ଲେଖକ ସୁଧୀର ଧଙ୍ଗଡ଼ାମାଝୀଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ

ଭବାନୀପାଟଣା, (ହେମନ୍ତ ସାହୁ) : ଯୁବ ଲେଖକ, ସଂପାଦକ, ଉପସ୍ଥାପକ, ଅଭିନେତା ତଥା ସଂଗଠକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ୨୦୨୧ ମସିହା ପାଇଁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ । ରାଜ୍ୟର ଅଗ୍ରଣୀ ସଂସ୍ଥା ମହାବୀର ସାଂସ୍କୃତିକ ଅନୁଷ୍ଠାନ (ଏମ୍‌ଏସ୍‌ଏ)ର ପ୍ରତିଭା ମନୋନୟନ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ପ୍ରତିମା ଧଙ୍ଗଡ଼ାମାଝୀ ଓ ୰ଯଦୁମଣି ଧଙ୍ଗଡ଼ାମାଝୀଙ୍କ ସୁପୁତ୍ର ସୁଧୀର ଗଳ୍ପ, କବିତା, ପ୍ରବନ୍ଧ, ଫିଚର୍‌, ଲଳିତ ନିବନ୍ଧ, ଅନୁବାଦ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରୁଥିବା ବେଳେ ତାଙ୍କର ଗଳ୍ପ ସଂକଳନ ‘ଖଂଗାର୍‌’ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର-୨୦୨୦ ଚୂଡ଼ାନ୍ତ ପର୍ଯ୍ୟାୟ ଯାଏଁ ପହଞ୍ଚିଥିଲା । ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପ୍ରସାରିତ ଯୁବବାଣୀର ଉପସ୍ଥାପକ ଭାବେ ସେ ଶ୍ରୋତା ମହଲରେ ଲୋକପ୍ରିୟ ଥିବାବେଳେ ଆକାଶବାଣୀର ଗ୍ରେଡ୍‌-ବି ନାଟକ କଳାକାର ଭାବେ ସ୍ୱୀକୃତ । ଏଥିସହ ସେ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପନା କରିଛନ୍ତି । ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ମଞ୍ଚସ୍ଥ ନାଟକରେ ସେ ଅଭିନୟ କରିଛନ୍ତି । ତାରକ୍‌ ମେହ୍‌ତା କା ଉଲ୍‌ଟା ଚଷ୍‌ମା ଫେମ୍‌ ପ୍ରଯୋଜକ ଅସିତ୍‌ ମୋଦୀ ଓ ପ୍ରଖ୍ୟାତ ନିର୍ଦ୍ଦେଶକ ସିଦ୍ଧାର୍ଥ ତ୍ରିପାଠୀଙ୍କ ମୁକ୍ତିଲାଭ ଅପେକ୍ଷାରେ ଥିବା ବଲିଉଡ୍‌ ଫିଲ୍ମ ‘ଏ ରେଡ୍‌ ସାର୍ଟ’ରେ ସେ ବରିଷ୍ଠ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି । ନିକଟରେ ତାଙ୍କ ରଚିତ ଓ ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଇସ୍କୁଲ୍‌ ଡାକୁଛେ ଆ’ ବେଶ୍‌ ଲୋକପ୍ରିୟ ହୋଇଥିଲା । ସଂପ୍ରତି ଶିକ୍ଷା ବିଭାଗରେ ସିଆର୍‌ସିସି ଭାବେ ଅବସ୍ଥାପିତ ସୁଧୀର ଗ୍ଲୋବାଲ୍‌ ଲାଇଫ୍‌ରେଚର୍‌ ଫାଉଣ୍ଡେସନ୍‌ର ଆବାହକ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ ସଂପାଦକ, କଳାହାଣ୍ଡି ଯୁବ ଲେଖକ ସମାବେଶର ସାଧାରଣ ସଂପାଦକ, ଓଡ଼ିଶାର ଏକମାତ୍ର ସାହିତ୍ୟ-ସମ୍ବାଦ ପତ୍ରିକା ‘ସାହିତ୍ୟ କଥା’ର ସହ-ସଂପାଦକ ଭାବେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ ସମ୍ବାଦପତ୍ର ‘ମସୀହା’ର ବାର୍ତ୍ତା ସଂପାଦକ ଓ ସାହିତ୍ୟ ପତ୍ରିକା ‘ମହୁରି’ର ସହ-ସଂପାଦକ ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ବିଭିନ୍ନ ଅନୁଷ୍ଠାନ ତାଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ୱାର୍ଲ୍ଡ ଏସୋସିଏସନ୍‌ ଫର୍‌ ଆର୍ଟ୍‌ ଏଣ୍ଡ୍‌ କଲ୍‌ଚର୍‌ ଆୟୋଜିତ ୩୯ତମ ବିଶ୍ୱ କବି ମହାକୁମ୍ଭ ଓ କେନ୍ଦ୍ର ସାହିତ୍ୟ ଅକାଦେମୀ ଆୟୋଜିତ ମୁଲାକାତ୍‌ କାର୍ଯ୍ୟକ୍ରମକୁ ଅତିଥି ଲେଖକ ଭାବେ ଆମନ୍ତ୍ରିତ ହୋଇ ଜିଲ୍ଲାର ଗୌରବ ବଢ଼ାଇଛନ୍ତି । ଆସନ୍ତା ନଭେମ୍ବର ମାସରେ ୫୭ତମ ମହାବୀର ମହୋତ୍ସବ ଅବସରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଏମ୍‌ଏସ୍‌ଏ କାର୍ଯ୍ୟକାରୀ ସଭାପତି ଜୟନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.