ଚନ୍ଦନଭାଟି ଫାଣ୍ଡିର ଲେଡି ପୋଲିସ ସନ୍ତୋଷିନୀ ସାହୁଙ୍କ ସାହସ ବଳରେ ଚୋର ଦଳର ଚୋରୀ ଉଦ୍ୟମ ପଣ୍ଡ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : କିଛିଦିନ ହେଲା ଚନ୍ଦନଭାଟି ଅଞ୍ଚଳରେ ମାତିଛନ୍ତି ଚୋର ଦଳ । ଦୀର୍ଘ ପଚିଶ ଦିନ ପୂର୍ବରୁ ବଘଲା ଛକ ନିକଟସ୍ଥ ସାହୁ ଅଟୋ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ଟାୟାର୍, ମୋବିଲ୍, ମୋଟର ସାଇକେଲ ଏବଂ ଚାରିଚକିଆ ଯାନରେ ବ୍ୟବହୃତ ସାମଗ୍ରୀ ନେଇ ଫୋରାର୍‌ ମାରିବାରେ ସଫଳ ହୋଇଥିଲେ ଚୋର ଦଳ । ତେବେ ଗତକାଲି ରାତି ୧୧ ଟା ୪୦ ମିନିଟରେ ପୁଣି ଏକ ବୋଲେରୋ ପିକଅପ୍ ଭ୍ୟାନ୍‌ରେ ପହଞ୍ଚିଥିଲେ । ଚନ୍ଦନଭାଟି ଫାଣ୍ଡି ନିକଟସ୍ଥ ବାବା ଅଟୋ ମୋବାଇଲ୍ ଦୋକାନର ସଟର୍ ଖୋଲିଥିଲେ ଏତିକି ବେଳେ ଫାଣ୍ଡି ଡ୍ୟୁଟିରେ ଥିବା ଲେଡି ପୋଲିସ୍ ସନ୍ତୋଷିନୀ ସାହୁ ଏବଂ ହୋମଗାର୍ଡ୍ ବନମାଳୀ ପାତ୍ର କଣ ଗୋଟେ ଆବାଜ୍ ହେଲା ବୋଲି ବାହାରକୁ ବାହାରିଥିଲେ । ଏକ ନୂଆ ବୋଲେରୋ ପିକଅପ୍ ଭ୍ୟାନ୍ ଦେଖି ପାଖକୁ ଯାଉଥିବା ବେଳେ ଚୋରମାନେ ଏମାନଙ୍କୁ ଦେଖି ପାଇଥିଲେ ଏବଂ ତୁରନ୍ତ ସଟର୍ ତଳକୁ କରି ଗାଡି ଷ୍ଟାର୍ଟ କରି ଖୁବ୍ ଜୋରରେ ପଳାୟନ କରିଥିଲେ । ପୋଲିସ କହିବା ଅନୁସାରେ ସେମାନେ ଏକ ନୂଆ ବୋଲେରୋ ପିକଅପ୍ ଭ୍ୟାନ୍ ଆଣିଥିଲେ ଏବଂ ସେହି ଗାଡିର ନମ୍ବର ନଥିଲା ବୋଲି ସୁଚନା ଦେଇଛନ୍ତି । ତାପରେ ଦୋକାନ ଗୁଡାକ ଦେଖିବା ପରେ ଚନ୍ଦନଭାଟିର ବାସିନ୍ଦା ପ୍ରସନ୍ନ ଖମାରୀ ନାମକ ବ୍ୟକ୍ତିଙ୍କ ଅଟୋ ମୋବାଇଲ ଦୋକାନର ତାଲା ଭାଙ୍ଗି ସିସିଟିଭି କ୍ୟାମେରା ମଧ୍ୟ ଭାଙ୍ଗି ଫୋପାଡି ଦେଇଥିବାର ଦୃଶ୍ୟ ଦେଖାଯାଇଥିଲା । ଚୋରମାନେ ପଳାଇବା ପରେ ସଙ୍ଗେ ସଙ୍ଗେ ଲେଡି ପୋଲିସ ସନ୍ତୋଷିନୀ ସାହୁ ପ୍ରସନ୍ନ ଖମାରୀଙ୍କ ଘରକୁ ମଧ୍ୟ ରାତ୍ରୀରେ ଡାକି ଯାଇଥିଲେ । ତାପରେ ଦୋକାନ ମାଲିକ ଆସି ସାମଗ୍ରୀ ଯାଞ୍ଚ କରିଥିଲେ । ଟାୟାର୍ ଦୁଇଟି ଏବଂ କିଛି ପାଣି ପାଇପ୍ ନେଇଛନ୍ତି ବୋଲି ପୋଲିସକୁ କହିଥିଲେ । ମାଲିକ ନୂଆ ତାଲା ଦୁଇଟି ଆଣି ଦୋକାନକୁ ଲକ୍ କରିଥିଲେ । ଭାଗ୍ୟକୁ ଡ୍ୟୁଟିରେ ଥିବା ଲେଡି ପୋଲିସ କର୍ମଚାରୀ ଏବଂ ହୋମଗାର୍ଡ ପାଖକୁ ଆସିବାକୁ ସାହସ ଜୁଟେଇ ଥିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ବଞ୍ଚି ଯାଇଥିଲା । ନହେଲେ ଦୋକାନ ମାଲିକଙ୍କୁ ନାହିଁ ନ ଥିବା କ୍ଷତି ସହିବାକୁ ପଡିଥାନ୍ତା । ଭୋରରୁ କଥାଟା ପ୍ରଘଟ ହେବାପରେ ଲେଡି ପୋଲିସକୁ ଅଞ୍ଚଳରେ ସାବାସୀ ଦେଉଛନ୍ତି ଲୋକେ । ଏଇଠି କଥା ହେଲା ଯଦି ଫାଣ୍ଡି ସାମ୍ନାରେ ଚୋରମାନେ ଏଭଳି କାଣ୍ଡ ଭିଆଇବାକୁ ପ୍ରସ୍ତୁତ ଅଛନ୍ତି ତାହେଲେ ତ କଥା ସରିଲା । ଗୋଟିଏ ମାସ ନ ପୁରୁଣୁ ଦୁଇଟି ଅଟୋ ମୋବାଇଲ ଦୋକାନରୁ ଚୋରି ହେବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି । ଆଗକୁ ପୋଲିସ ଏବଂ ଦୋକାନ ବାଲା ଯଦି ସଜାଗ ନ ହେବେ କେତେ ଯେ କ୍ଷତି ସହିବାକୁ ପଡିବ ଏ ଖବର ବୟାନ କରୁଛି । ଚନ୍ଦନଭାଟି ଏକ ବ୍ୟବସାୟ ସ୍ଥଳ ହୋଇଥିବାରୁ ଏବେ ସ୍ଥାନୀୟ ଲୋକେ ବଲାଙ୍ଗିର ପିସିଆର୍ ଭ୍ୟାନ ରାତି ତମାମ ଚନ୍ଦନଭାଟି ପର୍ଯ୍ୟନ୍ତ ପହରା ଦେଉ ବଲି ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.