା ଉତ୍ସବର ଉଦ୍ଯାପନୀ ଅବସରରେ ସେ ଏହି ମତ ଦେଇଛନ୍ତି । ଦୁଲଦୁଲି କଳା ପରିଷଦ ଦ୍ୱାରା ଆୟୋଜିତ ଏହି ସର୍ବଭାରତୀୟ ଲୋକନୃତ୍ୟ ଓ ସଂଗୀତ ସମାରୋହରେ ବରେଣ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ , ସଂସ୍କୃତି ଗବେଷକ ରଂଜନ ସାହୁ, ସଂସ୍କୃତି ଗବେଷକ ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ମିଶ୍ର ଓ ସଭାପତିତ୍ୱ କରିଥିଲେ ପ୍ରଭାସ କୁମାର ପାଣିଗ୍ରାହୀ । ଦୁଲଦୁଲି କଳା ପରିଷଦର ଉପସଭାପତି ଦୀନେଶ ଶର୍ମା ମଂଚାସୀନ ହୋଇଥିଲେ । ସନ୍ଦୀପ କୁମାର କୁଅଁରଙ୍କ ମଂଚ ସଂଯୋଜନାରେ ଅନୁଷ୍ଠିତ ଏହି ସାଂସ୍କୃତିକ ସଭାରେ ଯୁବ ପ୍ରତିଭା ପ୍ରଶାନ୍ତ କୁମାର ବଡମାଳିଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଦୁଲଦୁଲି କଳା ପରିଷଦର ସଂପାଦକ ବାସୁଦେବ ସା’ ମଂଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ତିନିଦିନ ଧରି ସାଂସ୍କୃତିକ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିବା ଅର୍ଜୁନ ସାହୁ ଓ ମାନସୀ ସାହୁଙ୍କୁ ଉତ୍ସବ ସ୍ମାରକୀ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ସୁଦାମ ବିଶି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ସଢେ଼ଇକଳା ଛଉର ବର୍ଷା ଝମଝମ, ଆସାମର ବୋଦୋ, ନାଟୁଆ ଝାରଖଣ୍ଡ, ରାଜସ୍ଥାନର କାଲବେଲିଆ, ପଡିହାଡି, ପଶ୍ଚିମବଙ୍ଗର ଝୁମର, ଗଞ୍ଜାମର ଯୋଡିଶଂଖ, ପ୍ରତିଭା-ଭବାନୀପାଟଣାର ସିଂହାରୀ, ଜୁଲୁ ସାହୁଙ୍କ ଏକକ ନୃତ୍ୟ ଡାଲଖାଇ ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସଭା ପୂର୍ବରୁ ଗୀତିକାର ବ୍ରହ୍ମାନନ୍ଦ ବନଛୋର, କଣ୍ଠଶିଳ୍ପୀ ନବୀନ କିଶୋର କୁଅଁରଙ୍କ ପରିଚାଳନାରେ ଲୋକଗୀତ ପରିବେଷଣ କରିଥିଲେ ରାଜ୍ୟର ବହୁ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନେ।