
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନା, ଫ୍ୟାମିଲି କୋର୍ଟ ଜଜ୍ ବିକ୍ରମ କେଶରୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ୍ (ପ୍ରଥମ) ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ଅତିରିକ୍ତ ଜିଲ୍ଲା ଜଜ୍ (ଦ୍ୱିତୀୟ) ହିମାଂଶୁ ଶେଖର ସିଂ, ସିଭିଲ୍ ଜଜ୍ (ବରିଷ୍ଠ) ଜ୍ୟୋତିରଂଜନ ଦାଶ, ଅତିରିକ୍ତ ସିଭିଲ୍ ଜଜ୍ ଶ୍ରୀମତୀ ଅନ୍ନପୂର୍ଣ୍ଣା ଷଡଙ୍ଗୀ, ସିଭିଲ୍ ଜଜ୍ (ବରିଷ୍ଠ ଏଲ୍ଆର୍ ଓ ଏଲ୍ଟିଭି ) ଜନ୍ମେଜୟ ପଲେଇ, ଏସ୍ଡିଜେଏମ୍ ମନୋଜ ମହାନ୍ତି, ଜିଲ୍ଲାର ସମସ୍ତ ରାଜସ୍ୱ ଅଧିକାରୀ ଏବଂ ସମସ୍ତ ଓକିଲ ଉପସ୍ଥିତ ଥିଲେ । ଉକ୍ତ ଲୋକ ଅଦାଲତକୁ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିନୟ କୁମାର ପାତ୍ର ପରିଚାଳନା କରିଥିଲେ । ଉକ୍ତ ଲୋକ ଅଦାଲତରେ ଗୋଟିଏ ମଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ମୋଟ ୩ ଲକ୍ଷ ଟଙ୍କା କ୍ଷତିପୁରଣ ଦେବା ପାଇଁ ଆଦେଶ କରାଯାଇଥିଲା । ପାରିବାରିକ ମିଳାମିଶାରେ ୯ଟି ମାମଲା ଫଇସଲା କରାଯାଇ ମୋଟ ୧ ଲକ୍ଷ ୭୭ ହଜାର ଭରଣ ପୋଷଣ ଦେବା ପାଇଁ ଆଦେଶ କରାଯାଇଥିଲା । ୬ ଟି ଚେକ୍ ବାଉନ୍ସ ମାମଲା ଫଇସଲା କରାଯାଇ ମୋଟ ୬୬ ଲକ୍ଷ ୫୪ ହଜାର ୫୩୪ ଟଙ୍କା ସ୍ଥିର କରାଯାଇଥିବା ବେଳେ ୫ ହଜାର ୯୬୨ଟି ରାଜସ୍ୱ ମାମଲା ଏବଂ ଅନ୍ୟାନ୍ୟ ୩ଟି ମାମଲାର ସମାଧାନ କରାଯାଇଥିଲା ।