om academy

ସମସ୍ତେ ଥାଇ ବି କେହି ନଥିବା ଭଳି : ମା’ର ଆତ୍ମହତ୍ୟା ପରେ ଏକା ହୋଇଗଲା କୁନି ଝିଅ ଲିସା

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଳକ୍ ଅଞ୍ଚଳର ଜଣେ ୩୨ ବର୍ଷର ମହିଳାଙ୍କ ବିଷ ପିଇ ଆତ୍ମହତ୍ୟା ପରେ ତାଂକ ଝିଅ ମାଆ ଛେଉଣ୍ଡ ହୋଇ ଯାଇଥିବା ଭଳି ଗୋଟିଏ ଅଭାବନୀୟ ଘଟଣା ଘଟିଛି । ପ୍ରକାଶ ଥାଉ କି, ଭଲ ପାଇ ଯାହାକୁ ବିବାହ କରିଥିଲେ, ସେ ବିବାହର ମାତ୍ର ୫ ବର୍ଷ ପରେ ଚରିତ୍ରକୁ ସନ୍ଦେହ କରି ଝଗଡା କରିବା ସହ ଦୂରେଇ ଗଲା। ନିଜର ୨ ଝିଅଙ୍କୁ ଧରି ଜୀବନ ଆରମ୍ଭ କରିଥିଲେ ମଧ୍ୟ ୪ ବର୍ଷ ତଳେ ବଡ ଝିଅ ଏକ ଦୁରାରୋଗ୍ୟରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଲକ୍‌ ଡାଉନ୍‌ ସମୟରେ ଚଳିବା କଷ୍ଟକର ହେଲା । ଆଉ ଶେଷରେ କୀଟନାଶକ ପିଇ ଜୀବନ ହାରିଲେ ୩୨ ବର୍ଷ ବୟସ୍କା ଶାନ୍ତି ନାହାକ । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକର ଭିକାପଡା ଗ୍ରାମରେ । ଏହି ଗ୍ରାମର ଶାନ୍ତିଲତା ୨୦୦୪ ମସିହାରେ ନିଜ ଗ୍ରାମର ରଥ ନାହାକଙ୍କୁ ଭଲ ପାଇ ଉଭୟ ପରିବାରର ସମ୍ମତି ପରେ ବିବାହ କରିଥିଲେ । ୨ଟି କନ୍ୟା ସନ୍ତାନ ଜନ୍ମ ଦେବା ପରେ ରଥଙ୍କ ସହ ମନୋମାଳିନ୍ୟ ହୁଏ, ଯାହା ଫଳରେ ରଥ ପୃଥକ ହୋଇ ପୁଣି ଥରେ ବିବାହ କରି ନୂଆ ସ୍ତ୍ରୀଙ୍କ ସହ ସୁରଟରେ ରହିଆସିଛି । ବୁଧବାର ରାତ୍ରିରେ ଗୁରୁତର ଅବସ୍ଥାରେ ଶାନ୍ତିକୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇ ଥିଲେ ସୁଦ୍ଧା ଛତ୍ରପୁରରେ ତାଙ୍କର ମୃତ୍ୟୁ ହୋଇଥିଲା । ସାଙ୍ଗରେ ଆସିଥିବା ୧୧ ବର୍ଷୀୟା ଝିଅ ଲିସାର ବୁକୁ ଫଟା କ୍ରନ୍ଦନରେ ସମଗ୍ର ହସପିଟାଲ ପରିସରରେ ଶୋକର ଛାୟା ଖେଳି ଯାଇଥିଲା । ବୁଧବାର ରାତିରୁ ଭୋକରେ ଥିବା ଲିସାକୁ ହସପିଟାଲର ସୁରକ୍ଷା କର୍ମୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ବୋଧ କରୁଥିବା ସହ ପାଣି ଓ ଖାଦ୍ୟ ଦେଉଥିବା ଦେଖିବାକୁ ମିଳିଥିଲା । ମା’ ଶାନ୍ତିର ବାପ ଓ ଶଶୁର ଘର ଲୋକେ ଖବର ପାଇ ହସପିଟାଲକୁ ଆସିଥିଲେ ସୁଦ୍ଧା ଲିସାକୁ ରଖିବାକୁ କେହି ଆଗଭର ହୋଇ ନ ଥିଲେ । ଖବର ପାଇ ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ହସପିଟାଲରେ ପହଞ୍ଚିବା ସହ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷଙ୍କୁ ଲିସାକୁ ହସ୍ତାନ୍ତର କରିଥିଲେ । ଛତ୍ରପୁର ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ହସ୍ତାନ୍ତର କରିଥିଲେ । ଗ୍ରାମକୁ ଶବ ନେବା ପାଇଁ ପରିବାର ବର୍ଗ ଅନିଚ୍ଛୁକ ଥିବା ହେତୁ ପ୍ରଶାସନ ସହଯୋଗରେ ଛତ୍ରପୁର ଶ୍ମଶାନରେ ସତ୍କାର ହୋଇଥିଲା ।

Leave A Reply

Your email address will not be published.